
ମୌସୁମୀର ଆଗମନରେ ଧରାପୃଷ୍ଠକୁ ରଙ୍ଗୀନ କରୁଥିବା ସାଧବବୋହୁ କୀଟ ଏବେ ବିଲୁପ୍ତ ପ୍ରାୟ
କାକଟପୁର ତା ୨୧/୭,ମୌସୁମୀର ଆଗମନ ସାଙ୍ଗକୁ ଆକାଶରୁ ଝରି ପଡ଼େ ଟିପ୍ ଟିପ୍ ବର୍ଷା । ସବୁଜିମାରେ ଭରି ଯାଏ ବସୁନ୍ଧରା । ଆଉ ସେ ସବୁଜିମାକୁ ଆହୁରି ସୁନ୍ଦର କରିଦିଏ ଲାଲ ଟୁକ ଟୁକ ସାଧବ ବୋହୂ । ଓଡି଼ଆ ଢଗ ଢମାଳିରେ ଗୋଟିଏ କଥା ଅଛି । ନାଲି ଟୁକୁଟୁକୁ ସାଧବ ବୋହୂ , ମେଘ ବରଷା ରେ କୁଆଡ଼େ ଯାଉ । ବର୍ଷାର ପ୍ରଥମ ଅସରା ଯେତେବେଳେ ଧରାପୃଷ୍ଠକୁ ସ୍ପର୍ଶ କରେ ସେତେବେଳେ ନିଜର ସୁନ୍ଦର ରୂପରେ ସମସ୍ତଙ୍କ ମନ ମୋହି ନିଅନ୍ତି ସାଧବ ବୋହୂ । ନାଲି ରଙ୍ଗ ଆବରଣରେ ସବୁଜ ଧରଣୀକୁ ଅଧିକ ଆକର୍ଷଣୀୟ କରନ୍ତି ଏମାନେ l ସାଧବବୋହୂକୁ ଶୁଖ ଓ ସମୃଦ୍ଧିର ବାର୍ତ୍ତାବହ ବୋଲି ବିଶ୍ବାସ କରନ୍ତି ଚାଷୀକୂଳ ।କାହିଁ କେଉଁ କାଳରୁ ଚାଷି ଭାଇର ସାଥୀ ପାଲଟିଛି ସାଧବ ବୋହୂ । ସାଧବବୋହୂକୁ ଦେଖି ଏ ବର୍ଷ ଭଲ ଫସଲ ହେବ ବୋଲି ଅନୁମାନ କରିନିଏ ଚାଷୀ ଭାଇ । କିନ୍ତୁ ଚାଷୀକୂଳଙ୍କ ସେହି ବିଶ୍ବାସ ଧୀରେ ଧୀରେ ମଳିନ ହୋଇଯାଉଛି । ବିକାଶର ପ୍ରସସ୍ତ ପଥ ଉପରେ ନିଜର କୁନି କୁନି ପାଦ ରଖିବାକୁ ଆଉ ସ୍ଥାନ ପାଉନାହିଁ ସାଧବବୋହୂ ।ଉତ୍ତପ୍ତ ଖରାଦିନରେ କେଉଁଆଡେ ଉଭାନ ହେଉଯାଉଥିବା ଏହି ପୋକ ବର୍ଷା ହେବା ମାତ୍ରେ କେଉଁଠୁ ଯେ ଆବିର୍ଭାବ ହୁଅନ୍ତି ତାହା କେହି କହି ଜାଣି ନାହାନ୍ତି । ସାଧବ ବୋହୂ ନାଁ ଟି କେଉଁଠୁ ଆସିଛି ତାହା ମଧ୍ୟ କହିପାରିବା କଷ୍ଟ । ସାଧବ ଘର ବୋହୁ ନାଲି ପାଟ ଶାଢ଼ୀ ପିନ୍ଧିବା ପରେ ଯେମିତି ସୁନ୍ଦର ଦେଖାଯାଏ ସେମିତି ସୁନ୍ଦର ଏହି ପୋକ ଦେଖାଯାଉଥିବାରୁ ବୋଧହୁଏ ତାକୁ ମଧ୍ୟ ସାଧବବୋହୂ ବୋଲି କୁହାଯାଏ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନାଁରେ ଜଣା ଶୁଣା ଏହି କୁନି କୀଟଟି । କେଉଁଠି ବୀର ବାହୁତି, କେଉଁଠି ରାନୀ କିଡା, ସ୍କାଲେଟ ଫ୍ଲାଏ, ତ କେଉଁଠି ରେନ ବଗ ।ପ୍ରକୃତିରେ ଅନେକ ସୁନ୍ଦର ସୃଷ୍ଟି ମଧ୍ୟରୁ ଅନ୍ୟତମ ହେଉଛି ସାଧବ ବୋହୂ । ତେବେ ମଣିଷ ଯୋଗୁଁ ଆଜି ଏ କୁନି ଜୀବଟି ମଧ୍ୟ ଖୋଜୁଛି ନିଜ ଜୀବନର ସତ୍ତା । ଦିନ ଥିଲା ବର୍ଷା ପଡ଼ିବା ମାତ୍ରେ ଘାସ ଉପରେ ହସି ଉଠୁଥିଲେ ଅନେକ ସାଧବ ବୋହୂ । ଏବେ କିନ୍ତୁ ସେ ଦୃଶ୍ୟ ବିଲୁପ୍ତ । ଚାଷୀମାନେ ନିଜ କ୍ଷେତରେ ବହୁଳ ମାତ୍ରାରେ ରାସାୟନିକ ସାର ଏବଂ କୀଟନାଶକ ପ୍ରୟୋଗ ଏହାର ମୁଖ୍ୟ କାରଣ ବୋଲି କୁହାଯାଇପାରେ l ଯଥାଶୀଘ୍ର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ନଚେତ ବିରଳ ଜୀବଙ୍କ ତାଲିକାରେ ସାଧବ ବୋହୂର ନାଁ ବି ଖୁବ୍ ଶୀଘ୍ର ଯୋଡି ହୋଇଯିବ ବୋଲି କୁହନ୍ତି ପରିବେଶବିତ ଶୋଭାକାର ଯାଦବ l