
ମହାନ ଜନନାୟକ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଙ୍କ ପରଲୋକ, ଝୁରୁଛି କାକଟପୁର ଝୁରୁଛନ୍ତି ସମର୍ଥକ,
କାକଟପୁର ତା ୫/୭,ଓଡିଶା ରାଜନୀତି ର ଭୀଷ୍ମ ପିତାମହ,ଓଡ଼ିଶା ରାଜନୀତିର ପ୍ରଜ୍ଞା ପୁରୁଷ,ମହାନ ଜନନାୟକ,ନିଷ୍କଳଙ୍କ ନେତା,ଓଡ଼ିଶା ସରକାରଙ୍କ ପୂର୍ବତନ ଉପବାଚସ୍ପତି, ପଂଚାୟତରାଜ, ରାଜସ୍ବ,ଅବକାରୀ,କୃଷି,ଗଣଶିକ୍ଷା ଓ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇ ଅଣକଂଗ୍ରେସ ରାଜନୀତି ର ପଟ୍ଟପୁରୋଦ୍ଧା ଙ୍କ ଆବର୍ତ୍ତମାନରେ ଓଡ଼ିଶା ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ୯୩ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ସୁରେନ୍ଦ୍ର। କାକଟପୁର ରାଜନୀତିରେ ଜଣେ ଲୋକପ୍ରିୟ ରାଜନେତା ଭାବେ ବେଶ୍ ପରିଚିତ ଥିଲେ ସୁରେନ୍ଦ୍ର। ତେବେ କାକଟପୁରରୁ ସେ ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ଅସ୍ତରଙ୍ଗ ପଂଚାୟତର ଚେୟାରମ୍ୟାନ ଭାବେ ନିଜର ରାଜନୈତିକ କ୍ୟାରିଆର ଆରମ୍ଭ କରିଥିଲେ ସୁରେନ୍ଦ୍ର ନାଥ ନାୟକ। ୧୯୭୧ ମସିହାରେ ସେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୧୯୭୭ ଏବଂ ୧୯୮୫ ମସିହାରେ ଜନତା ପାର୍ଟିରୁ ଟିକେଟ ପାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପରେ ୧୯୯୦ ଜନତା ଦଳରେ , ୧୯୯୫ ଉପନିର୍ବାଚନରେ ଜନତା ଦଳ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୦ ଏବଂ ୨୦୦୪ ମସିହାରେ ବିଜେଡି ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ି କାକଟପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଏଥିସହ ବିଭିନ୍ନ ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ସୁରେନ୍ଦ୍ର ନାୟକ।କାକଟପୁର ରାଜନୀତିରେ ସେ ଥିଲେ ଜଣେ ଟାଣୁଆ ରାଜନେତା। ସରପଞ୍ଚ ଭାବେ ରାଜନୀତି ମୈଦାନକୁ ଓହ୍ଲାଇଥିବା ସୁରେନ୍ଦ୍ର ପରବର୍ତ୍ତୀ ସମୟରେ ଓଡିଶା ସରକାରଙ୍କ ମନ୍ତ୍ରୀ ଭାବେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସୁଚାରୂରୂପେ ତୁଲାଇଥିଲେ। ୧୯୭୭ ମସିହାରେ ସେ ବିଧାନସଭାରେ ଉପବାଚସ୍ପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ପରେ ସେ ୨୦୦୦ ମସିହାରେ ପଂଚାୟତିରାଜ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ଭାର ଗ୍ରହଣ କରିଥିବା ବେଳେ ୨୦୦୨ରେ ସେ ଗଣଶିକ୍ଷା ଓ ୨୦୦୪ରେ କୃଷି ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ବିଭିନ୍ନ ସମୟରେ ପଦବୀରେ ଥାଇ ସେ ଓଡିଶା ପାଇଁ ନିରବଛିନ୍ନ ଭାବେ କାମ କରି ୭ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତେବେ ଆଜି ୯୩ ବର୍ଷ ବୟସରେ ରାଜଧାନୀସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ଏଭଳି ଜଣେ ଧୂରୀଣ ରାଜନେତାଙ୍କୁ ହରାଇ ରାଜ୍ୟ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି। ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ ବିଧାନସଭା ପରିସରକୁ ନିଆଯିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା l ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା କାକଟପୁର ବିଧାୟକ ତୁଷାରକାନ୍ତି ବେହେରା,ସୁରେଶ ରାଉତରାୟ, ପ୍ରଣବ ପ୍ରକାଶ ଦାଶ ଙ୍କ ସମେତ ବରିଷ୍ଠ ମନ୍ତ୍ରୀ, ରାଜନେତା ମାନେ ଶେଷ ଦର୍ଶନ କରିଥିଲେ l ସେଠାରୁ ଶଙ୍ଖ ଭବନ ନିଆଯାଇଥିଲା l ପରେ ତାଙ୍କ ମରଶରୀର କୁ ନିଜ ନିର୍ବାଚନ ମଣ୍ଡଳୀ କୋଣାର୍କ,କାକଟପୁର ର ବିଜେଡି ଦଳୀୟ କାର୍ଯ୍ୟାଳୟରେ ଦିନ ୩ ଘଟିକାରେ ପହଞ୍ଚିବା ପରେ କାକଟପୁର ପ୍ରେସ କ୍ଲବ,ନିଜର ଦଳୀୟ ସମର୍ଥକ, ଶୁଭେଛୁ, ରାଜନେତା, କର୍ମୀ, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ମାନେ ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ସେଠାରୁ ଅସ୍ତରଙ୍ଗ ବ୍ଲକ, ଅସ୍ତରଙ୍ଗ ସ୍ଥିତ ନିଜର ବାସଭବନ,ନିଜର ଜନ୍ମମାଟି ଅସ୍ତରଙ୍ଗ ର ଅଣକଣା ନିଆଯିବା ପରେ ପରିବାର, ଗ୍ରାମବାସୀ ମାନେ ଶେଷ ଦର୍ଶନ କରିଥିଲେ
