
ଆଜିଠୁ ଏପ୍ରିଲ 7 ଯାଏଁ ପୁଣି ବର୍ଷା
ମଧ୍ୟାହ୍ନରେ ପ୍ରବଳ ତାତି । ଅପରାହ୍ନରେ ପ୍ରବଳ ବର୍ଷା । କିଛି ସ୍ଥାନରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ବହୁଛି ପବନ । କୁଆପଥର ବର୍ଷାରେ ବେହାଲ ହେଉଛି ଜନଜୀବନ । ଟ୍ରପଲାଇନ୍ ପ୍ରଭାବରେ ସାରା ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଛି । ଆଜି ରାତିରୁ ରାଜ୍ୟରେ ଆଉ ଏକ ପଶ୍ଚିମା ଝଡ ସକ୍ରିୟ ହେବାକୁ ଯାଉଛି ।
ଯାହାର ପ୍ରଭାବରେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ସମେତ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ବିଶେଷ କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ମାଲକାନଗିରିରେ ଘଡଘଡି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ୩ ତାରିଖରୁ ୪ ତାରିଖ ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଭଦ୍ରକ, ଯାଜପୁର, କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ଏହି ବର୍ଷା ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।
ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିଛି । ତେବେ ଏପ୍ରିଲ ୧୫ ତାରିଖରୁ ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ହିଟଓ୍ବେଭ୍ କଣ୍ଡିସନ୍ ବି ସୃଷ୍ଟି ହୋଇପାରେ ବୋଲି ଆଇଏମ୍ଡି ଆକଳନ କରିଛି । ଦୀର୍ଘ ଅବଧି ଆକଳନ ହିସାବରେ ଓଡ଼ିଶାର ଅଧିକାଂଶ ସ୍ଥାନକୁ ରେଡ ମାର୍କ ଜାରି କରାଯାଇଛି । ଯଦି ପଶ୍ଚିମା ଝଡର ପ୍ରଭାବ କମିଯାଏ ତେବେ ଅସ୍ବାଭାବିକ ଭାବରେ ତାପମାତ୍ରା ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।