
ବଜ୍ରପାତ ରୋକିବାକୁ କୃଷି ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକ୧୮ ବର୍ଷର ତାଳ ବୃକ୍ଷରୋପଣ ଅନୁଭୁତି ବାଣ୍ଟିଲେ ଅସ୍ତରଙ୍ଗ କୃଷ୍ଣଚନ୍ଦ୍ର
ଅସ୍ତରଙ୍ଗ, 4/10: ଓଡ଼ିଶା ସରକାରଙ୍କ ପକ୍ଷରୁ ୫ ଗୋଟି ବଜ୍ରପାତ ପ୍ରବଣ ଜିଲ୍ଲାରେ ଲାଗିବ ତାଳ ଗଛ । ଏନେଇ ତାଳ ଗଛ ରୋପଣକୁ ଆରମ୍ଭ କରିବାକୁ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକକୁ ଓଡିଶା ଉପକୂଳରେ ଦୀର୍ଘ ୧୮ ବର୍ଷ ହେଲା ତାଳଗଛ ରୋପଣ କରୁଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଗୁଣ୍ଡଳବା ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ କୃଷ୍ଣ ଚନ୍ଦ୍ର ବିଶ୍ଵାଳଙ୍କୁ ନିମନ୍ତ୍ରଣ କରାଯାଇଥିଲା । କୃଷ୍ଣ ଚନ୍ଦ୍ର ତାଙ୍କର ତାଳଗଛ ରୋପଣ ଅଭିଜ୍ଞତା ସମ୍ପର୍କରେ ଉପସ୍ଥିତ କୃଷି ବିଭାଗ ଅଧିକାରୀଙ୍କୁ ଜଣାଇବା ସହିତ ରାଜ୍ୟ ସରକାରଙ୍କ ଏ ନିଷ୍ପତିକୁ କୃତଜ୍ଞତା ଜଣାଇଥିଲେ । ଏହି ବୈଠକରେ ପ୍ରମୁଖ ସଚିବ ଶ୍ରୀ ପାଢୀଙ୍କ ସମେତ ଉପସ୍ଥିତ କୃଷି ବିଭାଗ ଅଧିକାରୀମାନେ ତାଳଗଛ ରୋପଣ ପାଇଁ ଶ୍ରୀ ବିଶ୍ଵାଳଙ୍କ ଉତ୍ସର୍ଗୀକୃତ ଜୀବନ ବ୍ୟାପୀ ସାଧନା ପାଇଁ ସମସ୍ତେ ପ୍ରଶଂସା କରିଥିଲେ ।
ସଂରକ୍ଷିତ ଜଙ୍ଗଲ ଓ ବଜ୍ରପାତ ସମ୍ବେଦନଶୀଳ ଅଞ୍ଚଳରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଲାଗିବ ବ୍ୟାପକ ତାଳ ଗଛ । ଗତ ୮ ତାରିଖ ଦିନ ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ କୃଷି ବିଭାଗ ମାଧ୍ୟମରେ ତାଳ ଗଛ ରୋପଣ କରାଯାଇ ବଜ୍ରପାତ ରୋକିବାକୁ ଓଡ଼ିଶା ସରକାର ନିଷ୍ପତି ନେଇଛନ୍ତି ।
ନିଜ ଗ୍ରାମ ସଂଲଗ୍ନ ସଂରକ୍ଷିତ ଜଙ୍ଗଲ, ଆଖପାଖ ଅଞ୍ଚଳ ସମେତ ସମୁଦ୍ର କୂଳରେ ଶ୍ରୀ ବିଶ୍ଵାଳ ତାଳ ଗଛର ସବୁଜ ବନ୍ଧ ତିଆରି କରି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି କାମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ତାଙ୍କୁ ପ୍ରଶଂସା କରିଥିଲେ।
୧୯୮୨ ମସିହାରେ ଭାରତୀୟ ସୈନ୍ୟ ବିଭାଗରେ ଯୋଗ ଦେଇଥିଲେ କୃଷ୍ଣଚନ୍ଦ୍ର। ୧୯୯୯ ମସିହା କାର୍ଗିଲ ଯୁଦ୍ଧରେ ସେ ସଫଳତାର ସହ ନିଜକୁ ସାମିଲ କରିଥିଲେ। ୨୦୦୫ରେ କାର୍ଯ୍ୟରୁ ଅବସର ନେବାପରେ ଅସ୍ତରଙ୍ଗର ଗୁଣ୍ଡଳବାଠାରୁ ଡାଳୁଅକଣି ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ଯାଏଁ ତାଳ ଗଛ ଲଗାଇ ସବୁଜ ବନ୍ଧ ସୃଷ୍ଟି କରିଛନ୍ତି। ଏ ନେଇ ପ୍ରଥମେ
୨୦୨୦ ମଇ ମାସ ୨୩ ତାରିଖରେ ଦୈନିକ “ସମାଜ”ରେ କୃଷ୍ଣଚନ୍ଦ୍ରଙ୍କ ଦୀର୍ଘଦିନର ଏହି ପ୍ରୟାସ ପ୍ରକାଶିତ ହେବାପରେ ସେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ପ୍ରାକୃତିକ ବିପର୍ଯ୍ୟୟରୁ ନିଜ ଗାଁ ଓ ସମୂଦ୍ର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକୁ ରକ୍ଷା କରିବା ତଥା ବନ୍ୟ ଜୀବଜନ୍ତୁ ଓ ପକ୍ଷୀ ମାନଙ୍କୁ ବାସ ଏବଂ ସୁରକ୍ଷା ଦେବା ପାଇଁ ସମୂଦ୍ରଠାରୁ ୧୦୦ମିଟର ଦୂରରେ କୃଷ୍ଣ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ଵ ତାଳ ଗଛ ଲଗାଇଛନ୍ତି । ସଂରକ୍ଷିତ ଜଙ୍ଗଲ ମଧ୍ୟରେ ବନୀକରଣ ପ୍ରକଳ୍ପ ଓ ଅନ୍ୟାନ୍ୟ ସ୍ଥାନୀୟ ବିକାଶ ମୂଳକ କାର୍ଯ୍ୟ ପାଇଁ ଅନେକ ଗଛକୁ କାଟି ଦିଆଯାଇଥିବା ବେଳେ ବିଗତ ଦିନରେ ଅନେକ ଗଛକୁ ନିଆଁ ଲଗାଇ ନଷ୍ଟ କରି ଦିଆଯାଇଛି । ରାଜ୍ୟ ସରକାରଙ୍କ ତାଳ ଗଛ ରୋପଣ ପ୍ରକଳ୍ପ ପାଇଁ କୃଷ୍ଣଚନ୍ଦ୍ରଙ୍କୁ ତାଙ୍କ ଅନୁଭୁତି ବାଣ୍ଟିବାକୁ କୃଷି ବିଭାଗର ନିମନ୍ତ୍ରଣ ଓ ସମ୍ବର୍ଦ୍ଧନା ପାଇଁ ପ୍ରକୃତି ବନ୍ଧୁ ତଥା ଅନ୍ୟତମ ତାଳ ମଣିଷ ସଂସ୍କୃତ ଶିକ୍ଷକ ବିଜୟ କୁମାର ଭଟ୍ଟ , ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାରପ୍ରାପ୍ତ ପରିବେଶ କର୍ମୀ ବିଚିତ୍ରନନ୍ଦ ବିଶ୍ଵାଳ ଓ ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ବ୍ୟକ୍ତିବିଶେଷ କୃଷ୍ଣଚନ୍ଦ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।