
ଅଙ୍ଗନୱାଡି ଲେଡିଜ୍ ୱାର୍କରସଙ୍କ ବିକ୍ଷୋଭ
ନୟାଗଡ଼:୧୮/୦୩/୨୦୨୫ (ଭାସ୍କର ଚନ୍ଦ୍ର ସ୍ୱାଇଁ) – ଭାରତୀୟ ମଜଦୁର ସଂଘ ସଲଗ୍ନ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆଶୋସିଏସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୧୦ ଦଫା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଛି । ନୟାଗଡ଼ ଖେଳ ପଡିଆ ଠାରୁ ଅଙ୍ଗନୱାଡି କର୍ମୀ ମାନେ ଵିକ୍ଷୋଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ନୟାଗଡ଼ ଜିଲ୍ଲା ଅଙ୍ଗନୱାଡି ସଂଘର ସଭାପତି ଜ୍ୟୋସ୍ନାମୟୀ ପଣ୍ଡା ଓ ସମ୍ପାଦିକା ଗୀତାଞ୍ଜଳି ସେଠୀଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା । ସେମାନଙ୍କର ୧୦ ଦଫା ଦାବି ଗୁଡିକ ହେଲା – ୫୦ ବର୍ଷ ହେଲା ସ୍କିମ ୱାର୍କରସ ନାଁରେ ଅଙ୍ଗନୱାଡି କର୍ମୀ ଓ ସହକର୍ମୀଙ୍କୁ ଶୋଷଣ କରାଯାଉଛି । ତେଣୁ ପ୍ରୋଜେକ୍ଟକୁ ଉଚ୍ଛେଦ କରାଯାଉ ଓ ନୂତନ ନିୟମ ପ୍ରଣୟନ କରି ସମସ୍ତ କର୍ମୀ ଓ ସହକର୍ମୀଙ୍କୁ ରେଗୁଲାର କରାଯାଉ । ସୁପର ଭାଇଜର ପଦବୀରେ ପାସିଙ୍ଗ ଇଅର ସିନିଅରଟି ଅଧାରରେ କର୍ମୀଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ । ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ଘୋଷଣା କରାଯାଉ । ଯେ ପର୍ଯ୍ୟନ୍ତ ସେମାନଙ୍କୁ ସରକାରୀ କର୍ମଚାରୀ କରା ନଯାଇଛି ସେ ପର୍ଯ୍ୟନ୍ତ ପ୍ରତ୍ୟେକ କର୍ମୀଙ୍କୁ ମାସିକ ୧୮୦୦୦ ଟଙ୍କା ଦିଆଯାଉ । ଅଭିଜ୍ଞତାକୁ ନେଇ ପ୍ରତ୍ୟେକ ବର୍ଷ ଅଙ୍ଗନୱାଡି କର୍ମୀ ଇନକ୍ରିମେଣ୍ଟ ଦିଆଯାଉ । ଗତ ନିର୍ବାଚନ ସମୟରେ ନିର୍ବାଚନୀ ଇସ୍ତାହରରେ ଉଲେଖ କରିଥିବା ବର୍ଦ୍ଧିତ ସହାୟତା ରାଶିକୁ ସଙ୍ଗଠନ ସହିତ ଆଲୋଚନା କରାଯାଇ ତୁରନ୍ତ ଲାଗୁ କରାଯାଉ । ୨୦୧୮ ମସିହାରୁ ଆଜି ପର୍ଯ୍ୟନ୍ତ ଗରମ ରନ୍ଧା ଖାଦ୍ୟ (ଏସଏନପି) ର ମୂଲ୍ୟ ବୃଦ୍ଧି ହୋଇନାହିଁ ତେଣୁ ତୁରନ୍ତ ଗରମ ରନ୍ଧା ଖାଦ୍ୟର ମୁଲ୍ୟ ରିଭାଇଜ କରାଯାଉ । ୨୦୨୧ ରୁ ଦେଇ ନଥିବା ଅବସର କାଳିନ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ । ଜିକେଏସ ର ଆବାହିକା ପଦବୀରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦିଆଯାଉ । ମାତୃ ବନ୍ଦନା ଯୋଜନା (ମମତା ଯୋଜନା) ର ଇନସେଣ୍ଟିଭ ୫୦୦ ଟଙ୍କାକୁ ବୃଦ୍ଧି କରାଯାଉ । ପୋଷଣ ଟ୍ରେକର ସମସ୍ତ କାର୍ଯ୍ୟକୁ ଠିକ ଭାବରେ କରିବା ପାଇଁ ୫-ଜି ମୋବାଇଲ ସହିତ ନେଟ ପ୍ୟାକ ବାବଦକୁ ବାର୍ଷିକ ୪୦୦୦ ଟଙ୍କା ପ୍ରଦାନ କରାଯାଉ ।