
ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ପୁରୀ:ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ ଆଜି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସଭାଗୃହରେ କେନ୍ଦ୍ରୀୟ ସଭାପତି ପ୍ରଫେସର ଡଃ ଅଦ୍ବୈତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ଭୀମସେନ ମହାପାତ୍ର ହିସାବପତ୍ର ଦାଖଲ ସହ ସଭା ପରିଚାଳନା କରିଥିଲେ। ଝାଡ଼ଖଣ୍ଡ,ଛତିଶଗଡ଼,ପଶ୍ଚିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର ଓଡ଼ିଆ ଅଧ୍ୟୁଷିତ ବିଚ୍ଛିନ୍ନାଞ୍ଚଳର ରାଜ୍ୟ ସରକାରମାନେ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦେଇ ଓଡ଼ିଆ ଶିକ୍ଷା ପ୍ରସାର ଦିଗରେ ଉଦ୍ୟମ କରିବା ପାଇଁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥି ସହିତ ଓଡ଼ିଶା ସରକାରଙ୍କ ଦ୍ବାରା ଅଧିକ ଶିକ୍ଷକ ନିଯୁକ୍ତି ତଥା ନିୟମିତ ଦରମା ପ୍ରଦାନ ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା।
ସୀମା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ‘ସୀମା ନିର୍ଦ୍ଧାରଣ ପ୍ରକୋଷ୍ଠ’ ରାଜସ୍ବ ବିଭାଗରେ ଖୋଲାଯାଇ ସ୍ବତନ୍ତ୍ର ସଚିବ ପାହ୍ୟାର ଅଧିକାରୀଙ୍କ ଅଧିନରେ ପରିଚାଳନା କରାଯିବା ସଙ୍ଗେସଙ୍ଗେ ସୀମାନ୍ତ ଗ୍ରାମ ଗୁଡ଼ିକର ବିକାଶ ପାଇଁ ‘ପଶ୍ଚିମ ଓଡ଼ିଶା ଜୀବିକା ଉନ୍ନୟନ ସଂସ୍ଥା ‘ଭଳି ‘ସୀମାନ୍ତ ଗ୍ରାମ ବିକାଶ ପରିଷଦ’ ଗଠନ ନିମନ୍ତେ ରାଜ୍ୟ ସରକାରଙ୍କ ଠାରେ ଦାବୀ କରାଯାଇଥିଲା।
ରାଜ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ କାର୍ଯ୍ଯାଳୟ,ନ୍ୟାୟାଳୟ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ କର୍ତ୍ତୃପକ୍ଷମାନେ ନିଷ୍ଠାର ସହିତ କାର୍ଯ୍ୟ କରିବା ସହିତ ପ୍ରତ୍ୟେକ ଓଡ଼ିଆ ପ୍ରାଣ ଏ ଦିଗରେ ସହଯୋଗ କରିବାକୁ ନିବେଦନ କରାଯାଇଥିଲା।
ଏଥି ସହିତ ପ୍ରତ୍ୟେକ ବ୍ଲକରେ ଉତ୍କଳ ସମ୍ମିଳନୀର ବ୍ଲକ ଶାଖା, ଯୁବ ସେବା ବାହିନୀ ଓ ସୀମାନ୍ତ ଗ୍ରାମମାନଙ୍କରେ ସୀମା ରକ୍ଷା ପାଇଁ ‘ସୀମାନ୍ତ ଜନ ସୁରକ୍ଷା ବାହିନୀ ‘ ଗଠନ କରାଯିବାର ପ୍ରସ୍ତାବ ଦିଆଯାଇଥିଲା।
ଏହି ବୈଠକରେ ସମ୍ମିଳନୀର ଉପସଭାପତି ପଦ୍ମନାଭ ସାମଲ,କୌଶିକ ସାହୁ,ଉଷାରାଣୀ ମହାନ୍ତି,ବିମଳ ଚନ୍ଦ୍ର ଷଡ଼ଙ୍ଗୀ,ଡଃ ସୁବ୍ରତ ସାହୁ,ସମ୍ପାଦକ କମଳ ଚକ୍ରବର୍ତ୍ତୀ,ବିରେନ ମୋହନ ପଟ୍ଟନାୟକ,ଧନେଶ୍ବର ସାହୁ,ଶିବସୁନ୍ଦର ପଟ୍ଟନାୟକ,ବାବୁଲାଲ ଦାସ,ଦୁର୍ଗା ପାଢ଼ୀ,ପ୍ରଭାସ ମହନ୍ତ,ମଦନମୋହନ ନାୟକ,ବିଭୁତି ଆଚାର୍ଯ୍ୟ,ପ୍ରଶାନ୍ତ କୁମାର ସାହୁ,ମୃତ୍ୟଞ୍ଜୟ ଦକ୍ଷିଣରାୟ,ପ୍ରସନ୍ନ କୁମାର ପଟ୍ଟନାୟକ,ଦ୍ବାରକେଶ ପଟ୍ଟନାୟକ,ସୁଶୀଳ ଷଡ଼ଙ୍ଗୀ,ଜିତେନ୍ଦ୍ର ପଣ୍ଡା,ପ୍ରଫୁଲ୍ଲ କୁମାର ଚୌଧୁରୀ,ସୁଜାତା ଦେବୀ,କମରୁଲ୍ ହୁସେନ,ସୁଭାଷ ଚନ୍ଦ୍ର ପ୍ରଧାନ,ଅନାମ ମଲିକ,ବିଜୟ ପରିଡ଼ା,ରଶ୍ମି ରଞ୍ଜନ ସାହୁ,ବିଶାଖା ଦେବୀ,ଗଜେନ୍ଦ୍ର ମହାପାତ୍ର,ମୀନକେତନ ଚୌଧୁରୀ,ଡଃ ହେମନ୍ତ କୁମାର ଛୋଟରାୟ ଆଦି ଯୋଗ ଦେଇଥିଲେ। ରଘୁରାଜପୁର ଗୋଟିପୁଅ ନୃତ୍ଯ ପରିବେଷଣ ଦର୍ଶକଙ୍କୁ ଆକୃଷ୍ଟ କରିଥିଲା।ଶେଷରେ ଦୀନକୃଷ୍ଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।