
ସାକ୍ଷୀଗୋପାଳଙ୍କ ଆଶୀର୍ବାଦ ନେଇ ସତ୍ୟବାଦୀ ରାଜନୀତିକୁ ଓହ୍ଲାଇଲେ ସଞ୍ଜୟ ଏବଂ ଅରୂପ ପଟ୍ଟନାୟକ
ସାକ୍ଷୀଗୋପାଳ: ତା ୭.୪.୨୪ (ଶାଶ୍ଵତ ଟିଭି)- ଆଜି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜୁଜନତା ଦଳ ପକ୍ଷରୁ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ଅରୂପ କୁମାର ପଟ୍ଟନାୟକ ଓ ସତ୍ୟବାଦୀ ଆସନରୁ ବିଧାୟକ ପ୍ରାର୍ଥୀ ସଞ୍ଜୟ କୁମାର ଦାସବର୍ମାଙ୍କୁ ସତ୍ୟବାଦୀ ଓ କଣାସ ବିଜୁ ଜନତା ଦଳ ପକ୍ଷରୁ ବିପୁଳ ସଂଖ୍ୟାରେ ସ୍ଵାଗତ କରାଯାଇଛି।
ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ପଟ୍ଟନାୟିକିଆ ଛକ ନିକଟରେ ଉଭୟ ପ୍ରାର୍ଥୀଙ୍କୁ ଜୋରଦାର ସ୍ୱାଗତ ଓ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା l ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ପ୍ରାର୍ଥୀ ଦ୍ବୟଙ୍କୁ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମୀମାନେ ପାଛୋଟି ଆଣିଥିଲେ l ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରେ ଉପସ୍ଥିତ ହଜାର ହଜାର ମହିଳା ହୁଳହୁଳି ପକାଇ ଫୁଲ ମାଳ ଦେଇ ଦୁଇ ପ୍ରାର୍ଥୀଙ୍କୁ ସ୍ୱାଗତ କରିଥିଲେ l ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ଫୁଲମାଳ ଦେବା ପରେ ସାଂସଦ ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ଦାସବର୍ମା ପଦଯାତ୍ରାରେ ହଜାର ହଜାର କର୍ମୀଙ୍କ ସହିତ ସାକ୍ଷୀଗୋପାଳ ବଜାର ପରିକ୍ରମା କରି ସାକ୍ଷୀଗୋପାଳ ମନ୍ଦିରରେ ପ୍ରଭୁ ସାକ୍ଷୀଗୋପାଳ ଓ ମା ରାଧାରାଣୀଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିଥିଲେ l
ଐତିହାସିକ ପଞ୍ଚସଖାଙ୍କ ସମାଧି ପୀଠ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ କୃପାସିନ୍ଧୁ ମିଶ୍ର ଓ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖସ୍ଥ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ସେଠାରୁ ବୀର ଗୋବିନ୍ଦପୁର ସ୍ଥିତ ମା ଦକ୍ଷିଣକାଳୀଙ୍କ ପୀଠରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l ପରେ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ l ସେଠାରୁ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ରେ ଉତ୍କଳମଣିଙ୍କ ଶଠୀଘର ପରିଦର୍ଶନ କରି ଉତ୍କଳମଣିଙ୍କୁ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ସତ୍ୟବାଦୀ ରେ ସଞ୍ଜୟ ଦାସବର୍ମା ଏବଂ ଅରୂପ ପଟ୍ଟନାୟକ ଙ୍କ ପ୍ରଥମ ଗସ୍ତରେ ଅଞ୍ଚଳ ବାସିନ୍ଦା, ଦଳୀୟ କର୍ମୀଙ୍କ ଅଦ୍ଭୂତପୂର୍ବ ସ୍ଵାଗତ କୁ ଦେଖି ରାଜନୀତି ମହଲରେ ଚର୍ଚ୍ଚା ଜୋର୍ ଧରିଛି।