
ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ପ୍ରହସନରେ ପରିଣତ
କାକଟପୁର ତା 17/04,ସୋମବାର ଦିନ କାକଟପୁର ବ୍ଲକ ଅଞ୍ଚଳରେ ଜନସାଧାରଣଙ୍କ ସୁବିଧା, ଅସୁବିଧା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଜନସାଧାରଣଙ୍କ ନିକଟରେ ଠିକ ଭାବରେ ପହଞ୍ଚିଛି କି ନାହିଁ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଆସୁଛି l ମାତ୍ର କାକଟପୁର ବ୍ଲକ ପରିସରରେ ଆଜି ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ସ୍ଥାନୀୟ ଜନପ୍ରତିନିଧି, ଅଞ୍ଚଳବାସୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଜଣାଇନଥିବାବେଳେ ଅତି ତରବରିଆ ଭାବେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଏହି କାର୍ଯ୍ୟ ତୁଲାଇଥିଲେ l ଯେଉଁ ଅଞ୍ଚଳବାସୀ ମାନେ କୌଣସି ସୂତ୍ରରୁ ଖବର ପାଇ ବ୍ଲକ ପରିସରରେ ରୁଣ୍ଡ ହୋଇ ମାଳ ମାଳ ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳଙ୍କ ଆଗରେ ଥୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ସନ୍ତୋଷ ଜଣକ ଉତ୍ତର ଦିଆଯାଇନଥିଲା l ଅଭିଯୋଗ କାରୀ ଙ୍କ ମଧ୍ୟରୁ ପ୍ରାୟ 50 ଟି ଅଭିଯୋଗ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦିଆଯାଇଥିବାବେଳେ ସେଥିରୁ ବ୍ଲକରେ ମନରେଗା କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ ସାଙ୍ଗକୁ ଆବାସ ଗୃହ, ଭତ୍ତାରେ ଅନିୟମିତତା, କାର୍ଯ୍ୟ ନହୋଇ ବିଲ କରାଯିବା ଆଦି ମାଳ ମାଳ ଅଭିଯୋଗ କୁ ଅତିରିକ୍ତ ଜିଲ୍ଲାପାଳ ସାମ୍ନା କରି ନପାରି ଅପ୍ରସ୍ତୁତ ହୋଇପଡ଼ିଥିଲେ l ବ୍ଲକ ଉନ୍ନୟନ ଅଧିକାରୀ ତୁଷାର ଜ୍ୟୋତି ରଞ୍ଜନ ଉକ୍ତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରକୁ କିଭଳି ତରବରିଆ ଭାବେ ମାତ୍ର ଘଣ୍ଟାଏ ଭିତରେ ଶେଷ କରିବା ପାଇଁ ତତ୍ପର ହେଉଥିବା ଦେଖିବାକୁ ମିଳିଥିଲା l ବ୍ଲକର ପ୍ରତ୍ୟକଟି ବିଭାଗରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବାବେଳେ ପ୍ରକୃତ ହିତାଧିକାରୀମାନେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାରୁ ବଞ୍ଚିତ ହେଉଛନ୍ତି l ଉକ୍ତ ଅଭିଯୋଗ ଶୁଣାଣି ଶିବିର ପ୍ରହସନରେ ପରିଣତ ହୋଇଥିଲା ବୋଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l