
ସରକାରୀ ଯୋଜନାରେ କୋଠଘର ଅର୍ଥ ହଡପ ଅଭିଯୋଗ, ଥାନାରେ ଏତେଲା।
କାକଟପୁର 14/୪କାକଟପୁର ବ୍ଳକ ଅନ୍ତର୍ଗତ କାକଟପୁର ଗ୍ରାମପଞ୍ଚାୟତରେ ଗୋଷ୍ଠୀ କେନ୍ଦ୍ର ଓ ଆମ ଗାଁ ଆମ ବିକାଶ ଯୋଜନାରେ କୋଠଘର ପାଇଁ ଆସିଥିବା ଲକ୍ଷାଧିକ ଅନୁଦାନ ରାଶିକୁ ଜାଲ କାଗଜପତ୍ର ତୟାର କରି ହଡପ କରିଥିବା ଅଭିଯୋଗ ଆଣି କାକଟପୁର ଥାନାରେ ବ୍ଳକ ପ୍ରଶାସନ ବିରୋଧରେ ଏତେଲା ହୋଇଛି।ଏତେଲା ମୁତାବକ କାକଟପୁର ତହସିଲ ଅଧିନରେ ଥିବା ଶ୍ରୀରାମପୁର ମୌଜା ଖାତା ନଂ-୨୯୧,ପ୍ଳଟ ନଂ-୧୬୬ରେ କୌଣସି ଗୋଷ୍ଠୀ କେନ୍ଦ୍ର ତିଆରି କରାଯାଇ ନାହିଁ। ସେହିପରି ସି/ଆର ନଂ ୧୬୮/୨୦୧୮/୧୯, ଆମ ଗାଁ ଆମ ବିକାଶ ଯୋଜନାରେ ଶ୍ରୀରାମପୁର କୋଠଘର ଗତ୨୯.୮.୧୮ ରେ କାର୍ଯ୍ୟ ଆରମ୍ଭ କରାଯାଇ ୨୩.୪.୨୦୨୧ ରେ ସମାପ୍ତ ହୋଇଥିବା ପ୍ରମାଣପତ୍ର ସୂଚନା ଅଧିକାର ବଳରେ ପ୍ରାପ୍ତି ହେଲା ପରେ ଜଣାପଡିଲା କି ବାସ୍ତବରେ କୋଠଘର ନିର୍ମାଣ କରାଯାଇ ନାହିଁ।ଉକ୍ତ ଚଞ୍ଚକତା ବିଷୟ ଜାଣିବା ପରେ ପୁରେନ୍ଦ୍ର କୁମାର ନାୟକ କାକଟପୁର ଥାନାରେ ପୂର୍ବତନ ଆସିଷ୍ଟାଣ୍ଟ ଇଂଜିନିୟର, ପୂର୍ବତନ କନିଷ୍ଠ ଯନ୍ତ୍ରୀ, ବର୍ତ୍ତମାନର ବ୍ଳକ ଉନ୍ନୟନ ଅଧିକାରୀ, ଓ ବର୍ତ୍ତମାନର କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଏତେଲା ଦେଇ ଭାରତୀୟ ଦଣ୍ଡବିଧି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।ଏହି ଏତେଲାର ନକଲ ଜିଲ୍ଲାପାଳ ପୁରୀ,ପ୍ରକଳ୍ପ ନିର୍ଦ୍ଦେଶକ ପୁରୀ,ଡିପିଓ ପୁରୀ, ଏବଂ ଏସପି ପୁରୀଙ୍କ ଅବଗତି ନିମନ୍ତେ ପଠାଇ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।