
ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷିତ, ସମ୍ବଲପୁରରେ ହୋଇଥିବା ମା’ସମଲେଇ ପ୍ରକଳ୍ପ
ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷିତ, ସମ୍ବଲପୁରରେ ହୋଇଥିବା ମା’ସମଲେଇ ପ୍ରକଳ୍ପ । ସମ୍ବଲପୁରରେ ହୋଇଥିବା ମା’ସମଲେଇ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପ୍ରାୟ ୧୨:୩୦ ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପରେ ବିମାନ ଯୋଗେ ପହଞ୍ଚିଥିଲେ । ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ନ ପ୍ରାୟ ୧ଟାରେ ଏହି ମନ୍ଦିର ଲୋକାର୍ପଣ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇ.ଭି. କାର୍ଟ ଯୋଗେ ସମ୍ପୂର୍ଣ୍ଣ ସମଲେଶ୍ୱରୀ ପ୍ରକଳ୍ପ ବୁଲି ଦେଖିଥିଲେ । ପ୍ରକଳ୍ପ ଉଦ୍ଘାଟନ ପୂର୍ବରୁ ୧ ହଜାରରୁ ଅଧିକ ମହିଳା ମହାନଦୀରୁ ଜଳ କୁମ୍ଭ ଧରି କଳସ ଯାତ୍ରା କରି ସମଲେଇ ମନ୍ଦିରକୁ ଯାଇଥିଲେ । ଏହି ଅବସରରେ ସମଲେଶ୍ୱର ମନ୍ଦିର ପରିସରରେ ଥିବା ଯଜ୍ଞ କୁଣ୍ଡରେ ହୋମ ଯଜ୍ଞ ଆରମ୍ଭ ହୋଇଥିଲା । ଏହି ପ୍ରକଳ୍ପ ଲୋକାର୍ପଣ ଓ ସ୍ୱତନ୍ତ୍ର ଦେବ ନୀତି ପାଇଁ ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସମଲେଇ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ସନ୍ଧ୍ୟାରେ ମହାନଦୀ କୂଳରେ ମହାନଦୀ ଘାଟରେ ସନ୍ଧ୍ୟା ଆଳତି ମଧ୍ୟ ହୋଇଥିଲା । ସମଲେଶ୍ୱରୀ ପ୍ରକଳ୍ପ ଅଧୀନରେ ମନ୍ଦିରର ଚତୁଃପାର୍ଶ୍ୱକୁ ସମ୍ପ୍ରସାରଣ କରାଯାଇଛି । ଏହା ମଧ୍ୟରେ ଯାତ୍ରୀ ନିବାସ, ଯାତ୍ରୀ ପ୍ରତିକ୍ଷାଳୟ ମଧ୍ୟ ରହିଛି । ଖରା ତଥା ବର୍ଷା ଦିନେ ସୁରୁଖୁରୁରେ ଯାତ୍ରୀଙ୍କ ଧାଡ଼ି ଦର୍ଶନ ପାଇଁ ସ୍ୱତନ୍ତ୍ର ସେଡର ବ୍ୟବସ୍ଥା କରାଯାଇଛି ।
ଏହି ପ୍ରକଳ୍ପ ଅଧୀନରେ ମନ୍ଦିର ପରିସରରେ ଥିବା ଏକ ପୁଷ୍କରଣୀର ପୁନରୁଦ୍ଧାର କରାଯାଇଛି । ମନ୍ଦିର ପ୍ରାଙ୍ଗଣରେ ଆଖି ଖୋସିଦେବା ପରି ପଥରର କାରୁକାର୍ଯ୍ୟ ସହ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଛି । ସମଲେଇ ପ୍ରକଳ୍ପ ଉଦ୍ଘାଟନ ଅବସରରେ ସାରା ରାଜ୍ୟରେ ସମସ୍ତ ସ୍କୁଲ କଲେଜକୁ ପୂର୍ବରୁ ବନ୍ଦ ଘୋଷଣା କରାଯାଇଥିଲା । ହୋମଯଜ୍ଞ ସାଙ୍ଗକୁ ଚଣ୍ଡୀପାଠ ଆରମ୍ଭ ହୋଇଥିବାବେଳେ ମନ୍ତ୍ରଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହେଉଥିଲା । ଏହାପରେ ସେ ମନ୍ଦିର ପରିସରରେ ରୂପାନ୍ତରଣର କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ । ଏଥି ସହିତ ମୁଖ୍ୟମନ୍ତ୍ରୀ ଏସଏଚଜି ମହିଳାମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।
ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି । ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି । ତେବେ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ରଖିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ । ମା’ ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର । ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି । ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରକଳ୍ପ । ମା’ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି ।