
ମଙ୍ଗଳା ମନ୍ଦିରରେ ଗହ୍ମାପର୍ବ ପାଳିତ
କାକଟପୁର ତା 30/08, ପ୍ରତିବର୍ଷ ଭଳି ଚଳିତ ବର୍ଷ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ପବିତ୍ର ଗହ୍ମାପର୍ବ ପାଳିତ ହୋଇଯାଇଛି l ଏହି ଗହ୍ମାପୂର୍ଣ୍ଣମୀ ଦିନ ପ୍ରଭୂ ବଳଭଦ୍ର ଗହ୍ମା ନାମ୍ନୀ ଏକ ରାକ୍ଷସକୁ ବଧ କରିଥିବାରୁ ଏହି ପର୍ବ ଗହ୍ମାପର୍ବ ବା ଗହ୍ମା ପୂର୍ଣ୍ଣିମା ନାମରେ ନାମିତ ହୋଇଛି l ଉକ୍ତ କିମ୍ବଦନ୍ତୀକୁ ଆଧାର କରି ମା ମଙ୍ଗଳାଙ୍କ ମନ୍ଦିରର ଉତ୍ତର ଦ୍ୱାରରେ ଗହ୍ମା ରାକ୍ଷସର ଏକ ମୁଣ୍ମୟୀ ପ୍ରତିମାକୁ ପୂଜା କରାଯାଇଥାଏ l ସେଠାରେ ଶାନ୍ତି ହୋମ, ବନ୍ଦାପନା, ଆଳତି ଆଦି ନୀତି ସମାପନ କରାଯାଇଥାଏ l କାହିଁ କେତେ କାଳରୁ ପ୍ରଚଳିତ ଉକ୍ତ ପରମ୍ପରାକୁ ନେଇ ଏକ ଲୋକକଥା ରହିଛି ଯେ ଗହ୍ମା ରାକ୍ଷସର ମୂର୍ତ୍ତିର ମାଟିକୁ ବାଡ଼ିରେ ଲାଗିଥିବା ବିଭିନ୍ନ ଫଳ ଓ ପନିପରିବା ଗଛର ମୂଳରେ ଦେଲେ ଗଛ ହୃଷ୍ଟପୁଷ୍ଟ ହେବା ସହିତ ପ୍ରଚୁର ଫଳ ପ୍ରଦାନ କରିଥାଏ l ସେଥିପାଇଁ ମାତୃଭକ୍ତ ଓ ଶ୍ରଦ୍ଧାଳୁ ମାନେ ଉକ୍ତ ମାଟିକୁ ନେଇ ନିଜ ନିଜର ବାଡ଼ି ବଗିଚାରେ ଲାଗିଥିବା ବିଭିନ୍ନ ଗଛମୂଳେ ଦିଅନ୍ତି lଏହି କାର୍ଯ୍ୟକୁ ମନ୍ଦିର ପୁରୋହିତ ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ପୂଜପଣ୍ଡା ଶରତ ଦୀକ୍ଷିତ ପରିଚାଳନା କରିଥିଲେ