
ଆଜି ଶ୍ରୀଜିଉଙ୍କ ସୁନାବେଶ: ମହଣମହଣ ସୁନାରେ ଝଲସିବେ ମହାବାହୁ
ପୁରୀ: ବୁଧବାର ଆଷାଢ଼ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ସୁନାବେଶ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ରଥାରୂଢ଼ ଦାରୁବିଗ୍ରହ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ଅପୂର୍ବ ବେଶ ଲାଗି ଏଥର ଶ୍ରୀମନ୍ଦିର ପରିସର ଅସ୍ଥାୟୀ ବାହାର ଭଣ୍ଡାର (ଚାଙ୍ଗଡ଼ା ଘର)ରୁ ବାହାରିବ ମହଣମହଣ ସୁନା ଓ ରୁପା ଅଳଙ୍କାର। ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବେ ଦାରୁବ୍ରହ୍ମ। ବୁଧବାର ପୂର୍ବାହ୍ନରେ ଅସ୍ଥାୟୀ ବାହାର ରତ୍ନଭଣ୍ଡାର (ଚାଙ୍ଗଡା ଘର) ଖୋଲାଯିବ।
ସେଥିରୁ ସୁନାବେଶ ଲାଗି ଆବଶ୍ୟକ ଅଳଙ୍କାର ବାହାର କରାଯିବ। ଭଣ୍ଡାରମେକାପ ଓ ବଣିଆଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିକ ସଫା ହେବ। ରଥ ଉପରେ ମହାପ୍ରଭୁଙ୍କ ମଇଲମ ଓ ଏକାଦଶୀ ସର୍ବାଙ୍ଗ ନୀତି ବଢ଼଼ିବା ପରେ ଅପରାହ୍ଣ ୫ଟାରୁ ସୁନାବେଶ ଆରମ୍ଭ ହେବ।