
ସମସ୍ୟା ଘେରରେ ଓଳଙ୍ଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ।
କାକଟପୁର -୧/୧୧ (ତୁଷାର ରଞ୍ଜନ ଦୀକ୍ଷିତ ) କାକଟପୁର ଶିକ୍ଷା ବିଭାଗ ଅଧିନରେ ଥିବା ଲତାହରଣ ଗ୍ରାମପଞ୍ଚାୟତର ଓଳଙ୍ଗର ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟଟି ବହୁବିଧ ସମସ୍ୟାରେ ଜର୍ଜରିତ।ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀରେ ପିଲାଙ୍କ ଉପସ୍ଥାନ ସଂଖ୍ୟା ୫୫ଥିବା ବେଳେ ଜଣେ ନିୟମିତ ଶିକ୍ଷକ ସହିତ ଜଣେ ମାତ୍ର ଶିକ୍ଷକଙ୍କୁ ସାମୟିକ ଭାବେ ଆଡଜଷ୍ଟମେଣ୍ଟ କରାଯାଇ ଶିକ୍ଷାଦାନ କରାଯାଉଛି।ଯଦି କୌଣସି କାରଣରୁ ଜଣେ ଶିକ୍ଷକ ଅନୁପସ୍ଥିତ ରହିଲେ ତେବେ ଜଣେ ଶିକ୍ଷକ ହିଁ ସମସ୍ତ ପିଲାଙ୍କୁ ଜଗି ବସିବା ସହିତ ସରକାରୀ କାଗଜପତ୍ର କରିବା କଷ୍ଟକର ହେଉଥିବା ଶିକ୍ଷକଙ୍କ ଠାରୁ ପ୍ରକାଶ। ସରକାରୀ କାର୍ଯ୍ୟ ପାଖରେ ପିଲାଙ୍କ ପାଠପଢା ଏହି ସ୍କୁଲର ଶିକ୍ଷକ ମାନଙ୍କ ପାଇଁ ଗୌଣ ଅଟେ। ଅନ୍ୟପକ୍ଷରେ ଶୈକ୍ଷିକ ପରିବେଶ ଏହି ବିଦ୍ୟାଳୟରେ ସାତ ସପନ।କାରଣ ସରକାର ସ୍ବଛତା ଉପରେ ପ୍ରାଧାନ୍ୟ ଦେଉଥିବା ବେଳେ ଏହାର ପରିବେଶ ଏପରି ଗ୍ଲୁମଲତାରେ ପରିପୂର୍ଣ୍ଣ ଯେ ଏହା ବିଷଧର ସର୍ପଙ୍କ ବାସସ୍ଥଳୀରେ ପରିଣତ ହୋଇଛି।ଏଠାରେ ପୁରାତନ ଶୌଚାଳୟଟି ଛୋଟଛୋଟ ପିଲାଙ୍କ ବ୍ୟବହାର ପାଇଁ ଅନୁପଯୁକ୍ତ।ଫଳରେ ପିଲାମାନେ ବାହାରର ଜଙ୍ଗଲି ପରିବେଶରେ ଶୌଚ ହେଉଥିବା ଅଭିଯୋଗ ହେଉଛି।ବିଦ୍ୟାଳୟ ମଧ୍ୟରେ ଥିବା ଟ୍ୟୁବୱେଲ ଅଚଳ ହୋଇଥିବାରୁ ସ୍ଵଛ ପାନୀୟଜଳ ପାଇବାରୁ ଛାତ୍ରଛାତ୍ରୀ ମାନେ ବଞ୍ଚିତ ହେଉଛନ୍ତି।ବହୁବାର ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସେଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସ୍କୁଲରେ ପାଠପଢାକୁ ଗୁରୁତ୍ବ ନ ଦେଇ ସରକାର କେବଳ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଓ ପୋଷାକ ଯୋଗାଇଦେଲେ ଯେ ଅବିଭାବକମାନେ ସରକାରୀ ସ୍କୁଲକୁ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପଠାଇବେ ସେଇଟାକୁ ପ୍ରଥମେ ସରକାରୀ ଅଧିକାରୀ ମାନେ ବୁଝିବା ଦରକାର ବୋଲି ଅବିଭାବକମାନେ ପ୍ରକାଶ କରିଛନ୍ତି। ବିଭାଗୀୟ ବ୍ଳକ ସ୍ତରର କର୍ତ୍ତୃପକ୍ଷଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଛି।