
ଭାଗବତ ଜନ୍ମର କଥା
ଭାଗବତ ଜନ୍ମର କଥା
ତା ୧୦.୯.୨୨
ଆଜି ଅତିବଡ଼ି ଜଗନ୍ନାଥ ଦାସଙ୍କ ଆବିର୍ଭାବ ର ଦିନ କୁ ଭାଗବତ ଜନ୍ମ ପର୍ବ ଭାବରେ ପାଳନ କରାଯାଇଥାଏ।
ଓଡିଶାର ଜନସମାଜରେ ଭାଗବତର ଲୋକପ୍ରିୟତା ଓ ସ୍ଥାନ ଉର୍ଦ୍ଧରେ ଅଟେ। ପ୍ରାଚୀନ ଉତ୍କଳରେ ପ୍ରତ୍ୟେକ ଗ୍ରାମରେ ଭାଗବତ ମନ୍ଦିର ଥିଲା , ଭାଗବତ ପୋଥି ପୁଜା ପାରାୟଣ ହେଉଥିଲା । ଚାହାଳିରେ ପିଲାମାନଙ୍କର ଭାଗବତ ପ୍ରଧାନ ପାଠ୍ୟପୁସ୍ତକ ଥିଲା ।ଯେଉଁ ପିଲା ଅଧ୍ୟାୟେ ଭାଗବତ ବୋଲିପାରିଲା ତାର ବିଦ୍ୟା ଶେଷ ହେଉଥିଲା। ଯୁଗ ପରିବର୍ତ୍ତନ ସାଙ୍ଗକୁ ସମସ୍ତ ବ୍ୟବସ୍ଥା ମଧ୍ୟ ପରିବର୍ତ୍ତନ ହେଉଛି।
ଭାଗବତ ଖାଲି ଏକ ପୋଥି ନୁହେଁ ଏହା ଜାତୀୟ ଚେତନାର ଉଦ୍ରେକକାରୀ ।
ଓଡ଼ିଆ ଭାଗବତ ଶୁଣି ପୁଣ୍ୟାର୍ଜନ କରିବା ନିମନ୍ତେ ଗ୍ରାମେ ଗ୍ରାମେ ଭାଗବତ ଘର, ଭାଗବତ ଟୁଙ୍ଗୀ, ମଠ ଚଉପାଢୀ ଇତ୍ୟାଦି ଅନୁଷ୍ଠାନମାନ ମୁଣ୍ଡଟେକି ଉଠିଲାଣି, ପ୍ରତି ସନ୍ଧ୍ୟାରେ ଏଠାରେ ଭାଗବତ ଟୁଙ୍ଗୀ ମାନଙ୍କରେ ଗ୍ରାମବାସୀମାନେ ଏକତ୍ରିତ ହେବା ଦ୍ୱାରା ସେମାନେ ଐକବଦ୍ଧ ହେବାର ପ୍ରେରଣା ଲାଭ କରୁଛନ୍ତି।
ଭାଗବତର ଲେଖା ଏବଂ ଛନ୍ଦମାଧୁର୍ଯ୍ୟ ଏହାର ଲୋକ ପ୍ରିୟତାର ଏକ ମୁଖ୍ୟ କାରଣ ।
ଏହାର ଛନ୍ଦ ନବାକ୍ଷରୀ , ଯାହା ପାଠକ ପାଇଁ ଯେପରି ଆନନ୍ଦ ପ୍ରଦ , ଶ୍ରୋତାପାଇଁ ମଧ୍ଯ ସେହିପରି କର୍ଣ୍ଣପ୍ରୀତିପ୍ରଦ।
ଓଡିଆ ଜାତିର ଅବଚେତନରେ ଭାଗବତ ଏପରି ସୁଦୃଢ ଆସନ ପାତି ବସିଛି ଯେ, ସାକ୍ଷର ହେଉ ବା ନିରକ୍ଷର ହେଉ ଯେକୌଣସି ଓଡ଼ିଆ ପୁଅ ଆଜି ମଧ୍ଯ ଭାଗବତର ଶତ ଶତ ପଦ ନୀତିବାକ୍ୟ ଓ ଢଗଢମାଳି ରୁପେ ବ୍ୟବହାର କରେ।
ପ୍ରସଙ୍ଗକ୍ରମେ ତା କଣ୍ଠରୁ ସ୍ବତଃ ଝରିଆସେ…
ଯାହାକୁ ରଖିବେ ଅନନ୍ତ କେ କରିପାରେ ବଳବନ୍ତ।।
ଅମୃତବିନୟ ବଚନ କହି ତୋଷିବ ପ୍ରାଣୀମନ।।
ଯେ ପ୍ରାଣୀ ପରେ ହିଂସା କରେ ଦେବତା ପୂଜି ସେ ନ ତରେ।।
ଧନ ଅର୍ଜନ ଧର୍ମ କରି ଧର୍ମେ ପ୍ରାପତ ନରହରି।।
ମର୍ତ୍ତେ ମନୁଷ୍ଯ ଦେହ ବହି ଦେବତା ହୋଇଲେ ମରଇ।।
ଅନେକ ଲୋକ ଯହିଁ ମିଳି ଅବଶ୍ୟ ଉପୁଜଇ କଳି।।
ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଯିବି କି କାରଣେ।
ସାକ୍ଷାତେ ଗୁରୁ ଯେ ଈଶ୍ବର ଗୁରୁଙ୍କୁ ନ ମଣିବ ନର।।
ଓଡିଆ ଭାଗବତ ର ଖ୍ୟାତି ଥିଲା ସୁଦୂର ପ୍ରସାରୀ ।ପଡୋଶୀ ରାଜ୍ୟ ମାନଙ୍କରେ ମଧ୍ୟ ଏହାର ଆଦର ଥିଲା ଖୁବ୍ ବେଶୀ । ମାତ୍ର ବହୁମାତ୍ରାରେ ଏହାର ଆଦର କମିଯାଇଛି ଆଜିର ଯୁଗରେ। ନୁଆ ଆବିଷ୍କାର ଆପଣାଇ ଯୁଗ ପରିବର୍ତ୍ତନ ରୁପକ ଢାଞ୍ଚା ରେ ପଡି ଓଡିଆ ଭାଗବତ ଜଗନ୍ନାଥ ଦାସଙ୍କର ଓଡିଆ ଜାତିକୁ ସର୍ବଶ୍ରେଷ୍ଠ ଦାନକୁ ଆଜିର ମଣିଷ ଭୁଲିବାରେ ଲାଗିଛନ୍ତି।
ଜଗନ୍ନାଥ ଦାସ ଙ୍କ ଭାଗବତ ହେଉଛି ଏକମାତ୍ର ଗ୍ରନ୍ଥ ଯାହାକି ଓଡିଆମାନଙ୍କୁ ଶିକ୍ଷିତ ଓ ସଂସ୍କୃତି ସଂପନ୍ନ କରିବା ସଙ୍ଗେ ସଙ୍ଗେ ଆଧ୍ୟାତ୍ମିକ ଚେତନା ପ୍ରଦାନ କରି ଏକ ଦାର୍ଶନିକ ଜାତିରେ ମଧ୍ଯ ପରିଣତ କରିପାରିବ ।