
ମା ମଙ୍ଗଳା ଙ୍କ ମନ୍ଦିର ରେ ଚତୁର୍ଥ ପାଳିଯାତ୍ରା,ମହାଷ୍ଟମୀ ବେଶରେ ଦର୍ଶନ ଦେଲେ ମା ମଙ୍ଗଳା
କାକଟପୁର ତା ୧୬/୦୪/୨୦୨୪ , ଚୈତ୍ରମାସ ର ଚତୁର୍ଥ ମଙ୍ଗଳବାର। ପାରମ୍ପରିକ ପ୍ରଥାନୁସାରେ କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ପାଳିତ ହୋଇଛି ଚତୁର୍ଥ ପାଳି ଯାତ୍ରା। ମା ଙ୍କ ପୀଠରେ ଏବେ ବାସନ୍ତିକ ଦୁର୍ଗାପୂଜା ଚାଲି ଥିବାରୁ ଆଜି ପବିତ୍ର ଅଷ୍ଟମୀ ତିଥିରେ ମାଙ୍କୁ ମହାଷ୍ଟମୀ ବେଶରେ ସଜ୍ଜିତ କରାଯାଇଥିଲା l ରାତ୍ର ତିନିଘଡି ଥାଇ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଇଥିଲା। ବଲ୍ଲଭ ନୀତି ପରେ ସକାଳ ଧୂପ, ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଙ୍କ ଦର୍ଶନ ପାଇଁ ମନ୍ଦିର ସାହାଣମେଲା କରାଯାଇଥିଲା । ମାତୃଭକ୍ତ ମାନେ ଉତ୍ତର ଓ ସିଂହ ଦ୍ୱାର ଦେଇ ବ୍ୟାରିକେଟ ମଧ୍ୟରେ ଧାଡ଼ି ରେ ମନ୍ଦିର ଗର୍ଭଗୃହ କୁ ଯାଇ ମା ଙ୍କର ମହାଷ୍ଟମୀ ବେଶ ଦର୍ଶନ କରିଥିଲେ। ସୀମନ୍ତିନୀ ମହିଳାମାନେ ମନ୍ଦିର ବେଢାରେ ନିଜ ସ୍ବାମୀ ଓ ପରିବାର ର ମଙ୍ଗଳ କାମନା କରି ପନ୍ଥେଇ ପୂଜା କରିଥିଲେ। ଦିନ ପ୍ରାୟ ୧ଟା ବେଳକୁ ଝଙ୍କଡ ପୀଠ ରୁ ଆସିଥିବା ରାଉଳ ସେବକ ମାନେ ଓ ସ୍ଥାନୀୟ ଅଞ୍ଚଳ ର ଭୋଇ ପାଟୁଆ ମାନେ ଏକ ଶୋଭାଯାତ୍ରା ରେ ପ୍ରାଚୀ ନଦୀ ର ଘଣ୍ଟ ତୋଳା ତୁଠ କୁ ଯାଇ ପାଣି ତୋଳି, ଘଟ ସ୍ଥାପନା କରି ମନ୍ଦିର କୁ ଆସିଥିଲେ। ମା ଙ୍କର ଆଜ୍ଞାମାଳ ପାଇବା ପର ପାଟୁଆ ମାନେ ଘଣ୍ଟ, ଢୋଲ ଓ କାହାଳୀ ହରିବୋଲ, ହୁଳହୁଳି ଏବଂ ପାରମ୍ପରିକ ବାଦ୍ୟର ତାଳେ ତାଳେ ଘଣ୍ଟ ପାଟୁଆ ନୃତ୍ୟ କରିଥିଲେ। ମଧ୍ଯରାତ୍ରି ସମୟରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଜଣେ ଖମାରେଇ ସେବକ ନିଜକୁ ମହାକାଳୀ ବେଶରେ ସଜ୍ଜିତ କରି ଖଡ୍ଗ ଧାରଣ ପୂର୍ବକ ଘଣ୍ଟ, ଢୋଲ, ମହୁରୀ, ମଶାଲ ମଧ୍ୟରେ ମା ଙ୍କ ଆଜ୍ଞାମାଳ ପାଇବା ପରେ ମନ୍ଦିର ବେଢ଼ାରେ ଓ ସେବକ ସାହି ଦାଣ୍ଡ ରେ କାଳିକା ନୃତ୍ୟ ପ୍ରଦର୍ଶନ କରିଥିଲେ। ତା ପରେ ରାତ୍ରି ଧୂପ, ଗୀତଗୋବିନ୍ଦ ପାଠ ଓ ବଡସିଂହାର ପରେ ଭ୍ରମଣୀ ନୀତି ଅନୁଷ୍ଠିତ ହୋଇଥିଲା।ମା’ ଙ୍କର ବଡସିଂହାର ଧୂପ ସରିବା ପରେ ମନ୍ଦିର ପହୁଡ଼ ପଡିଥିଲା। ଦିନରେ ପାଟୁଆ ନୃତ୍ୟ ଓ ରାତିରେ କାଳିକା ନୃତ୍ୟ ଦେଖି ମାତୃ ଭକ୍ତ ମାନେ ବିମୋହିତ ହୋଇ ପଡ଼ିଥିଲେ। ଚତୁର୍ଥ ପାଳି ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଆସନ୍ତା ୨୩ ତାରିଖରେ ମା ଙ୍କ ର ପଞ୍ଚମ ପାଳି ତଥା ଝାମୁଯାତ୍ରା ଅନୁଷ୍ଠିତ ହୋଇ ୧ ମାସ ବ୍ୟାପୀ ଚାଲିବ ବୋଲି ମଙ୍ଗଳା ମନ୍ଦିର ସେବାୟତ ନିଯୋଗ ଉପସଭାପତି କମଳ ଲୋଚନ ଦୀକ୍ଷିତ ଏବଂ ଉପଦେଷ୍ଟା କମିଟି ସଦସ୍ୟ ତୁଷାର ରଞ୍ଜନ ଦୀକ୍ଷିତ ପ୍ରକାଶ କରିଛନ୍ତି l