ଦାସେ ଆପଣେ ଙ୍କ ଜନ୍ମ ଦିବସରେ ଶାଶ୍ଵତ ଟିଭି ର ଭକ୍ତି ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି…..
“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାନ୍ତୁ ପିଠିରେ,
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଢ଼
ପୁରୁ ତହିଁ ପଡି ମୋ ମାଂସ ହାଡ଼”
– ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ
ଆଜି ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୪ ତମ ଜୟନ୍ତୀ ପାଳନ ଅବସରର ଅନେକ ଅନେକ ଶୁଭେଚ୍ଛା । ଏକା ଧାରାରେ ଜଣେ ସ୍ୱାଧିନତା ସଂଗ୍ରାମୀ, କବି, ଲେଖକ ଭାବରେ ପରିଚିତ। ଦୈନିକ ଖବର କାଗଜ ସମାଜ ଏବଂ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ ଗୋପବନ୍ଧୁ ଦାସ।
ଭୁବନେଶ୍ଵର- ପୁରୀ ଜାତୀୟ ରାଜପଥର ପତାନାଇକିଆ ଛକଠାରୁ ବାମ ପଟକୁ ୬.୫ କିଲୋମିଟର ଗଲେ ପଡ଼େ ଗୋପବନ୍ଧୁଙ୍କ ଜନ୍ମ ପୀଠ ସୁଆଣ୍ଡୋ ।
ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପିତା ଦୈତାରି ଦାସ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।
ମାତାଙ୍କ ମୃତ୍ୟୁ ପରେ, ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ। ସେଠାରେ ତାଙ୍କର ଗୁରୁ ମୁକ୍ତିଆର ରାମଚନ୍ଦ୍ର ଦାସଙ୍କ ସହିତ ପରିଚୟ ହେଲା, ଯାହଙ୍କ ଠାରୁ ପରେ ସେ ଦେଶ ସେବାର ଶିକ୍ଷା ପାଇଥିଲେ।ଗୋପବନ୍ଧୁଙ୍କ ଦ୍ୱାରା ସେତେବେଳେ, ହଇଜା ରୋଗରେ ପୀଡ଼ିତ ଲୋକମାନଙ୍କର ସେବା ପାଇଁ ପୁରୀ ସେବା ସମିତି ପ୍ରତିଷ୍ଠା କରାଯାଇଥିଲା। ପୁରୀ ସେବା ସମିତି ଗଠନ କରି, ସେ ଆପଣା ଜୀବନକୁ ବିପନ୍ନ କରି ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ। ଗୋପବନ୍ଧୁ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରି ରଖିଥିଲେ। ପୁରୀରୁ ମାଟ୍ରିକ ପାସ କରି କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ। ଏହି ସମୟରେ ତାଙ୍କର ପିତୃ ବିୟୋଗ ଘଟିଥିଲା। କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଗୋପବନ୍ଧୁ, “କର୍ତ୍ତବ୍ୟ ବୋଧିନୀ ସମିତି” ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ।ତାଙ୍କ ଆହ୍ୱାନ ଥିଲା, ‘ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା। ଭାଷା ହିଁ ଜାତିର ପ୍ରାଣ ସ୍ପନ୍ଦନ। ରମ୍ଭାଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା।
୧୯୦୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ର ସନ୍ତାନର ମୃତ୍ୟୁ ଘଟିଥିଲା। ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ କଲେ ଓ କଲିକତାରେ ବିଏଲ ପଢ଼ିଲେ। ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଏବଂ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ। ଇତି ମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା। ଏପରିକି, ଯେଉଁଦିନ ସେ ବିଏଲ ପାସ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା। ଏତେ ସବୁ ଦୁଃଖ, କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରି ପାରିନଥିଲା।ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା ।
ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ ପ୍ରମୁଖ ପଞ୍ଚସଖା ମିଶି ସତ୍ୟବାଦୀ କୁ ଏବଂ ଓଡ଼ିଶାକୁ ଶିକ୍ଷିତ କରିବା ପାଇଁ ପୁଣ୍ୟତୋୟା ନଦୀ ଭାର୍ଗବୀ କୂଳରେ ମା ତାରିଣୀଙ୍କ ମନ୍ଦିରରେ ନଦୀ ବାଲି ଧରି ଶପଥ କରିଥିଲେ ଏବଂ ଖାଲିପାଦରେ ଚାଲି ଚାଲି ଆସି ସତ୍ୟବାଦୀ ର ବକୁଳ ବନରେ ଏକାଠି ହୋଇ ଗଢିଥିଲେ ମଣିଷ ତିଆରି କାରଖାନା ସତ୍ୟବାଦୀ ବନବିଦ୍ୟାଳୟ।
ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା।୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ଘଟିଥିବା ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା। ସେ ଚୁଡ଼ା, ଚାଉଳ ଧରି ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିବା ସହ ମାନବ ସେବାରେ ଲାଗି ପଡ଼ିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନ ସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ୧୯୨୧ ମସିହାରେ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପରବର୍ତ୍ତୀ ସମୟରେ ସେହି ପଞ୍ଚସଖାଙ୍କ ଉଦ୍ୟମରେ ସେଠାରେ ନିର୍ମାଣ ହୋଇଥିଲେ ସତ୍ୟବାଦୀ ବିଦ୍ୟାଳୟ।ପୁରୁଣା ସ୍ମୃତିକୁ ସାଇତି ରଖିବାକୁ ଯାଇ ଆଜିବି ସତ୍ୟବାଦୀ ବିଦ୍ୟାଳୟ ପରିସରରେ ରହିଛି ପ୍ରଥମେ ଚାଳ ଘରେ ପ୍ରତିଷ୍ଠିତ ବିଦ୍ୟାଳୟର ସ୍ମୃତି।
ମହାତ୍ମା ଗାନ୍ଧୀଙ୍କର ପୁରୀ ଆଗମନ କାଳରେ ଗୋପବନ୍ଧୁ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ସତ୍ୟବାଦୀ ର କାଦୁଆ ଛକ ନିକଟରେ 1929 ନଭେମ୍ବର 24 ତାରିଖରେ ‘ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ‘ ପ୍ରତିଷ୍ଠା କରିଥିଲେ , ଏଠାରେ ଚରଖାରେ ସୂତା କଟାଯାଇ ଖଦି ବସ୍ତ୍ର ବୁଣା ଯିବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଧନ୍ଦା ମୂଳକ ଶିକ୍ଷା ଦିଆଯାଉ ଥିଲା।
ଦେଶ ବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଓଡ଼ିଶାର ମଣି ଗୋପବନ୍ଧୁ ଦାସଙ୍କ ର 1928 ଜୁନ 17 ତାରିଖରେ ତାଙ୍କ କର୍ମ ଭୂମି ସତ୍ୟବାଦୀ ବିଦ୍ୟାଳୟ ପରିସରରେ ପରଲୋକ ଘଟିଥିଲା।
ବକୁଳ ବନ ଠାରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା ଏବଂ ପଞ୍ଚସଖାଙ୍କ ନିଷ୍ପତି କ୍ରମେ ପରବର୍ତ୍ତୀ ମୁହୂର୍ତ୍ତରେ ଗୋପବନ୍ଧୁ ଦାସଙ୍କ ସମାଧି ନିକଟରେ ତାଙ୍କ ଆଉ ଚାରି ସଖାଙ୍କର ଅନ୍ତିମ ସତ୍କାର କରାଯାଇ ସେମାନଙ୍କ ସମସ୍ତଙ୍କ ସ୍ମୃତି ଉଦ୍ଦେଶ୍ୟରେ ପଞ୍ଚସଖା ସ୍ମୃତି ପିଠ ନିର୍ମାଣ କରାଯାଇଥିଲା। ଏହି ଧାରା ଧାମ ରୁ ଚାଲିଯାଇଛନ୍ତି ସତ ହେଲେ ଆଜିବି ସେହି ଗୋପନ୍ଧୁ ଦାସ ଙ୍କ ସେବା ଆଦର୍ଶ ପ୍ରତିଟି ଦେଶ ବାସୀଙ୍କ ପାଇଁ ଆଦର୍ଶ ହୋଇ ରହିଯାଇଛି।
ଗୋପବନ୍ଧୁ ଦାସଙ୍କ ଚାରି ସଖା ତାଙ୍କୁ ଶ୍ରଦ୍ଧାରେ “ଦାସେ ଆପଣେ ” ବୋଲି ସମ୍ବୋଧନ କରି ଡାକୁଥିଲେ ତେଣୁ ଜନ ମାନସ ରେ ସେ ଆଜିବି ସଭିଙ୍କ ଅତିପ୍ରିୟ ” ଦାସେ ଆପଣେ” ଭାବରେ ଚିର ନମସ୍ୟ ହୋଇ ରହିଯାଇଛନ୍ତି।