
ପାର୍ବଣ ପୂର୍ବରୁ କାକଟପୁର ପୋଲିସକୁ ଅପରାଧିଙ୍କ ଖୋଲା ଚ୍ୟାଲେଞ୍ଜ, ଅନଲାଇନ ସଂସ୍ଥା ଫ୍ଲିପକାର୍ଟ ଅଫିସରୁ ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା, ମୋବାଇଲ ଲୁଟ
କାକଟପୁର: ତା ୭/୧୦/୨୦୨୪
ଶାରଦୀୟ ପାର୍ବଣ ପୂଜାର ଅବ୍ୟବହିତ ପୂର୍ବରୁ ପୁରୀଜିଲ୍ଲା କାକଟପୁର ଥାନା ପୋଲିସକୁ ଅପରାଧି ମାନେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି l ଅଭିଯୋଗ ଅନୁଯାୟୀ ଗତ ରବିବାର ରାତ୍ର ୧୦ ଘଟିକା ସମୟରେ କାକଟପୁର ବଜାର ଠାରୁ ଅନତି ଦୂରରେ ବଲରା ଛକ ଠାରେ ଥିବା ଫ୍ଲିପକାର୍ଟ ଅଫିସ ରେ ୨ ଜଣ ଦୁର୍ବୁତ୍ତ ମୁଣ୍ଡରେ ହେଲମେଟ, ମୁଁହରେ ମୁଖା ଏବଂ ହାତରେ ବନ୍ଧୁକ ଧରି ଅଫିସ ଭିତରକୁ ପଶି ଡ୍ୟୁଟିରେ ଥିବା କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲକ୍ଷାଧିକ ଟଙ୍କା, ୨ ଟି ମୋବାଇଲ ଫୋନ ଏବଂ ସିସିଟିଭି ଡିଭିଆର ନେଇ ଖସି ଚାଲିଯାଇଥିଲେ l ଘଟଣାକୁ ନେଇ କାକଟପୁର ଥାନା ପୋଲିସ ଫ୍ଲିପକାର୍ଟ ଅଫିସ ର କର୍ମଚାରୀ ନିକଟସ୍ଥ ତେନ୍ତୁଳିଆ ଗ୍ରାମର ସୁନୀଲ ମହାପାତ୍ରଙ୍କ ଠାରୁ ଲିଖିତ ଅଭିଯୋଗ ପାଇବାପରେ ଘଟଣା ସ୍ଥଳରେ ଛାନଭିନ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର ପାଇନଥିଲା l ଘଟଣା ସ୍ଥଳରେ ପୁରୀ ସାଇଣ୍ଟିଫିକ ଟିମ ଏବଂ ସାଇବର ଏକ୍ସପର୍ଟ ପହଞ୍ଚି ତଦନ୍ତ କରି ଫେରିଥିବାବେଳେ,ଏ ସଂକ୍ରାନ୍ତରେ ଥାନା କେଶ ନମ୍ବର 204/24 ଏବଂ ଦଫା 331(6),309(6),ବିଏନଏସ 2023/25/27 ଆର୍ମସ ଆକ୍ଟ ରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ତଦନ୍ତକାରୀ ଅଧିକାରୀ ସବ-ଇନ୍ସପେକ୍ଟର ପ୍ରିୟଦର୍ଶୀନି ବରାଳ ସୂଚନା ଦେଇଛନ୍ତି l ଏଠାରେ ସୂଚନା ଥାଉକି ଗତ ସେପ୍ଟେମ୍ବର ମାସ ୧୬ ତାରିଖ ସନ୍ଧ୍ୟା ୭ ଘଟିକା ସମୟରେ ଉକ୍ତ ଥାନା ଅଧିନସ୍ଥ କୁଣ୍ଢେଇ ହାଟ ଛକ ଠାରେ ଥିବା ସାହୁ ଜୁଏଲାରୀ ର ମାଲିକ ନିରଞ୍ଜନ ସାହୁଙ୍କୁ ୨ ଜଣ ଦୁର୍ବୁତ୍ତ ଗୁଳି କରି ଖସିଯିବା ଏବଂ 20 ଦିନ ବିତିଯାଇଥିଲେ ମଧ୍ୟ ଅପରାଧିଙ୍କ ଟେର ପାଇନଥିବାବେଳେ ଆଉ ଏକ ବନ୍ଧୁକ ମୁନରେ ଲୁଟ ଘଟଣା କାକଟପୁର ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l