
ବାଣପୁରରେ ଅନୁଷ୍ଟିତ ହେଲା ରଥଯାତ୍ରା-ଏକାଠି ହେଲେ ଭକ୍ତ ଓ ଭଗବାନ
ବାଣପୁର : ତା ୭.୭.୨୪- ରିପୋର୍ଟ – ରଞ୍ଜନ ମହାପାତ୍ର- ଓଡ଼ିଶାର ପ୍ରାଚୀନ ଶକ୍ତିପୀଠ ତଥା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗୁପ୍ତ ଲୀଳା କ୍ଷେତ୍ର ବାଣପୁରରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ରୀତି ନୀତି ଅନୁସାରେ ପାଳିତ ହୋଇଯାଇଅଛି l ବାଣପୁରର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ରଙ୍କନାଥ ଦେବ, ଶ୍ରୀ ଚରଣ ଚକାଦେବ, ଶ୍ରୀ ପତିତପାବନ ଦେବଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା l ଚଳିତ ବର୍ଷ ଗୋଟିଏ ଦିନରେ ନବାଯୌବନ ଦର୍ଶନ ସହ ଶ୍ରୀ ଗୁଣ୍ଡିଚା ପଡୁଥିବାରୁ ଠାକୁରଙ୍କର ନିତିକାନ୍ତିରେ ସାମାନ୍ୟ ବିଳମ୍ବ ଦେଖାଦେଇଥିଲା l ଶ୍ରୀ ରଙ୍କନାଥଙ୍କ ପହଣ୍ଡି ଅପରାହ୍ନ ୩ ଘଟିକା ସମୟରେ ଆରମ୍ଭ ହୋଇଥିଲା l ତିନି ରଥକୁ ଚତୃର୍ଦ୍ଧା ବିଗ୍ରହଙ୍କ ପହଣ୍ଡି ବିଜେ ପରେ ଚଳନ୍ତି ଠାକୁର ମାନଙ୍କ ପହଣ୍ଡି ହୋଇଥିଲା l ତାପରେ ଠାକୁର ମାନଙ୍କ ବେଶ ବଢିଥିଲା l ବେଶ ସରିବା ପରେ ବାଣପୁର ବଙ୍କାଡ଼ ଗଡ଼ ର ରାଜା ତଥା ବର୍ତ୍ତମାନ ପାରିକୁଦ ଗଡ ର ରାଜାସାହେବ ଶ୍ରୀ ସନ୍ତୋଷ କୁମାର ମାନସିଂହ ମର୍ଦରାଜ ଭ୍ରମରବର ରାୟ ତାମଯାନ ପାଲିଙ୍କି ରେ ଆସି ତିନି ରଥରେ ଛେରା ପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇଥିଲା ।
ବାଣପୁର ରଥଯାତ୍ରା ଦେଖିବାକୁ ନିକଟତମ ଅଞ୍ଚଳର ଶତାଧିକ ଭକ୍ତ ଙ୍କର ଭିଡ ଲାଗିରହିଥିଲା l ଶୃଙ୍ଖଳା ପାଇଁ ବାଣପୁର ଥାନା ଓ ଗୋଦାବରୀଶ ମହାବିଦ୍ୟାଳୟର ରେଡକ୍ରସ ଏବଂ ସ୍କାଉଟ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତ୍ତା ମାନେ ଓ ଅନ୍ୟାନ ଅନୁଷ୍ଠାନ ତରଫରୁ ପାନୀୟ ଜଳ ବଣ୍ଟନ କରାଯାଇଥିଲା l ଶ୍ରୀ ଶ୍ରୀ ରଙ୍କନାଥ ମନ୍ଦିର କମିଟି ତରଫରୁ ସମସ୍ତ ବ୍ୟବସ୍ତା କରାଯାଇଥିଲା l