
ପ୍ରାଚୀ ଓ କାଦୁଆ ନଦୀ ଜଳ ପାଲଟିଛି ଜହର ଜୀଵନ ଜୀବିକା ବିପନ୍ନ , ଖନନ ଦାବୀ
କାକଟପୁର(ତୁଷାର ରଞ୍ଜନ ଦୀକ୍ଷିତ )ତା 3/10 ପୁରୀ ଜିଲ୍ଲାର କାକଟପୁର ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ପ୍ରବାହିତ ପ୍ରାଚୀ ଓ କାଦୁଆ ନଦୀର ଜଳ ଏବେ ଜହର ପାଲଟିଲାଣି l ଉଭୟ ନଦୀର ଜଳ ଏତେ ମାତ୍ରାରେ ପ୍ରଦୂଷିତ ଯେ ଏହା ସ୍ନାନ କି ବ୍ୟବହାର ଉପଯୋଗୀ ନୁହେଁ l ନଦୀର ଜଳକୁ ସ୍ପର୍ଶ କଲେ ଚର୍ମ ରୋଗ ବ୍ୟାପୁଛି l ଉଭୟ ନଦୀରେ ବନ୍ୟା ଓ ବର୍ଷା ଜଳ ନିଷ୍କାସନ , ନଦୀକୁ ଅବରୋଧ ମୁକ୍ତ , ଚିରପ୍ରବାହ ସହ ଉଭୟ ନଦୀର ମିଳନସ୍ଥଳ କେଳୁଣୀ ମୁହାଁଣକୁ ସଫା କରିବା ପାଇଁ ପ୍ରାଚୀ ସୁରକ୍ଷା ସମିତି ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବୀ ହୋଇଆସୁଛି l ପୂର୍ବରୁ ଉଭୟ ନଦୀର ପଠାରେ ଟ୍ରକ ଟ୍ରକ ପନି ପରିବା ଚାଷ ହେଉଥିବା ବେଳେ ବର୍ତ୍ତମାନ ନଦୀର ଜଳ ବିଷାକ୍ତ ଯୋଗୁଁ ପନିପରିବା ଚାଷ ବନ୍ଦ ହୋଇଗଲାଣି ବୋଲି କେତେକ ଚାଷୀ ପ୍ରକାଶ କରିଛନ୍ତି l ନଦୀରେ ରହୁଥିବା ମାଛ , କଙ୍କଡା , କୋଚିଆ ଗେଣ୍ଡା ବିଷାକ୍ତ ଜଳ ଯୋଗୁଁ ବେଳେବେଳେ ମରି ପାଣିରେ ଭାସୁଥିବାର ଦେଖିବାକୁ ମିଳୁଛି l ନଦୀରେ ବେଳକୁ ବେଳ କଟକି ଦଳ ବୃଦ୍ଧି ପାଇବାରେ ଲାଗିଛି l ପ୍ରାଚୀ ନଦୀର କୁଣ୍ଢେଇ ବ୍ୟାରେଜ ଓ କାଦୁଆ ନଦୀ ଉପରେ ନିର୍ମିତ ଟିକରପଡା ଆନିକଟ ନିକଟରେ ପର୍ଯ୍ୟାପ୍ତ ପରିମାଣରେ କଟକି ଦଳ ଅଟକି ରହିଛି l ଦଳସଫେଇ ହେଉନଥିବାରୁ ସ୍ଲୁଇଚି ଗେଟରେ ଉଦବୁଦ୍ଦ ବର୍ଷା ଜଳ ଭଲଭାବେ ନିଷ୍କାସନ ହୋଇନପାରୁନାହିଁ l ବର୍ଷା ଜଳ ମାସ ମାସ ଧରି କ୍ଷେତରେ ଜମି ରହିବା ଯୋଗୁଁ ଧାନ ଓ ପନି ପରିବା ଚାଷ ଉଜୁଡି ଯାଉଛି ବୋଲି ବହୁ ଚାଷୀ ଅଭିଯୋଗ କରୁଛନ୍ତି l ଅପରପକ୍ଷରେ ଦିନଥିଲା ପ୍ରାଚୀନ ଐତିହ୍ୟ , ସାଂସ୍କୃତିକ ଜାଗରଣ ଓ ବହୁ ଗାରିମାମୟ ଇତିହାସର ମୁକସାକ୍ଷୀ ପୂଣ୍ୟତୋୟା ପ୍ରାଚୀନଦୀର ଜଳକୁ ଭକ୍ତ ମୁଣ୍ଡରେ ମାରି କୁତାର୍ଥ ହେଉଥିଲା l ଆଜି କିନ୍ତୁ ନଦୀ ଜଳର ଅବସ୍ଥା ଅନ୍ୟ ପ୍ରକାର l ଏହି ନଦୀ ଜଳକୁ ଦେଖିଲେ ଭକ୍ତ ନାକ ଟେକୁଛନ୍ତି l ମହାନଦୀରୁ ଉତ୍ପତି ଲାଭ କରିଥିବା ଏହି ପବିତ୍ର ନଦୀ ଏବେ ବିଲୁପ୍ତ ପ୍ରାୟ l ଅତୀତରେ ଓଡ଼ିଆ ଜାତିର ବାଣିଜ୍ୟ ଓ ନୌପରିବହନର ମୁକସାକ୍ଷୀ ହେଉଛି ପ୍ରାଚୀ ନଦୀ l ପୂଣ୍ୟତୋୟା ପ୍ରାଚୀ ନଦୀର ସଫେଇ ଓ ଖନନ କାର୍ଯ୍ୟ କରିବାକୁ ପୁରୀ ଡ୍ରେନେଜ ବିଭାଗ ଡିଭିଜନ କାର୍ଯ୍ୟାଳୟରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ବିଭିନ୍ନ ମଠ ମନ୍ଦିରରେ ଥିବା ସାଧୁ ସନ୍ଥ , ପୂଜକ ଓ ମଠାଧୀଶ ମାନେ ଦୀର୍ଘ ଦିନ ଧରି ଦାବୀ କରିଆସୁଥିଲେହେଁ ଡ୍ରେନେଜ ବିଭାଗ ତତ୍ପରତା ପ୍ରକାଶ କରୁନଥିବାରୁ ଏନେଇ ବେଳକୁ ବେଳ ଅସନ୍ତୋଷ ବଢ଼ିବାରେ ଲାଗିଛି l କେବଳ ବର୍ଷା ଦିନକୁ ଛାଡିଦେଲେ ଅନ୍ୟ ସବୁ ସମୟରେ ପ୍ରାଚୀ ଓ କାଦୁଆ ନଦୀ ଠାଆକୁ ଠାଆ ଶୁଖିଲା ପଡୁଛି l ଏଦିଗରେ ଡ୍ରେନେଜ ବିଭାଗର ମୂଖ୍ୟଯନ୍ତ୍ରୀ ଓ ପୁରୀ ଡ୍ରେନେଜ ବିଭାଗ ଡିଭିଜନର ଅଧିକ୍ଷଣଯନ୍ତ୍ରୀ ତୁରନ୍ତ ଦୃଷ୍ଟି ଦେଇ ପ୍ରାଚୀ ଓ କାଦୁଆ ନଦୀର ପୁନଃଉଦ୍ଧାର କରିବାକୁ ବିଭିନ୍ନ ସାମାଜିକ. ସଙ୍ଗଠନ ପକ୍ଷରୁ ଦୃଢ଼ ଦାବୀ ହେଉଛି l