
ଓଡ଼ିଶାରେ ସମ୍ପୁର୍ଣ୍ଣ ଗୋହତ୍ୟା ବନ୍ଦ ନିମନ୍ତେ ଦାବିପତ୍ର
ପୁରୀ , ତା ୨୮.୦୩.୨୦୨୫ରିଖ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଓଡ଼ିଶା ମାଟିକୁ ଗୋହତ୍ୟା କଳଙ୍କରୁ ମୁକ୍ତ କରିବା ପାଇଁ ଜନସ୍ଵର ତୀବ୍ର ହୋଇଛି । ବିଧାନସଭାରେ ଆଗତ ଗୋହତ୍ୟା ନିଷେଧ ଓ ଗୋ ସଂରକ୍ଷଣ ବିଲ୍ କୁ ତୁରନ୍ତ ପାରିତ କରି ଆଇନ ରେ କାର୍ଯ୍ୟକାରୀ କରିବାପାଇଁ ଦାବି ଜୋର ଧରିଛି । ନିକଟ ଅତୀତରେ ଲୋକଲୋଚନକୁ ଆସିଥିବା ତିଗିରିଆ ବାରମଣ ଜଙ୍ଗଲର କୁଢ଼ କୁଢ଼ ଗୋରୁ ହାଡ଼ର ପାହାଡ଼,ମଟନ୍ ବଦଳରେ ଗୋମାଂସ କାରବାର , ବର୍ଦ୍ଧିତ ଗୋହତ୍ୟା, ଗୋ ଚାଲାଣ ଓ ଗୋମାଂସ ଚାଲାଣ ଘଟଣାକୁ ନେଇ ସମସ୍ତ ଗୋଭକ୍ତ ମାନେ କ୍ଷୋଭ ବ୍ୟକ୍ତ କରିବା ସହିତ ରାଜ୍ୟ ସରକାର ଏହାକୁ ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଆଜି କଟକର ବିଭିନ୍ନ ଆଧ୍ୟାତ୍ମିକ, ସାମାଜିକ ଓ ଗୋସେବା ସଂଗଠନ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ଓଡ଼ିଶାରେ ଗୋହତ୍ୟାକୁ ସମ୍ପୂର୍ଣ୍ଣ ନିଷେଧ କରିବା, ଗୋ ଚାଲାଣ,ଗୋମାଂସ ଚାଲାଣ ଉପରେ ଅଙ୍କୁଶ ଲଗାଇ ଗୋ ଅତ୍ୟାଚାର ଓ କ୍ରୁରତାକୁ ରୋକିବା ତଥା ରାଜ୍ୟରେ ଗୋଧନ ସଞ୍ଚାଳନ ପାଇଁ ଓଡ଼ିଶା ଗୋ ସେବା ଆୟୋଗ ଗଠନ ପୂର୍ବକ ଓଡ଼ିଶା ଗୋହତ୍ୟା ନିଷେଧ ଓ ଗୋ ସଂରକ୍ଷଣ ବିଲ୍ ୨୦୨୪ କୁ ତୁରନ୍ତ ବିଧାନସଭାରେ ପାରିତ କରିବା ଇତ୍ୟାଦି ଦାବିପତ୍ର ମାଧ୍ୟମରେ ସରକାରଙ୍କୁ ନିବେଦନ କରାଯାଇଛି। ଦାବି ପୂରଣ ନହେଲେ ଆଗକୁ ଗୋରକ୍ଷାର୍ଥେ ଜନ ଆନ୍ଦୋଳନ ତେଜିବା ସହିତ ଆଇନକୁ ହାତକୁ ନିଆଯିବ ଓ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ପୁରୀର ଶ୍ରୀ ଜଗନ୍ନାଥ ଗୋସେବା ଟ୍ରଷ୍ଟ ,ସମ୍ଭାବନା ସେବା ପରିଷଦ , ଶାଶ୍ଵତ ଫାଉଣ୍ଡେସନ, ଇତ୍ୟାଦି ଅନୁଷ୍ଠାନ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
