
ଅଁଳା ଏକାଦଶୀରେ ଅଁଳା ବୃକ୍ଷ କୁ ପୂଜା କଲେ ମନରେ ଆସେ ପବିତ୍ରତା
କାକଟପୁର ( ତୁଷାର ଦୀକ୍ଷିତ ) ୧୦/୦୩/୨୦୨୫ – ଫଗୁଣ ଶୁକ୍ଳ ଏକାଦଶୀ କୁ ଅଁଳା ଏକାଦଶୀ ଭାବେ ପାଳନ କରାଯାଏ । ଶାସ୍ତ୍ରରେ ଅଁଳା ବୃକ୍ଷକୁ ଶ୍ରେଷ୍ଠ ବୋଲି କୁହାଯାଇଛି । ପୌରାଣିକ ମତେ ସୃଷ୍ଟି ରଚନା ପାଇଁ ବିଷ୍ଣୁ ବ୍ରହ୍ମାଙ୍କୁ ଜନ୍ମ ଦେଇଥିଲେ, ସେହି ସମୟରେ ଅଅଁଳା ବୃକ୍ଷର ଜନ୍ମ । ସ୍ୱୟଂ ବିଷ୍ଣୁ ଅଁଳା ବୃକ୍ଷକୁ ଆଦିବୃକ୍ଷ ରୂପେରେ ପ୍ରତିଷ୍ଠିତ କରିଥିଲେ । ଅଁଳାର ପ୍ରତ୍ୟେକ ଅଂଶରେ ଭଗବାନ୍ ବିରାଜମାନ ବୋଲି ହିନ୍ଦୁମାନେ ବିଶ୍ୱାସ କରନ୍ତି । ଭଗବାନ ବିଷ୍ଣୁଙ୍କ ପ୍ରସନ୍ନତା ଏବଂ ମୋକ୍ଷର କାମନା ଲାଗି ଅଁଳା ଏକାଦଶୀ ଦିନ ଭକ୍ତ ନିତ୍ୟକର୍ମ ସାରି ଭଗବାନ ବିଷ୍ଣୁଙ୍କ ପ୍ରତିମାକୁ ଧ୍ୟାନ କରି ସଂକଳ୍ପ ନେଇ ଏକାଦଶୀ ବ୍ରତ ରଖିଥାନ୍ତି । ଭଗବାନଙ୍କ ପୂଜା ପରେ ଅଁଳା ବୃକ୍ଷ ପୂଜା କରିବା ଉଚିତ । ଏହିଦିନ ବିଷ୍ଣୁଙ୍କ ଷଷ୍ଠ ଅବତାର ପର୍ଶୁରାମଙ୍କ ସ୍ୱର୍ଣ୍ଣମୂର୍ତ୍ତି ସ୍ଥାପନ କରି ବିଧିବଦ୍ଧ ଭାବେ ପୂଜା କରାଯାଏ । ଦ୍ୱାଦଶୀ ଦିନରେ ଏକାଦଶୀ ବ୍ରତ ଉଦ୍ଯାପନ କରି ବ୍ରାହ୍ମଣଙ୍କୁ ପର୍ଶୁରାମ ମୂର୍ତ୍ତି ଭେଟି ଦିଆଯାଏ । ଭଗବାନ କହିଛନ୍ତି – ଯେଉଁ ପ୍ରାଣୀ ସ୍ୱର୍ଗ ଏବଂ ମୋକ୍ଷ ପ୍ରାପ୍ତି ପାଇଁ କାମନା କରୁଛନ୍ତି ସେମାନେ ଫାଲଗୁନ ଶୁକ୍ଳ ପକ୍ଷରେ ଏକାଦଶୀ ବ୍ରତ କରିବା ଉଚିତ୍।
ଥରେ ଲକ୍ଷ୍ମୀ ଓ ଭଗବତୀ ହରିଙ୍କୁ କୌଣସି ଏକ ନୂତନ ଦ୍ରବ୍ୟ ଦେବାକୁ ଇଚ୍ଛାକଲେ । କ’ଣ ଦେବେ ଭାବୁଥିବା ବେଳେ ଉଭୟଙ୍କ ଚକ୍ଷୁରୁ ଏକସଙ୍ଗେ ଲୁହ ଝରିଲା । ସେହି ଆନନ୍ଦାଶ୍ରୁ ଭୂମିରେ ପଡ଼ି ଅଁଳାଗଛ ସୃଷ୍ଟିହେଲା । ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ, ଦିନେ ଲକ୍ଷ୍ମୀ ଓ ପାର୍ବତୀ ଏକତ୍ର ବନସ୍ତରେ ନିଜନିଜ ପତିଙ୍କ ପାଇଁ ପୂଜାପାଠ କରିବାକୁ ମନ ବଳାଇଲେ । କିନ୍ତୁ ଅସୁବିଧା ଥିଲା ସ୍ୱାମୀଙ୍କର ପ୍ରିୟ ପୂଜା ସାମଗ୍ରୀ ସେମାନଙ୍କ ପାଖରେ ନ ଥିଲା । ଅର୍ଥାତ୍ ପାର୍ବତୀଙ୍କ ପାଖରେ ବେଲପତ୍ର କିମ୍ବା ଲକ୍ଷ୍ମୀଙ୍କ ପାଖରେ ତୁଳସୀ ନ ଥିଲା । ଦୁହେଁ ଭାବିବାକୁ ଲାଗିଲେ କିପରି ଏ ସମସ୍ୟାର ଆଶୁ ସମାଧାନ ହେବ । ଠିକ୍ ସେତିକିବେଳେ ନାରଦ ମୁନି ସେଠାରେ ପହଞ୍ଚି ସମସ୍ୟାଟି ଶୁଣି ଅଁଳା,ବେଲ ଓ ତୁଳସୀ ସମାହାର ବୋଲି ସେମାନଙ୍କୁ କହିବାରୁ, ସେ ଦୁହେଁ ଅଁଳାଗଛ ନିକଟରେ ପୂଜାକାର୍ଯ୍ୟ ସମାପନ କଲେ । ସେଇଥି ପାଇଁ ଅଁଳା ଶିବ ଓ ବିଷ୍ଣୁଙ୍କର ପ୍ରିୟବୃକ୍ଷ ।