

ପୁରୀ :ତା ୨୩/୦୨/୨୦୨୪ – ଶ୍ରୀମନ୍ଦିର ଦକ୍ଷିଣ ପଶ୍ଚିମ କୋଣରେ କପାଳମୋଚନ ମହାଦେବଙ୍କ ପୁରାତନ ମନ୍ଦିର ରହିଛି । କୁହାଯାଏ, ମହାଦେବ ବ୍ରହ୍ମାଙ୍କର ପଞ୍ଚମ ମସ୍ତକ ଛେଦନ କରିବାରୁ ତାଙ୍କ କପାଳଟି ଶିବଙ୍କ ହସ୍ତରେ ଲାଗି ରହିଥିଲା । ସେ ପୁରୁଷୋତମ କ୍ଷେତ୍ରକୁ ଆସି ସେହି କପାଳରୁ ମୁକ୍ତ ହୋଇଥିଲେ । ତେଣୁ ଏଠାରେ ପୂଜିତ ହେଉଥିବା ମହାଦେବ କପାଳ ମୋଚନ ନାମରେ ପରିଚିତ ।
ଶ୍ରୀକ୍ଷେତ୍ର ମଧ୍ୟରେ ଥିବା ପଞ୍ଚ ମହାଦେବଙ୍କୁ ପଞ୍ଚ ପାଣ୍ଡବ ବୋଲି କୁହାଯାଏ । ଶ୍ରୀ କପାଳମୋଚନ ମହାଦେବଙ୍କୁ ଚତୁର୍ଥ ପାଣ୍ଡବ ନକୁଳ ଭାବେ ବିବେଚନା କରାଯାଏ । ଏହି ମନ୍ଦିର ନିକଟରେ ଏକ ପୁରାତନ ତୀର୍ଥ ରହିଛି । ଯାହା ମଣିକର୍ଣ୍ଣିକା ତୀର୍ଥ ନାମରେ ପରିଚିତ । ମାଦଳା ପାଞ୍ଜି ଅନୁଯାୟୀ ଅନଙ୍ଗ କେଶରୀ ଶ୍ରୀକପାଳ ମୋଚନଙ୍କ ଏହି ଦେଉଳ ନିର୍ମାଣ କରିଥିଲେ ।
କିନ୍ତୁ ବଡ ଦୁଃଖର ବିଷୟ ଯେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଉଦ୍ଘାଟନ ପର ଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଲିଥଲେ ମଧ୍ଯ ଗତକାଲି ରାତ୍ରରେ ଶ୍ରୀ ଶ୍ରୀ କପାଳ ମୋଚନ ମହାଦେବ ମନ୍ଦିର ପ୍ରାଙ୍ଗଣ ରେ ଥିବା ପୁରାତନ ପଥର ନିର୍ମିତ ପ୍ରଭୁ ନୃସିଂହ ମୂର୍ତ୍ତି ନିଖୋଜ ହୋଇଯାଇଛି । ଆଜି (ତା ୨୩/୦୨/୨୦୨୪ – ଶୁକ୍ରବାର) ସକାଳ ସମୟରେ ଦ୍ବାର ଖୋଲି, ଠାକୁରଙ୍କ ନୀତି କରିବା ପାଇଁ ମନ୍ଦିର ଚତୁଃପାର୍ଶ୍ବ ରେ ଭ୍ରମଣ କରିବା ସମୟରେ ପୂଜକ ରଘୁନାଥ ପଣ୍ଡାଙ୍କ ଦୃଷ୍ଟି ହଠାତ ପଥର ମୂର୍ତ୍ତି ଟି ନଥିବା ଉପରେ ପଡିଲା । ଏହି ବିଷୟ ନେଇ ପୂଜକ ରଘୁନାଥ ପଣ୍ଡା ପୁରୀ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ଠାରେ ଏକ ଲିଖତ ଅଭିଯୋଗ କରିଛନ୍ତି। ଏହି ଚୋରି ଘଟଣା ପରେ ଶ୍ରୀମନ୍ଦିର ନିକଟସ୍ଥ ପୁରାତନ କୀର୍ତ୍ତିରାଜିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।