
ଲୋକସେବା ଭବନରେ ଆୟୋଜିତ ହେଲା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ
ବର୍ଷା ଋତୁରେ ଆମ ରାଜ୍ୟ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥାଏ । ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ତଥା ସମ୍ପଦର ସୁରକ୍ଷା ପାଇଁ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ସହିତ ପ୍ରଶାସନକୁ ସର୍ବଦା ପ୍ରସ୍ତୁତ ରହିବା ପ୍ରସଙ୍ଗକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ-୨୦୨୪।
ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ଆଇନ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ ଓ ଅନ୍ୟ ମନ୍ତ୍ରୀଗଣ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।
କମିଟିର ସଦସ୍ୟ ମାନଙ୍କ ମତାମତ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ଦୁର୍ବଳ ଥିବା ନଦୀବନ୍ଧ ଏବଂ ଅତୀତରେ ସୃଷ୍ଟି ହୋଇଥିବା ଘାଇକୁ ତୁରନ୍ତ ମରାମତି ପାଇଁ ଜଳସେଚନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରବଳ ବର୍ଷା ଯୋଗୁଁ ସହରାଞ୍ଚଳରେ ବନ୍ୟା ସୃଷ୍ଟି ହୋଇଥିବାରୁ ନଗର ଉନ୍ନୟନ ବିଭାଗ ପୌରାଞ୍ଚଳରେ ଥିବା ଡ୍ରେନ୍ ଗୁଡିକର ପଙ୍କ ଉଦ୍ଧାର କାର୍ଯ୍ୟ ଏବଂ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ଭୁବନେଶ୍ୱର ମହାନଗର ନିଗମ ସହରାଞ୍ଚଳ ବନ୍ୟା ପରିଚାଳନା ନିମନ୍ତେ ୨୦୦ କୋଟି ଟଙ୍କାର ଏକ ପ୍ରସ୍ତାବ ପ୍ରସ୍ତୁତ କରି ଯଥାଶୀଘ୍ର ପ୍ରଦାନ କରିବେ । ଏହାସହିତ କଟକ, ଭୁବନେଶ୍ୱର ଓ ଅନ୍ୟ ସହରାଞ୍ଚଳରେ ବନ୍ୟା ପରିଚାଳନା ନିମନ୍ତେ IIT ଦିଲ୍ଲୀର ବୈଷୟିକ ସହାୟତାରେ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।
ରାଜ୍ୟ, ଜିଲ୍ଲା ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟା କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ସାଧାରଣତଃ ବର୍ଷା ଦିନେ ସାପକାମୁଡାର ଅଧିକ ସମ୍ଭାବନା ରହିଥିବା ହେତୁ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସାପ କାମୁଡା ଇଞ୍ଜେକ୍ସନ (ଆଣ୍ଟି ସ୍ନେକ୍ ଭେନମ୍) ଗଚ୍ଛିତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ସତର୍କ ମୋବାଇଲ୍ ଆପ୍ ମାଧ୍ୟମରେ ଯେପରି ଭାବରେ ଜନସାଧାରଣଙ୍କୁ ବିଭିନ୍ନ ବିପର୍ଯ୍ୟୟ ବିଷୟରେ ଆଗୁଆ ସୂଚନା ଦିଆଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯିବ ଏବଂ ଜନସାଧାରଣଙ୍କ ମଧ୍ୟରେ ଏହି ଆପ୍ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସମଗ୍ର ଦେଶରେ ଓଡ୍ରାଫ୍ ହେଉଛି ପ୍ରଥମ ରାଜ୍ୟସ୍ତରୀୟ Disaster Response Force ଏବଂ ଏହା ସର୍ବ ଭାରତୀୟ ସ୍ତରରେ ମଧ୍ୟ ଶ୍ରେଷ୍ଠ ତେଣୁ ବର୍ତ୍ତମାନ ଏହା ୨୦ ଟି ୟୁନିଟ୍ ଥିବାବେଳେ ଏହାକୁ ୩୦ ଟି ୟୁନିଟ୍ କରିବା ସହ ଏକ Dedicated force କରିବା ନିମନ୍ତେ ଗୃହ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF) ରୁ ୩୯୪ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି କରାଯାଉଛି । ଏଥିପାଇଁ ଆଉ ୨୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯିବ। ଏହାସହିତ ଏ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ସମସ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରିବେ ଏବଂ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି କିପରି ହ୍ରାସ କରାଯିବ ସେଥିପ୍ରତି ସମସ୍ତ ବିଭାଗ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ବୈଠକର ପ୍ରାରମ୍ଭରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମ ରାଜ୍ୟ ଓଡିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଅଟେ । ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ରାଜ୍ୟରେ ବନ୍ୟା ଓ ବାତ୍ୟାର ଆଶଙ୍କା ଅଧିକ ରହିଥିଲେ ମଧ୍ୟ ବଜ୍ରପାତ, ଅଂଶୁଘାତ, ଘୁର୍ଣ୍ଣିଝଡ, ପାଣିରେ ବୁଡି ମୃତ୍ୟୁ, ଅଗ୍ନିକାଣ୍ଡ ଆଦି ଅନ୍ୟାନ୍ୟ ବିପର୍ଯ୍ୟୟମାନ ବର୍ଷ ତମାମ ଲାଗିରହିଥାଏ ।
ସେ କହିଥିଲେ ଯେ ଆମ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ସମସ୍ୟା ପ୍ରତି ଆମେ ସବୁବେଳେ ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ଆସିଛୁ । ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ଯେପରି କୌଣସି ଜୀବନ ହାନୀ ନ ହୁଏ ସେଥି ପ୍ରତି ଗୁରୁତ୍ୱ ଦେଇ ପ୍ରଚଳିତ ବ୍ୟବସ୍ଥାକୁ ଆମକୁ ସୁଦୃଢ କରିବାକୁ ହେବ । ସେଥି ପାଇଁ ଏ ସବୁର ସଫଳ ମୁକାବିଲା ନିମନ୍ତେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ମଧ୍ୟ ନିଆଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । ଅପହଞ୍ଚ ଇଲାକାରେ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଗୋଖାଦ୍ୟ ମହଜୁଦ ରହିବା ଆବଶ୍ୟକ। ସମସ୍ତ ଆଶ୍ରୟସ୍ଥଳୀ ମାନଙ୍କରେ ମଧ୍ୟ ପର୍ଯ୍ୟାପ୍ତ ଶୁଖିଲା ଖାଦ୍ୟ ଏବଂ ଯୋଗାଣ ସାମଗ୍ରୀ ଗଚ୍ଛିତ ରହିବା ଆବଶ୍ୟକ । ଏପରିକି ଗର୍ଭବତୀ ମାଆ, ଶିଶୁ ଏବଂ ରୋଗୀ/ ବୃଦ୍ଧ ମାନଙ୍କର ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ବିଭିନ୍ନ ବିଭାଗ, ଜିଲ୍ଲା ଏବଂ ବ୍ଲକ ମାନଙ୍କରେ ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ସକ୍ରିୟ ଭାବେ କାର୍ଯ୍ୟ କରିବ ବୋଲି ସେ କହିଥିଲେ।
ଆମ ରାଜ୍ୟର ସମସ୍ତ ଜନତା ସେମାନଙ୍କ ଅଞ୍ଚଳର ସମ୍ଭାବ୍ୟ ବିପର୍ଯ୍ୟୟ ସମ୍ବନ୍ଧରେ ସଚେତନ ହେବା ସହ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସଜାଗ ରହିବାକୁ ସେ ପରାମର୍ଶ ଦେଇଥିଲେ । ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାଂସଦ, ବିଧାୟକ ଓ ଅନ୍ୟ ସଦସ୍ୟମାନେ ବୈଠକରେ ସୁଚିନ୍ତିତ ମତାମତ ଦେଇଥିଲେ।