ପାବନକ୍ଷେତ୍ର ବାଙ୍କିର ମା ଚର୍ଚ୍ଚିକାଙ୍କ ପୀଠ
ପାବନକ୍ଷେତ୍ର ବାଙ୍କିର ମା ଚର୍ଚ୍ଚିକାଙ୍କ ପୀଠ ଜିଲ୍ଳା –
କଟକ ରାଜା ଇନ୍ଦ୍ରଦ୍ୟୁମ୍ନ ଉତ୍କଳ ଦେଶ ସୀମାରେ ମୁଣ୍ଡମାଳା ବିଭୂଷିତା ଦେବୀ ପୂଜା ପାଉଥିବା ଦେଖି ଦେବର୍ଷି ନାରଦଙ୍କ ଅନୁମତି କ୍ରମେ ରଥରୁ ଓହ୍ଲାଇ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ମୁଣ୍ଡମାଳ-ଚର୍ଚ୍ଚିତା ବୋଲି ଦେବୀଙ୍କ ନାମ ଚର୍ଚ୍ଚିକା । ପରବର୍ତ୍ତୀ କାଳରେ ରାଜା ଇନ୍ଦ୍ରଦ୍ୟୁମ୍ନ କରିଥିଲେ ପୁରୀ ବଡ଼ଦାଣ୍ଡରେ ଚର୍ଚ୍ଚିକା ମୂର୍ତ୍ତି ସ୍ଥାପନା ପୂର୍ବକ ଦେବୀପୂଜାର ସୁବନ୍ଦୋବସ୍ତ। ବିଶ୍ଵାସ ଅଛି, ଚର୍ଚ୍ଚିକାଙ୍କ କରୁଣାରୁ ନିର୍ବିଘ୍ନରେ ରଥନିର୍ମାଣ ହୋଇଥାଏ । ତେଣୁ ରଥଶାଳା ନିକଟରେ ବିରାଜିତା ଦେବୀ ଚର୍ଚ୍ଚିକା । ଦେବୀ ଚର୍ଚ୍ଚିକା ଅଷ୍ଟଭୂଜା ଚାମୁଣ୍ଡା ମୂର୍ତ୍ତି । ସେ ଶବାରୁଢ଼ା । ରଣାସୁରର ଶବ ଉପରେ ବୀରାସନରେ ଅଧିରୁଢ଼ା ଚର୍ଚ୍ଚିକା ବକ୍ଷଦେଶରେ ନରମୁଣ୍ଡମାଳା ବିଭୂଷଣା, ମୁକ୍ତାକେଶୀ, କରାଳବଦନୀ ଓ ଦିଗବସ୍ତ୍ରା । ସେ ଅଷ୍ଟଭୂଜରେ ଖଡ୍ଗ, ସର୍ପ, ଅକ୍ଷମାଳା, ନରମୁଣ୍ଡ, ଶକ୍ତି, ଶୂଳ, ଡମ୍ବରୁ ଓ ଅଭୟମୁଦ୍ରା ଧାରଣ କରିଅଛନ୍ତି । କଟିଦେଶ ସାମାନ୍ୟ ବକ୍ର, ସେଥିପାଇଁ ମା’ ବକ୍ରେଶ୍ୱରୀ, ମା’ଙ୍କ କ୍ଷେତ୍ର ବାଙ୍କୀ ନାମେ ପରିଚିତ ଓ ପ୍ରସିଦ୍ଧ । ମହାନଦୀର ଦକ୍ଷିଣ ପାର୍ଶ୍ଵରେ ବାଙ୍କୀରାଜ୍ୟ ଅବସ୍ଥିତ । ସେହି ରାଜ୍ୟର ଇଷ୍ଟଦେବୀ ଚର୍ଚ୍ଚିକା ରେଣୁକା ନଦୀ ତଟରେ ରୁଚିକଗିରି ଠାରେ ବିରାଜିତା । ପୁରାଣଯୁଗରୁ ଦେବୀ ଚର୍ଚ୍ଚିକା ବାଙ୍କୀରେ ପୂଜିତା । ଓଡ଼ିଶାରେ ଭୌମକର ରାଜତ୍ଵ କାଳରେ ଚାମୁଣ୍ଡା ଉପାସନାର ବ୍ୟାପକ ପ୍ରସାର ଘଟି ଅଗଣିତ ଚାମୁଣ୍ଡାପୀଠ ସୃଷ୍ଟି ହୋଇଥିଲା । ଏହି ସମୟରେ ମହାନଦୀ ଅବବାହିକାରେ ବାଙ୍କୀ ନିକଟରେ ଚାମୁଣ୍ଡାପୀଠ ପ୍ରତିଷ୍ଠିତ ହୋଇ ଦେବୀ ଚର୍ଚ୍ଚିକା ନାମରେ ଖ୍ୟାତିଲାଭ କଲେ । ଅଷ୍ଟମାତୃକା ତଥା ଚୌଷଠୀ ଯୋଗିନୀ ଙ୍କ ମଧ୍ୟରେ ଚର୍ଚ୍ଚିକା ଅନ୍ତର୍ଭୁକ୍ତ । ଗବେଷକଙ୍କ ମତରେ ସପ୍ତମ/ଅଷ୍ଟମ ଶତାବ୍ଦୀରେ ଚର୍ଚ୍ଚିକା ଉପାସନା ଆରମ୍ଭ ହୋଇଥିଲା । ମୂର୍ତ୍ତିତତ୍ତ୍ଵବିଦଙ୍କ ମତରେ ଚର୍ଚ୍ଚିକା ମୂର୍ତ୍ତି ଏହି ସମୟର । ପ୍ରାଚୀନ ମନ୍ଦିରଟି ଭାଙ୍ଗି ଯାଇଥିବାରୁ ବର୍ତ୍ତମାନର ମନ୍ଦିର ବାଙ୍କୀର ଧଳବଂଶୀୟ ରାଜା ନିର୍ମାଣ କରିଥିଲେ । ଆବିର୍ଭାବ ସ୍ଥାନରେ ତାଙ୍କର ନୂତନ ମନ୍ଦିର ନିର୍ମିତ । ମନ୍ଦିରର କାଷ୍ଠମୋହନଟି ଅତୀବ ଆକର୍ଷଣୀୟ । ମନ୍ଦିର କ୍ଷୁଦ୍ର ହେଲେ ହେଁ ଏହାର ମୁଖ୍ୟଶାଳା ରହିଛି । ଗର୍ଭଗୃହରେ ରାଜଲୀଳାସନରେ ଦେବୀ ଦଣ୍ଡାୟାମାନ । ଦେବୀଙ୍କ ଦକ୍ଷିଣ ପାର୍ଶ୍ଵରେ ଚତୁର୍ଭୁଜା ମହିଷମର୍ଦ୍ଦିନୀ ପଶ୍ଚିମାଚଣ୍ଡୀ ମୂର୍ତ୍ତି ପୂଜିତା। ମନ୍ଦିର ସମ୍ମୁଖରେ ଦ୍ଵାଦଶଟି ଖମ୍ବ ଉପରେ ଶୋଭନୀୟ କାଷ୍ଠମଣ୍ଡପ ବିଦ୍ୟମାନ, ଏହା ଶୂନ୍ୟବାହିନୀ ମଣ୍ଡପ । ଏହି ମଣ୍ଡପ ସମ୍ମୁଖ ପୂର୍ବଦିଗରେ ଦୁଇଟି ଶିବମନ୍ଦିର । ଏହି ମନ୍ଦିରଦ୍ଵୟର ଆରାଧ୍ୟ ଶିବ ହେଉଛନ୍ତି ସପନେଶ୍ବର ଓ କୁସୁମେଶ୍ୱର । ଶିବମନ୍ଦିର ସମ୍ମୁଖରେ ଅନ୍ୟ ଏକ କାଷ୍ଠମଣ୍ଡପ ରହିଛି । ଚର୍ଚ୍ଚିକାଙ୍କ ମନ୍ଦିର ନିକଟରେ ନୀଳକଣ୍ଠେଶ୍ଵର ଓ ଗତୀଶ୍ଵର ଶିବଲିଙ୍ଗ ମଧ୍ୟ ପୂଜା ପାଇଛନ୍ତି । ମନ୍ଦିର ପରିସରରେ ପରବର୍ତ୍ତୀ କାଳରେ ମଙ୍ଗଳା ମନ୍ଦିର, ରଘୁନାଥ ମନ୍ଦିର, ତ୍ରିନାଥ ମନ୍ଦିର, ସନ୍ତୋଷୀମାତା ମନ୍ଦିର ଓ ଜଗନ୍ନାଥ ମନ୍ଦିର ନିର୍ମିତ । ମନ୍ଦିର ବେଢ଼ାରେ ପାଦଚିହ୍ନ ଥିବା ପଥରଟିଏ ବିଦ୍ୟମାନ। ଏହା ପର୍ଶୁରାମଙ୍କ ପାଦଚିହ୍ନ ବୋଲି ଲୋକବିଶ୍ଵାସ । ସମଗ୍ର କ୍ଷେତ୍ରଟି ପର୍ଶୁରାମ କ୍ଷେତ୍ର ନାମରେ ମହିମାମଣ୍ଡିତ । ପ୍ରତିଦିନ ଦେବୀ ଚର୍ଚ୍ଚିକାଙ୍କ ପୂଜାର୍ଚ୍ଚନା ମାଳୀମାନେ କରିଥା’ନ୍ତି । ଅବଶ୍ୟ ନୈମିତ୍ତିକ ପୂଜା ଓ ପର୍ବପର୍ବାଣୀରେ ବ୍ରାହ୍ମଣମାନେ ପୂଜା କରନ୍ତି । ଚାମୁଣ୍ଡା ତନ୍ତ୍ରବିଧିରେ ଦେବୀ ଚର୍ଚ୍ଚିକାଙ୍କ ପୂଜା କରାଯାଏ । ପ୍ରତ୍ୟହ ପହଡ଼ ଫିଟିବା ପରେ ଜୟମଙ୍ଗଳ ଆଳତି ହୋଇଥାଏ । ଏହାପରେ ଠାକୁରାଣୀଙ୍କୁ ମାଜଣା ଓ ବେଶ କରାଯାଇ ବାଳଭୋଗ ଲାଗି ହୁଏ । ବାଳଭୋଗରେ ଉଖୁଡ଼ା, କଦଳୀ ଓ ଅନ୍ୟାନ୍ୟ ଫଳ ଭୋଗ କରାଯାଏ । ସକାଳ ୯ଟାରେ ଖେଚୁଡ଼ି ଓ ବ୍ୟଞ୍ଜନ ଭୋଗ କରାଯାଏ । ଏହା ଦେବୀଙ୍କର ସକାଳଧୂପ । ସଳାଳଧୂପ ପରେ ଭକ୍ତଗଣ ମାଆଙ୍କ ଦର୍ଶନ କରିଥାନ୍ତି । ଦ୍ବିପ୍ରହର ୧ଟା ସମୟରେ ମନ୍ଦିର ଧୂଆହୋଇ ମଧ୍ୟାହ୍ନ ଧୂପ ହୁଏ । ମଧ୍ୟାହ୍ନ ଧୂପରେ ଅନ୍ନ, କ୍ଷୀରି, କାକରା ଓ ବ୍ୟଞ୍ଜନ ନୈବେଦ୍ୟ ହୁଏ । ଏହା ପରେ ଦେବୀଙ୍କର ଦିନପହୁଡ଼ ହୋଇଥାଏ । ପହୁଡ଼ ଫିଟିଲେ ଟେରାପଣା ଲାଗି ହୁଏ । ପରେ ପରେ ଦେବୀଙ୍କର ସନ୍ଧ୍ୟା ଆଳତି କରାଯାଏ । ରାତ୍ରିରେ ଦହିପଖାଳ ଓ ବ୍ୟଞ୍ଜନଭୋଗ କରାଯାଏ । ପରେ ପରେ ଅଧରପଣା ଓ ବଡ଼ସିଂହାର ଭୋଗ ହୋଇ ପହଡ଼ ପଡେ । ଏହା ତନ୍ତ୍ରପୀଠ ହୋଇଥିବାରୁ ବଳିପ୍ରଥା ପ୍ରଚଳନ, କିନ୍ତୁ କାର୍ତ୍ତିକ, ବୈଶାଖ ଓ ମାଘମାସରେ ବଳି ପ୍ରଦାନ କରାଯାଏ ନାହିଁ । ଆଶ୍ୱିନ ମାସର ଶାରଦୀୟ ଦୁର୍ଗୋତ୍ସବ ହେଉଛି ଦେବୀଙ୍କର ମୁଖ୍ୟ ପର୍ବ । ଏହା ତାନ୍ତ୍ରିକ ଓ ବୈଦିକ ଉଭୟ ବିଧିର ସମ୍ମିଶ୍ରଣରେ କରାଯାଏ । ପ୍ରତ୍ୟହ ଚଣ୍ଡୀପାଠ, ହୋମ, ତର୍ପଣ ଓ ଜପ ସହିତ ଷୋଡ଼ଶ ଉପଚାର ପୂଜା ହୋଇଥାଏ । ମହାଷ୍ଟମୀରେ ରାତିମାଜଣା ପରେ ବାଙ୍କୀ ରାଜାଙ୍କ ପ୍ରଦତ୍ତ ମେଷବଳି ପ୍ରଦାନ କରାଯାଏ । ପରେ ପରେ ପଣ୍ଡାବଳି ଅର୍ଥାତ ମହାପଶୁବଳି ପ୍ରଦାନ କରାଯାଏ । ତନ୍ତ୍ରୋକ୍ତ ବିଧିରେ ଷୋଡ଼ଶ ଦିବସ ବ୍ୟାପୀ ପୂଜା ସହିତ କବଚ, କୀଳକ ଓ ସହସ୍ରନାମ ପାଠ ହୁଏ । ପ୍ରତ୍ୟହ ରାମାୟଣ ପାଠ ଏହି ପୀଠର ଏକ ମହନୀୟ ପରମ୍ପରା । ମନେହୁଏ ଏହା ପରବର୍ତ୍ତୀ କାଳରେ ସଂଯୋଜିତ । ଆଶ୍ୱିନ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମାରେ ଦେବୀ କୁମାରୀବେଶ ରେ ପୂଜା ପାଇଥାନ୍ତି । ଶାରଦୀୟ ଦୁର୍ଗୋତ୍ସବ ବ୍ୟତୀତ ମକର ସଂକ୍ରାନ୍ତି ଓ ମହାବିଷୁବ ସଂକ୍ରାନ୍ତି ଏଠାରେ ମହାସମାରୋହରେ ପାରମ୍ପରିକ ବିଧିରେ ପାଳନ କରାଯାଏ । ଚର୍ଚ୍ଚିକାଙ୍କ ପୀଠରେ ଦୋଳପୂର୍ଣ୍ଣମୀ ପର୍ବ ପାଳନର ସ୍ଵାତନ୍ତ୍ର୍ୟ ରହିଛି । ଦୋଳପୂର୍ଣ୍ଣିମା ତିଥିରେ ଚର୍ଚ୍ଚିକାଙ୍କର ଘଟ ପ୍ରତିଷ୍ଠା ହୁଏ l ଏହି ଘଟ ହିଁ ପ୍ରତ୍ୟକ୍ଷ ଚର୍ଚ୍ଚିକା ବୋଲି ଭକ୍ତମାନଙ୍କର ବିଶ୍ଵାସ l ଏହି ଘଟ ଶୋଭାଯାତ୍ରାରେ ଘଣ୍ଟ, କାହାଳୀ, ତୁରୀ, ଭେରୀ ଓ କୀର୍ତ୍ତନ ସହ ପାର୍ଶ୍ଵବର୍ତ୍ତୀ ଗ୍ରାମମାନଙ୍କରେ ପରିକ୍ରମା କରାଯାଏ । ସଭିଏଁ ଘଟକୁ ଭୋଗ ଦିଅନ୍ତି । ଏହାକୁ ଚାଚେରୀ ଭୋଗ କୁହାଯାଏ । ଦୋଳପୂର୍ଣ୍ଣିମା ଠାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଘଟ ପରିକ୍ରମା ଓ ଚାଚେରୀ ଭୋଗ ଅବ୍ୟାହତ ରହେ । ମହବିଷୁବ ସଂକ୍ରାନ୍ତିରେ ଚର୍ଚ୍ଚିକାଙ୍କ ପୀଠରେ ଝାମୁଯାତ୍ରା ହୁଏ । ଏହି ଯାତ୍ରାରେ ହଜାର ହଜାର ଭକ୍ତ ଯୋଗ ଦେଇଥାନ୍ତି । ମାନସିକଧାରୀମାନେ ଚର୍ଚ୍ଚିଳାଙ୍କୁ ସ୍ମରଣ କରି ଝାମୁନିଆଁରେ ଚାଲନ୍ତି । ପୀଠରେ ଶ୍ରୀରାମନବମୀ ମଧ୍ୟ ମହାସମାରୋହରେ ପାଳନ କରାଯାଏ । ଜଗଜ୍ଜନନୀ ଚର୍ଚ୍ଚିକା ଓଡ଼ିଆଙ୍କ ଜନଜୀବନରେ ପ୍ରତ୍ୟକ୍ଷ ଦେବୀ ସ୍ଵରୂପରେ ମହିମାମଣ୍ଡିତା ! ଜଗନ୍ନାଥ ସଂସ୍କୃତିରେ ଅବର୍ଣ୍ଣନୀୟ ଉପସ୍ଥିତି ଦେବୀ ଚର୍ଚ୍ଚିକାଙ୍କର ! ଓଡ଼ିଆଙ୍କ ଇଷ୍ଟଦେବୀଙ୍କୁ କୋଳରେ ଧରି ବାଙ୍କୀଗଡ଼ ଆଜି କେଡ଼େ ପବିତ୍ର ! ସେଇ ମା’ର ପଦ ପ୍ରକ୍ଷାଳନ କରି ମହାନଦୀ ସତେ ମହନୀୟା ।