
ଅତ୍ୟଧିକ ଗଛକଟା ଦ୍ଵାରା ବଢୁଛି ତାପମାତ୍ରା, ସରକାରଙ୍କ ଅଙ୍କୁଶ ନାହିଁ ।
କାକଟପୁର-୫ /୭ ପରିବେଶରେ ବ୍ୟତିକ୍ରମ ଗ୍ଳୋବାଲ ଓ୍ବାରମିଙ୍ଗର ପ୍ରଭାବ କାକଟପୁର ବ୍ଳକ ଚାଷୀଙ୍କ ଉପରେ ପ୍ରତିଫଳିତ ହେବା ଦ୍ଵାରା ଚଳିତ ବର୍ଷଚାଷ କାର୍ଯ୍ୟରେ ବିଳମ୍ବ ସୃଷ୍ଟି କରିଛି। କାକଟପୁର ବ୍ଳକରେ ସବୁଜ ବଳୟର ହ୍ରାସ ପାଇଁ ବିଶେଷ କରି ସରକାରୀ ବିଭାଗୀୟ ଅଧିକାରୀ ମାନେ ଦାୟୀ ବୋଲି ସାଧାରଣରେ ଅଭିଯୋଗ ହେଉଛି।ଏ ଅଞ୍ଚଳରେ ବେଆଇନ ଭାବେ ଗଢିଉଠିଥିବା କରତକଳ କୁଟୀର ଶ୍ଲିପରେ ପରିଣତ ହୋଇ ବୃକ୍ଷ ଛେଦନକୁ ଉତ୍ସାହିତ କରୁଛି।ବନବିଭାଗ ଓ ରାଜସ୍ବ ବିଭାଗର ଅଗୋଚରରେ ପୁରାତନ ଅମ୍ଲଯାନ ସୃଷ୍ଟିକାରୀ ବୃକ୍ଷ ଛେଦନ ଯୋଗୁଁ ଉପକୂଳବର୍ତ୍ତୀ କାକଟପୁର ଓ ଅସ୍ତରଙ୍ଗରେ ଏହାର ପ୍ରଭାବ ପରିଲକ୍ଷିତ ହେଉଛି।ଯାହା ଫଳରେ ପ୍ରବଳ ଉତାପ ସାଙ୍ଗକୁ ବୃଷ୍ଟିପାତରେ ଅନିୟମିତତାର ପ୍ରଭାବ ଚାଷ ଉପରେ ପଡୁଛି।ଏ ଅଞ୍ଚଳର ଜୀବନ ଜୀବିକା କେବଳ ବିଭିନ୍ନ ପ୍ରକାର ଚାଷ ଉପରେ ନିର୍ଭର କରେ।ଜଙ୍ଗଲପଦା ହେବା ଦ୍ଵାରା ମୃତ୍ତିକାର ଅବକ୍ଷୟ,ଫସଲ ଅନିଷ୍ଟ କାରୀ ମାଙ୍କଡ,ହରିଣ,ବାରହା ପ୍ରଭୃତି ଜୀବଙ୍କ ଯୋଗୁଁ ଚାଷୀ ଆଉ ଚାଷ ଉପରେ ନିର୍ଭର ନ କରି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖାଯାଉଛି।ଫଳରେ ସ୍ଥାନୀୟ ଅଞ୍ଚଳରେ ବେକାରୀ ସମସ୍ୟା ସାଙ୍ଗକୁ ଏଠିକାର ଗ୍ରାମ୍ୟ ଅର୍ଥନୀତି ଉପରେ ପ୍ରଭାବ ପଡୁଛି।କେତେକ ଯୁବକ ଦାଦନରୁ ବିଫଳ ହୋଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ଚିନ୍ତାଶୀଳ ବ୍ୟକ୍ତିମାନେ ପ୍ରକାଶ କରିଛନ୍ତି। ଅଭିଯୋଗ କଲେ ମଧ୍ୟ ବନବିଭାଗ ଅଧିକାରୀ ହୁଅନ୍ତୁ କିମ୍ବା ସ୍ଥାନୀୟ ରାଜସ୍ବ ବିଭାଗ ଅଧିକାରୀମାନେ ଅଭିଯୋଗକାରୀର ଅଭିଯୋଗ ଉପରେ ଗୁରୁତ୍ବ ନ ଦେଇ ବିକଳ୍ପ ପନ୍ଥା ଆପଣାଇ ନିଜର ଅର୍ଥନୀତିରେ ଉନ୍ନତି ଆଣୁଛନ୍ତି। ଯେହେତୁ ଏ ଅଞ୍ଚଳରେ ସ୍ଲିପାୟନର ସୁବିଧା ନାହିଁ ତେଣୁ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ, ପୁରୀ ଜିଲ୍ଲାପାଳ ଓ ବିଧାୟକ ଦୃଷ୍ଟିଦେଇ ଗଛକାଟ ଉପରେ ରୋକ ଲଗାଇବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ଚାପ ସୃଷ୍ଟି କରିବାକୁ ଦାବି ହେଉଛି। ରାଜ୍ୟ ସରକାର ବ୍ଳକ କୃଷି ଓ ଉଦ୍ୟାନ ବିଭାଗ ମାଧ୍ୟମରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ କୌଶଳ ପ୍ରୟୋଗ କରି ସ୍ଥାନୀୟ ଯୁବକ ମାନଙ୍କର ଚାଷ ପ୍ରତି ଉତ୍ସାହ ସୃଷ୍ଟି କାରିବାକୁ ସାଧାରଣରେ ଦାବୀ ହୋଇଛି l