
ଶୀତ ର ପ୍ରକୋପ ରୁ ରକ୍ଷା ପାଇବା ପାଇଁ ମା ମଙ୍ଗଳା ଙ୍କୁ ଘୋଡଲାଗି ବେଶ କରାଯାଇଥାଏ
କାକଟପୁର (ତୁଷାର ଦୀକ୍ଷିତ ) 18 /12 : ଶ୍ରୀ ଜଗନ୍ନାଥ ସଂସ୍କୃତି ସହିତ ଓତପ୍ରୋତଃ ଭାବେ ଜଡିତ ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଶ୍ରୀ ମନ୍ଦିର ପରି ବାର ମାସରେ ତେର ପର୍ବ ପାଳିତ ହୋଇଥାଏ । ଏହି ପର୍ବ ମାନଙ୍କ ମଧ୍ୟରୁ ଘୋଡଲାଗି ନୀତି ଅନ୍ୟତମ। ଶୀତର ପ୍ରକୋପ ବୃଦ୍ଧି ପାଇଲେ ଦେବା ଦେଵୀ ମାନଙ୍କୁ ବି ଶୀତ ର ପ୍ରଭାବ ପଡେ ବୋଲି ବିଭିନ୍ନ ପୁରାଣ ରେ ଉଲ୍ଲେଖ ରହିଛି । ଏଥିପାଇଁ ଶୀତ ଋତୁ ରେ ଶ୍ରୀ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ , ଦେବୀ ମା ସୁଭଦ୍ରା ଏବଂ ବଡ଼ ଠାକୁର ଶ୍ରୀ ବଳଭଦ୍ର ଙ୍କ ଶରୀରକୁ ଖଦି କାଣ୍ଟିଆ ଦ୍ୱାରା ଆବରଣ କରାଯାଇଥାଏ। ଏହାକୁ ଘୋଡଲାଗି ବେଶ ବୋଲି କୁହାଯାଇଥାଏ। ମାର୍ଗଶିର ମାସ ର ଓଡ଼ଣ ଷଷ୍ଠୀ ଠାରୁ ବସନ୍ତ ପଞ୍ଚମୀ ଅର୍ଥାତ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ଏହି ଘୋଡ ଲାଗି ବେଶ ଅନୁଷ୍ଠିତ ହୋଇଥାଏ। ସେହିପରି ମା ମଙ୍ଗଳା ମନ୍ଦିରରେ ବି ଆଜି ଠାରୁ ଘୋଡଲାଗି ବେଶ ପରମ୍ପରା ଆରମ୍ଭ ହୋଇଛି। ମା ମଙ୍ଗଳା ଙ୍କ ସାରା ଶରୀର କୁ କାଣ୍ଟିଆ ଦ୍ୱାରା ପ୍ରସ୍ତୁତ ଘୋଡ଼ କୁ ପୂଜା ପଣ୍ଡା ପ୍ରକାଶ ପଣ୍ଡା ଲାଗି କରିଛନ୍ତି। ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଘୋଡ଼ କୁ ମା ଙ୍କ ସାରା ଶରୀରକୁ ଆବରଣ କରି ମାତୃ ଭକ୍ତମାନଙ୍କ ଦର୍ଶନ ନିମନ୍ତେ କେବଳ ମା ଙ୍କ ମୁଖମଣ୍ଡଳ କୁ ଖୋଲା ରଖା ଯାଇଥାଏ। ମା ମଙ୍ଗଳlଙ୍କୁ ଓ ଶ୍ରୀକ୍ଷେତ୍ର ଧାମ କୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ଭକ୍ତ ମାନେ ଦର୍ଶନ କରି କୋଟି ପୂଣ୍ୟ ଅର୍ଜନ କରିଥାନ୍ତି। ଏହା ସହିତ ମଙ୍ଗଳା ମନ୍ଦିର ବେଢା ରେ ପାର୍ଶ୍ଵ ଦେବା ଦେବୀ ଭାବେ ପୂଜା ପାଉଥିବା ଜଗନ୍ନାଥ, ଚାମୁଣ୍ଡା, ଗଣେଶ, ନୃସିଂହ, ବିରଞ୍ଚି ନାରାୟଣ, ଯଜ୍ଞ ନାରାୟଣ, କାକଟେଇ, ଗ୍ରାମେଶ୍ବର,ମା ଶ୍ୟାମାକାଳୀ ଙ୍କୁ ମଧ୍ୟ ଘୋଡ ଲାଗି କରାଯାଇଛି । ଏହି ବେଶ ଆସନ୍ତା ଶ୍ରୀ ପଞ୍ଚମୀ ରେ ଶେଷ ହେବ ବୋଲି କହିଛନ୍ତି ମା ମଙ୍ଗଳା ଙ୍କ ସେବକ ତୁଷାର ରଞ୍ଜନ ଦିକ୍ଷୀତ