
ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ
ଡେଲାଙ୍ଗ,ତା ୦୮/୧୨,
ପୁରୀର ଅନ୍ୟତମ ଶିଶୁ ସାହିତ୍ୟ ଅନୁଷ୍ଠାନ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ଚତୁର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଆନୁଷ୍ଠାନିକ ଭାବେ ଶିଶୁ ପତ୍ରିକା ‘ଗ୍ରାମ୍ୟରମ୍ଯ’ର ପ୍ରତିଷ୍ଠାତା ଗୋପାଳ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରିଥିଲେ। ପ୍ରଥମ ଅଧିବେଶନରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଏଥିରେ ସଭା ମୁଖ୍ଯ ଭାବେ ବରିଷ୍ଠ ଶିଶୁସାହିତ୍ୟିକ କୁଞ୍ଜବିହାରୀ ସାହୁ ଯୋଗ ଦେଇଥିଲେ। କବୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ସ୍ବାଇଁ,କବି ଅଧକାରୀ ସ୍ବାଇଁ, ଦିଗମ୍ବର ରଥ,ପ୍ରଶାନ୍ତ କୁମାର ଦାସ ,ସିଦ୍ଧେଶ୍ବର ବେହେରା ପ୍ରମୁଖ ସଂଯୋଜନା କରିଥିଲେ। ୩୦ ଜଣ ଶିଶୁ ସମେତ ୬୨ ଜଣ କବି କବିତା ପାଠ କରିଥିଲେ।
ଦ୍ବିତୀୟ ଅଧିବେଶନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ଡ.ଶରତ କୁମାର ବିଶ୍ବାଳ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେନ୍ଦ୍ର ସାହିତ୍ୟ ଅକାଦେମି ପ୍ରଦତ୍ତ ବାଲ ସାହିତ୍ୟ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ଯିକ ବୀରେନ୍ଦ୍ର ମହାନ୍ତି ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ଶିଶୁସାହିତ୍ୟିକ ବଙ୍କିମ ଚନ୍ଦ୍ର ନାୟକ,ଡ. ହେମନ୍ତ କୁମାର ଛୋଟରାୟ,ବପିନ ବିହାରୀ ଦଳେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ବରିଷ୍ଠ ଶିଶୁସାହିତ୍ୟିକ ତଥା ଶିଶୁ ଉପନ୍ୟାସ ଲେଖକ ପ୍ରଶାନ୍ତ କୁମାର ମଙ୍ଗରାଜ ସଭାପତିତ୍ବ କରିଥିଲେ। ସଂସଦର ସଂପାଦିକା ଲକ୍ଷ୍ମୀପ୍ରିୟା ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ଶିଶୁ ସାହିତ୍ୟ ହିଁ ପିଲାମାନଙ୍କୁ ମଣିଷ ପରି ମଣିଷ କରି ପାରିବ ବୋଲି ବହୁ ବକ୍ତା ମନ୍ତବ୍ୟ ପ୍ରଦାନ କରିଥିଲେ। ବିଜ୍ଞାନି ସମ୍ମତ ଧାରା ଶିଶୁ ସାହିତ୍ୟ ରଚନା ପାଇଁ ଆହ୍ବାନ ଦେଇଥିଲେ। ଉତ୍ସବରେ ବାର୍ଷିକ ମୁଖପତ୍ର ‘ଗ୍ରାମ୍ୟରମ୍ଯ’ ଓ ଲକ୍ଷୀପ୍ରିୟା ଦାଶ ଙ୍କ ଗପ ପୁସ୍ତକ ‘ମୁନିର ଗପ ପେଡି’ ଉନ୍ମୋଚିତ ହୋଇଥିଲା। ପୁସ୍ତକ ସମୀକ୍ଷା କରିଥିଲେ ବର୍ଷିୟାନ ଲେଖିକା ଶ୍ରୀମତୀ ଦମୟନ୍ତୀ ମଙ୍ଗରାଜ।ପରେ ପରେ ଶିଶୁ ସାହିତ୍ଯିକ ଶ୍ରୀଯୁକ୍ତ ବଙ୍କିମ ଚନ୍ଦ୍ର ନାୟକ,କିଷ୍ଣା ମହାପାତ୍ର, ପ୍ରବାସିନୀ ମିଶ୍ର, ମିନତୀ ପଟ୍ଟନାୟକ,ଦିଲୀପ ଧାଉଡିଆ,ସୁଶାନ୍ତ କୁମାର ସେନାପତି,ହିମାଂଶୁ ଶେଖର ଫତେସିଂହ ପ୍ରମୁଖଙ୍କୁ ସମ୍ମାନିତ କରଯାଇଥିଲା। ସେହିପରି କବି ରୋହିତ କୁମାର ଚମ୍ପତି,ଛାତ୍ରୀ ମିଲନ ସାହୁ,ଲକ୍ଷୀପ୍ରିୟା ଜୟସିଂହ,ଶ୍ରଦ୍ଧାଞ୍ଜଳି ପାଲଟା ସିଂହ,ପ୍ରିୟଙ୍କା ଦାଶଙ୍କୁ ସମ୍ମାନିତ କରାଯାଇଥିଲା। ଗ୍ରାମାଞ୍ଚଳରେ ଶିଶୁ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ଡେଲାଙ୍ଗ ଶିଶୁ କିଶୋର ସାହିତ୍ୟ ସଂସଦର ଉଦ୍ୟମ ଜନ ସାଧାରଣରେ ଭୂୟସୀ ପ୍ରଶଂସା ମିଳିଛି