
ଦ୍ଵିତୀୟା ଓଷା ଓ ଘାଣ୍ଟ ତରକାରୀ
କଥାରେ ଅଛି ‘ବାର ମାସରେ ତେର ପର୍ବ’। କିନ୍ତୁ ଟିକେ ଗଭୀର ଭାବରେ ଚିନ୍ତା କଲେ ଜଣାଯାଏ ଯେ ଓଡ଼ିଆଣୀଟିଏ ବର୍ଷସାରା ପୂଜା, ବ୍ରତ, ଓଷା, ମାନସିକ ପାଳିବାରେ ବ୍ୟସ୍ତ ଥାଏ ।
କେତେ ଯେ ଅସୁମାରୀ ପର୍ବ ରହିଛି ଏହି ଓଡ଼ିଶାରେ ତାକୁ ହିସାବ କରିବା କଷ୍ଟ । ପୁଣି ଅଞ୍ଚଳ, ପ୍ରାନ୍ତୀୟ ଭିତ୍ତିକ ଭିନ୍ନ ଭିନ୍ନ ପର୍ବପର୍ବାଣୀ, ବ୍ରତ,ଓଷା ପାଳିତ ହୁଏ ଏହି ଓଡ଼ିଶା ଭୂଖଣ୍ଡରେ।
ଏମିତି ଗୋଟିଏ ହେଲା ଦ୍ଵିତୀୟା ଓଷା ବା ପଶ୍ଚିମାଞ୍ଚଳ ଓଡ଼ିଶାରେ ପୁଅଜୀଉନ୍ତିଆ ବ୍ରତ । ଆଶ୍ୱିନ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ଓଷା ପାଳନ କରିଥାନ୍ତି ବୋହୂମାନେ । ସୂର୍ଯ୍ୟଦେବଙ୍କ ପୁଅ ଦ୍ଵିତୀବାହନଙ୍କର ପୂଜା କରାଯାଏ ପୁଅର ମଙ୍ଗଳ କାମନା କରି ଓ ଅପୁତ୍ରିକ ନାରୀ ପୁଅ ଲାଭ କରିବାକୁ ।
ନିର୍ଜଳା ଉପବାସ କରି ଏଇ ଓଷା ପାଳନ କରାଯାଇଥାଏ । ବାପଘରୁ ପରିବାଭାର ଆସିଥାଏ ବୋହୂମାନଙ୍କ ଘରକୁ । ଓଷା ପରଦିନ ସବୁ ପରିବାକୁ ମିଶାଇ ତିଆରି କରାଯାଇଥାଏ ଘାଣ୍ଟ ତରକାରୀ । ଏହା ଏକ ସ୍ଵତନ୍ତ୍ର ସ୍ଵାଦିଷ୍ଟ ବ୍ୟଞ୍ଜନ, ଯାହାର ସ୍ଵାଦ ନିଆରା । କଦଳୀ, ବୁଢ଼ା କାକୁଡ଼ି, ମାଟିଆଳୁ, ସାରୁ, ଜହ୍ନି, କଖାରୁ, ଓଉ, କନ୍ଦମୂଳ, ନଡ଼ିଆ, ମୁଗ, କାଙ୍କଡ଼ ଇତ୍ୟାଦି ପରିବାର ମିଶ୍ରଣରୁ ପ୍ରସ୍ତୁତ ହୁଏ ଏହି ସୁସ୍ୱାଦୁ ଖାଦ୍ୟ। ବନ୍ଧୁବାନ୍ଧବ ଓ ସାଇପଡ଼ିଶାରେ ଦିଆନିଆ ହୁଏ।
ଆମର ଏହି ଦ୍ଵିତୀୟା ଓଷା ଏବଂ ଘାଣ୍ଟ ତରକାରୀ ଖାଣ୍ଟି ଓଡ଼ିଆ ବ୍ରତ ଓଡ଼ିଆ ପରମ୍ପରାର ଗାଥା କୁ ସର୍ବଦା ବହନ କରୁଥିବ।
ବନ୍ଦେ ଉତ୍କଳ ଜନନୀ