
ଓଡିଆ ସଂସ୍କୃତିରେ ମାଣବସା ଗୁରୁବାର
କାକଟପୁର (ତୁଷାର ଦୀକ୍ଷିତ ) ତା 20/12, ଆଜି ମାର୍ଗଶୀର ମାସର ଚତୁର୍ଥ ତଥା ଶେଷ ଗୁରୁବାର l ପ୍ରଭୁ ଜଗନ୍ନାଥଙ୍କ ପାଟରାଣୀ ମା’ ଲକ୍ଷ୍ମୀ, ଧନ ଓ ଐଶ୍ଵର୍ଯ୍ୟର ଅଧିଷ୍ଟାତ୍ରି ଦେବୀ ମା’ ଲକ୍ଷ୍ମୀ ତେଣୁ ଏହିଦିନ ଓଡିଆ ସଂସ୍କୃତି ଓ ପରମ୍ପରା ଅଷ୍ଟଲକ୍ଷ୍ମୀଙ୍କ ମଧ୍ୟରେ ଧାନ୍ୟ ଲକ୍ଷ୍ମୀଙ୍କୁ ମାର୍ଗଶିର ମାସ ଗୁରୁବାରରେ ଉପାସନା କରିବାର ବିଧି ରହି ଆସିଛି |ଏହି ଦିନ ମାଣପୂର୍ଣ୍ଣ ଧାନ ଶସ୍ୟକୁ ଧାନ୍ୟ ଲକ୍ଷ୍ମୀ ଭାବେ ପୂଜା କରାଯାଏ | ଓଡିଶାର ଘରେ ଘରେ ପାଳିତ ହେଉଥିବା ସମସ୍ତ ପର୍ବପର୍ବାଣି ମଧ୍ୟରେ ମାଣବସା ଗୁରୁବାରର ସ୍ଵତନ୍ତ୍ର ବୈଶିଷ୍ଟ୍ୟ ରହିଛି |ସମଗ୍ର ହିନ୍ଦୁ ସମାଜରେ ଲକ୍ଷ୍ମୀପୂଜା ପ୍ରଚଳିତ | କିନ୍ତୁ ମାର୍ଗଶିର ମାସ ମାଣବସା ଗୁରୁବାର କେବଳ ଓଡିଆ ମାନଙ୍କ ଏକାନ୍ତ ନିଜସ୍ଵ ପର୍ବ | ମାର୍ଗଶିର ମାସ ଗୁରୁବାର ମା ଲକ୍ଷ୍ମୀଙ୍କ ବାର | ବ୍ରାହ୍ମଣ,ଚାଣ୍ଡାଳ ସବୁ ଓଡିଆ ଘରେ ଏହି ପର୍ବ ପାଳନ କରାଯାଏ l ଜାତି-ଅଜାତିର ଭେଦ ଭାବ ଏହି ପୂଜାରେ ନାହିଁ | ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ମା ଙ୍କୁ ଆବାହନ କରାଯାଏ | ଏହିଦିନ ଓଡିଆ ଗୃହିଣୀ ମାନେ ଝୋଟି , ଚିତା , ଧାନଶିଶା , ଆଙ୍ଗୁଳି ଚିତା ଆଦି ପକାଇ ପାରମ୍ପରିକ ଢଙ୍ଗରେ ଘରକୁ ସଜାଇ ଥାନ୍ତି |ସେହିପରି ମା ଙ୍କ ନିକଟରେ ଲାଗି ହେଉଥିବା ପ୍ରସାଦ ମଧ୍ୟ ଓଡିଆଙ୍କ ନିଜସ୍ଵ ରନ୍ଧଣାର ନିଚ୍ଛକ ନିଦର୍ଶନ | ଶାଗ , ଭଜା, ଦହି ପଖାଳ, ମଧୁରୁଚି , ଆମ୍ବିଳ, ସରପୁଳି , ଅଟକାଳି , ଆରିସା ପିଠା , ବେସର, ମହୁର , ମଣ୍ଡା, ଛେନା ନଡିଆ ପୁର ଦିଆ କାକରା ଇତ୍ୟାଦି ଓଡିଆ ଘର ବ୍ୟତୀତ ଅନ୍ୟ କେଉଁଠି ଦେଖିବାକୁ ମିଳେନାହିଁ | ଗୃହିଣୀଙ୍କ ରୂପରେ ମା ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇଛି | କାହିଁ କେଉଁ ଅନାଦି କାଳରୁ ମା’ଙ୍କୁ ଧନଧାନ୍ୟ , ସ୍ନେହ , ବାତ୍ସଲ୍ୟ , ଦୟା , କ୍ଷମାର ପ୍ରତୀକ ରୂପେ ବିବେଚନା କରାଯାଇଛି | ପ୍ରତିଟି ଓଡିଆ ଘରେ ମାର୍ଗଶିର ମାସ ପ୍ରତ୍ୟେକ ଗୁରୁବାର ବ୍ରତ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରାଯାଏ | ଓଡିଆଙ୍କର ସମୃଦ୍ଧ ସାମାଜିକ ଓ ଆଧ୍ୟାତ୍ମିକ ଚଳଣି ଏଥିରୁ ସ୍ପଷ୍ଟ ବାରି ହୋଇ ପଡେ |