
ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ,
କାକଟପୁର(ତୁଷାର ଦୀକ୍ଷିତ )ତା ୯/୭, କାକଟପୁର ବ୍ଲକ ଅଧିନସ୍ଥ କାହାଳ(ଇସମାଇଲପୁର )ଗ୍ରାମର ବ୍ଲକ କଂଗ୍ରେସର ବରିଷ୍ଠ ନେତା ଜୟକୃଷ୍ଣ ବିଶ୍ୱାଳଙ୍କ ଗତ ଶନିବାର ସନ୍ଧ୍ୟା ୭ ଘଟିକା ସମୟରେ 74 ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପରଲୋକ ଘଟିଯାଇଛି l ଶନିବାର ସକାଳେ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତୁରନ୍ତ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ କୁ ନେଇଯାଇଥିଲେ l ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୁର୍ତ୍ୟୁ ଘଟିଥିଲା l ମୁର୍ତ୍ୟୁଶଯ୍ୟା ନିକଟରେ ତାଙ୍କର ଧର୍ମପତ୍ନୀ ଜ୍ୟେଷ୍ଠପୁତ୍ର ତନ୍ମୟ,କନିଷ୍ଠ ପୁତ୍ର ଜିତେନ୍ଦ୍ର, ପୁତ୍ରବଧୂ, ନାତିନାତୁଣୀ ମାନେ ଉପସ୍ଥିତ ଥିଲେ l ତାଙ୍କ ମୁର୍ତ୍ୟୁ ଖବର ପ୍ରଚାରିତ ହେବା ପରେ ବ୍ଲକ କଂଗ୍ରେସ ର ବହୁ ଟାଣୁଆ ନେତା, କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ, ଜିଲ୍ଲା କଂଗ୍ରେସ ଯୁବ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ, ଅବଧୁତ ସ୍ୱାଇଁ, ବିପିନ ବିହାରୀ ମହାନ୍ତି ପ୍ରମୁଖ ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ l ସ୍ୱର୍ଗତ ବିଶ୍ୱାଳ ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ l ତାଙ୍କ ପାର୍ଥିବ ଶରୀରକୁ ଏକ ବିରାଟ ପଟୁଆରରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା l ଜ୍ୟେଷ୍ଠ ପୁତ୍ର ତନ୍ମୟ ବିଶ୍ୱାଳ, କନିଷ୍ଠ ପୁତ୍ର ଜିତେନ୍ଦ୍ର ବିଶ୍ୱାଳ ମୁଖାଗ୍ନି ଦେଇଥିବାବେଳେ ସମସ୍ତ ଶୁଭେଛୁ, ବନ୍ଧୁପରିଜନ ଓ ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ତାଙ୍କ ମୁତ୍ୟୁ ରେ ସାରା ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l