
କାକଟପୁର ପଞ୍ଚାୟତ ସମିତିର ୫ମ ଅଧିବେଶନ।
କାକଟପୁର ପଞ୍ଚାୟତ ସମିତିର ୫ମ ଅଧିବେଶନ।ଯୋଗାଣ ଅଧିକାରୀଙ୍କ ଉପରେ ବାର୍ଷିଲେ ଜନପ୍ରତିନିଧି
କାକଟପୁର-୧୭/୫,କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କ ଅଧ୍ୟକ୍ଷତାରେ କାକଟପୁର ପଞ୍ଚାୟତ ସମିତି ପରିସରସ୍ଥ ସଭାଗୃହରେ ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠିତ ବୈଠକରେ କେତେକ ବିଭାଗୀୟ ଅଧିକାରୀଙ୍କ ପରିବର୍ତ୍ତେ ସହକାରୀ ଅଧିକାରୀ ମାନଙ୍କ ଉପସ୍ଥିତି ସମିତି ବୈଠକକୁ ଅଧିକାରୀଙ୍କ ବେଖାତିରି ମନୋଭାବକୁ ପରିପ୍ରକାଶ କରୁଥିବା କେତେକ ନିର୍ବାଚିତ ପ୍ରତିନିଧିମାନେ ପ୍ରକାଶ କରିଥିଲେ। ବୈଠକରେ ଆଲୋଚିତ ହୋଇଥିବା କୃଷି ବିଭାଗ,ବିଦ୍ୟୁତ ବିଭାଗ,ପ୍ରାଣୀଧନ ଚିକିତ୍ସା ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ, ଶିଶୁ ବିକାଶ,ମିଶନ ଶକ୍ତି,ଯୋଗାଣ ବିଭାଗ, ସାମାଜିକ ସୁରକ୍ଷା, ପାନୀୟଜଳ, ଜଳସେଚନ, ସ୍ବାସ୍ଥ୍ୟ ବିଭାଗ ସମେତ ସମସ୍ତ ବିଭାଗର ଜନହିତକର କାର୍ଯ୍ୟକ୍ରମ ଗୁଡିକ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା।ଉପସ୍ଥିତ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରେ କୁଣ୍ଢେଇ ସମିତି ସଭ୍ୟ ପ୍ରମୋଦ କୁମାର ଦାସ, ସମିତି ସଭ୍ୟା ପ୍ରଭାତି ବିଶ୍ଵାଳ, ଅବଦାନ ସମିତି ସଭ୍ୟା, ଶାନ୍ତିଲତା ପଣ୍ଡା ,ପାଟସୁନ୍ଦରପୁର ସମିତି ସଭ୍ୟ ମନୋଜ କୁମାର ସ୍ବାଇଁ, କାକଟପୁର ସରପଞ୍ଚ ଅଭୟ କୁମାର ସେଠୀ,ସୁହାଗପୁର ସରପଞ୍ଚ ସେଖ ଅବୁତାର, କୁରୁଜଙ୍ଗ ସରପଞ୍ଚ ରୁପାଲି କାଣ୍ଡି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।କାକଟପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଗହମ ଯୋଗାଣକୁ ନେଇ ଜନପ୍ରତିନିଧି ମାନେ ଯୋଗାଣ ବିଭାଗ ଅଧିକାରୀ ଙ୍କ ଉପରେ ବର୍ଷିଥିଲେ l ପୂର୍ବରୁ ୪ଟି ବୈଠକ ସମାପ୍ତ ହୋଇଥିଲେ ମଧ୍ୟ ନିର୍ବାଚିତ ପ୍ରତିନିଧି ମାନେ ଏପର୍ଯ୍ୟନ୍ତ ସେମାନଙ୍କ ପଞ୍ଚାୟତର ସମସ୍ୟା ଗୁଡିକୁ ବୈଠକରେ ସଠିକ୍ ଢ଼ଙ୍ଗରେ ଉପସ୍ଥାପିତ କରି ପାରୁ ନଥିବା ଦେଖିବାକୁ ମିଳିଥିଲା। ସମିତି ଅଧ୍ୟକ୍ଷଙ୍କ ସହ ବହୁ ସଭ୍ୟ ବ୍ଳକର ଅଙ୍ଗନବାଡ଼ି ଗୁଡିକରେ ଶିଶୁ ମାନଙ୍କୁ ଯୋଗାଇ ଦିଆଯାଉଥିବା ଛତୁଆ ନିମ୍ନମାନର ବୋଲି ଅଭିଯୋଗ କରି ଦୀର୍ଘ ୧୨ବର୍ଷ ଧରି ନିର୍ଦ୍ଧିଷ୍ଟ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଛତୁଆ ପ୍ରସ୍ତୁତି ପାଇଁ ଦିଆଯାଉଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଟେଣ୍ଡର କରିବାପାଇଁ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାକଟପୁର ବ୍ଲକ ବିଡ଼ିଓ ତୁଷାର ଜ୍ୟୋତିରଞ୍ଜନ, ପୁରୀଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାହୁଙ୍କ ସମେତ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ l