
ରେଳ ଓଭରବ୍ରିଜ୍ ପାଇଁ ଜନ ଶୁଣାଣି
ସାକ୍ଷୀଗୋପାଳ : ୨୯.୨.୨୪ (ସିଂହାରୀ ଆଲୋକ ଖୁଣ୍ଟିଆ)-ସାକ୍ଷୀଗୋପାଳ ବଜାର ମଧ୍ୟରେ ହେବାକୁ ଥିବା ପ୍ରତିକ୍ଷୀତ ରେଳ ଓଭରବ୍ରିଜ୍ ପାଇଁ ଆରମ୍ଭ କରାଯାଇଛି ପ୍ରକ୍ରିୟା ଏହି ଅବସରରେ ଅଧିଗ୍ରହଣ ହେବାକୁ ଥିବା ରାସ୍ତାର ଦୁଇ ପାଖର ବ୍ୟବସାୟୀ ଏବଂ ବାସିନ୍ଦାଙ୍କୁ ନେଇ ହେଇଛି ଜନ ଶୁଣାଣି।
ପୁରୀ ଜିଲ୍ଲା ସତ୍ୟବାଦୀ ତହସିଲ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତ ଓ ଜୟପୁର ଗ୍ରାମ ପଞ୍ଚାୟତ ର ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ହେଇଛି ଜନ ଶୁଣାଣି।
ପେଣ୍ଠପଡା ପଞ୍ଚାୟତ ପାଇଁ ଦିବା-୧୧ ଘଟିକାରେ ପେଣ୍ଠପଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ଜୟପୁର ପଞ୍ଚାୟତ ପାଇଁ ଦିବା-୩ ଘଟିକାରେ ସତ୍ୟବାଦୀ ବ୍ଲକ ଛକ ନିକଟ ବାଟମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାସ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିବା ସହ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସତ୍ୟବାଦୀ ଅଞ୍ଚଳରେ ଗମନା ଗମନରେ ଅସୁବିଧା ଦୂରହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପେଣ୍ଠପଡାରେ ମୋଟ ୧୪୫ ଜଣ ଓ ଜୟପୁରରେ ୪୦ଜଣ ପ୍ରଭାବିତ ବ୍ୟକ୍ତି ଉପସ୍ଥିତ ରହିଥିଲେ ।
ଭୂ-ଅର୍ଜନ ଅଧିକାରୀ ଶ୍ରୀ ନିରଞ୍ଜନ ବାରିକ , ଗୋଷ୍ଠି ଉନ୍ନୟନ ଅଧିକାରୀ ଲିପ୍ସା ରାୟ, ଅତିରିକ୍ତ ତହସିଲଦାର ପ୍ରିୟଦର୍ଶୀ ରାଜେଶ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମାନସ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ଦ୍ଵାରା ପ୍ରାଧିକୃତ ସଂସ୍ଥା ଲାଇଫ ଏକାଡେମି ଅଫ ଭୋକେସନାଲ ଷ୍ଟଡିଜର ଅଧିକାରୀ ମାନେ ଚିଠା ସାମାଜିକ ପ୍ରଭାବ ଆକଳନ ଉପସ୍ଥାପନ କରିଥିଲେ । ଚିଠା ସାମାଜିକ ପ୍ରଭାବ ଉପରେ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ ଓ ଜୟପୁର ସରପଞ୍ଚ ଶ୍ରୀମତୀ ଆରାଧନା ସାମନ୍ତରାୟ ନିଜର ମତ ପ୍ରକାଶ କରିଥିଲେ । ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ କ୍ଷତିଗ୍ରସ୍ତକୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ ।
ଜନ ସାଧାରଣ ଏବଂ ସାକ୍ଷୀଗୋପାଳ ମନ୍ଦିର ସେବାୟତ ଏହାକୁ ସ୍ୱାଗତ କରିଥିବା ବେଳେ କିଛି ବ୍ୟବସାୟୀ ପ୍ରଥମେ ଉଚିତ୍ କ୍ଷତି ପୂରଣ ସହିତ ଥାଇଥାନ ବ୍ୟବସ୍ଥା ଏବଂ ପରେ ଉଚ୍ଛେଦ କରିବାକୁ ଦାବି କରିଥିଲେ