ପୁରୀର ପ୍ରସିଦ୍ଧ ଖଜା ଖାଇବାକୁ ଭାରି ମଜା
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରୀକ୍ଷେତ୍ର ଯେପରି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଛି, ସେହିପରି ସୂର୍ଣ୍ଣାଭ ବେଳାଭୂମି ସହିତ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ପାଇଁ ମଧ୍ୟ ଦେଶରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଦେଶ ଓ ଦେଶ ବାହାରୁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକ ପୁରୀକୁ ବୁଲିବାକୁ ଆସିଥାନ୍ତି। ସେଥିପାଇଁ ପର୍ଯ୍ୟଟକଙ୍କ ରୁଚିକୁ ଦେଖି ପୁରୀ ସହରରେ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ମିଳିଥାଏ। ଏହି ଖାଦ୍ୟ ମଧ୍ୟରେ ଶ୍ରୀକ୍ଷେତ୍ର ଖଜା ଅନ୍ୟତମ। ଖଜାକୁ କେହି କେହି ଫେଣି ମଧ୍ୟ କହିଥାନ୍ତି। ଶ୍ରୀକ୍ଷେତ୍ର ଖଜା ତାର ସ୍ବାଦ ପାଇଁ ଦେଶ ବିଦେଶରେ ପ୍ରସିଦ୍ଧ ଲାଭ କରିଛି। ଭକ୍ତମାନେ ପୁରୀ ଆସିଲେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ପାଇଥାନ୍ତି। ଘରକୁ ବାହୁଡ଼ିିବା ବେଳେ ସାଙ୍ଗରେ ତାଳପତ୍ର ଭୋଗେଇ ଖଜାପୁଡ଼ିିଆ ନେଇଥାନ୍ତି। ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୫୬ ପଉଟି ଭୋଗରେ ଖଜା ହେଉଛି ଅନ୍ୟତମ ଶୁଖିଲା ଭୋଗ । ଖଜା ତିଆରି ପାଇଁ ମଇଦା, ଭଲ ଘିଅ, ଚିନି ଓ ତେଲ ଆବଶ୍ୟକ ପଡ଼େ। ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ। ପ୍ରଥମେ ମଇଦାରେ ତେଲ କିମ୍ବା ଘିଅ ମିଶାଇ ଭଲ ଭାବେ ମିଶାଯାଏ। ପରେ ସେଗୁଡିକୁ ଛୋଟ ଛୋଟ ଗୁଳା ପରି ଗୋଲ କରାଯାଏ। ଏହାକୁ ବେଲି ଗୋଲ ମୋଟା ରୁଟି ପରି ଗଢ଼ାଯାଏ। ଏହାକୁ ପୁଣି ପରସ୍ତ ପରସ୍ତ କରି ବେଲାଯାଇ ଲମ୍ବା ଲମ୍ବା ଖଜା ଆକାର ଦିଆଯାଇଥାଏ। ପରେ ଧିମା ଆଞ୍ଚରେ ତେଲ କିମ୍ବା ଘିଅରେ ଛଣାଯାଇଥାଏ। ଖଜା ଛଣା ହୋଇ ଥଣ୍ଡା ହେବା ପାଇଁ ରଖାଯାଏ। ପରେ ଚିନିରେ ଶିରା ତିଆରି କରାଯାଇ ଏହି ଛଣା ଖଜାକୁ ଏଥିରେ କିଛି ସମୟ ପକାଯାଇ ବାହାରକୁ କାଢ଼ି ଆଣି ଥଣ୍ଡା କରାଯାଇଥାଏ। ଏଭଳି ଖଜା ପ୍ରସ୍ତୁତ ହୋଇଥାଏ। ଖଜାର ଆକୃତି ଓ ସ୍ବାଦ ଦୃଷ୍ଟିରୁ ଏହାକୁ ବିଭିନ୍ନ ପ୍ରକାରରେ ବିଭକ୍ତ କରାଯାଇଛି। ଗେଡି ଖଜା, ମିଡିୟମ ଖଜା, ସୋ ଖଜା, ପେଟି ଖଜା, ବଡ ଖଜା ଓ ଚାଲୁ ଖଜା। ସେହିପରି ଚାହିଦା ଅନୁଯାୟୀ ମସଲା ଖଜା, ଖାସ୍ତା ଖଜା, ଭଲ ଘିଅ ଖଜା, ଲୁଣି ଖଜା ପ୍ରଭୃତି ଦୋକାନରେ ଉପଲବ୍ଧ ହୋଇଥାଏ। ୧୦୦ ଟଙ୍କାରୁ ୫୦୦ ଟଙ୍କା ପର୍ଯ୍ୟନ୍ତ ଖଜାର ମୂଲ୍ୟ ରହିଛି। ଏହି ବ୍ୟବସାୟରେ ପ୍ରାୟ ୧ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ। ଶ୍ରୀମନ୍ଦିର ଚାରିପାଖେ ବହୁ ଖଜା ଦୋକାନ ଖୋଲିଛି। ପୂର୍ବରୁ ଶ୍ରୀମନ୍ଦିର ସିଂହଦ୍ୱାର ନିକଟରେ ଖଜାପଟି ରହିଥିଲା। ତେବେ ମେଘନାଦ ପାଚେରିଠାରୁ ୭୫ ମିଟର ଉଚ୍ଛେଦ ହେବା କାରଣରୁ ଖଜାପଟିକୁ ଉଛେଦ କରାଯାଇଛି। ଫଳରେ ଏବେ ଶ୍ରୀମନ୍ଦିର ଚାରିପାଖ ସହିତ ସହରର ବିଭିନ୍ନ ସ୍ଥାନରେ ଖଜା ଦୋକାନ ଖୋଲିଛି। ନୃସିଂହ ସୁଇଟ୍ସ, ନରସିଂହ ସୁଇଟ୍ସ, ଟେଷ୍ଟ ଆଣ୍ଡ ଟୁଇଷ୍ଟ, ମା’ଦକ୍ଷିଣ କାଳୀ ସୁଇଟ୍ସ, ଲକ୍ଷ୍ମୀ ନୃସିଂହ ଖଜା ଦୋକାନ, ଭଗବତୀ, ଜଗନ୍ନାଥ ଏବଂ ଜଗାବଳିଆ ପରି ବଡ଼ ବଡ଼ ଖଜା ଦୋକାନ ରହିଛି। କରୋନା କଟକଣା ଉଠିଯିବା ପରେ ବର୍ତ୍ତମାନ ପୁରୀକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢି ବା ସହିତ ଖଜା ବ୍ୟବସାୟ ବେଶ୍ ଭଲ ହେଉଛି।