
ଚାଲିଛି ମହାପଞ୍ଚୁକ : ପ୍ରାଚୀତଟ ମଠ ମନ୍ଦିର ସବୁ ଉତ୍ସବ ମୁଖର
କାକଟପୁର (ତୁଷାର ଦୀକ୍ଷିତ ) ତା 24/11,ଧର୍ମ ମାସ କାର୍ତ୍ତିକ ର ଶେଷ ପାଞ୍ଚଦିନ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ)କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହାପଞ୍ଚକ, ବକପଞ୍ଚକ,ଭୀଷ୍ମପଞ୍ଚକ ବା ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଅନେକ ଅଁଳା ନବମୀ, ରାଧାପାଦ ଦର୍ଶନ ଦିବସ ଠାରୁ ସାତଦିନ ହବିଷ୍ୟ କରନ୍ତି । ଏହି ପାଞ୍ଚଦିନ ହିନ୍ଦୁମାନେ ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତି । ଏହି ପଞ୍ଚକ ରେ ବକମାନେ ମଧ୍ୟ ଆମିଷ ଭୋଜନ ରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ତେଣୁ ଏହାକୁ ‘ବକ ପଞ୍ଚକ’ ମଧ୍ୟ କୁହାଯାଇଥାଏ। ଶରଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ଶ୍ରୀ ବାସୁଦେବ କହିଲେ ଆପଣ ଧନ୍ୟ । ଧର୍ମର ଗୂଢ଼ ରହସ୍ୟ ବର୍ଣ୍ଣନା କରିଛନ୍ତି । କାର୍ତ୍ତିକ ଏକାଦଶୀ ଦିନ ତମେ ଜଳର ଇଚ୍ଛା କରିଛ । ଅର୍ଜୁନ ବାଣ ଦ୍ୱାରା ଗଙ୍ଗାଜଳ ପ୍ରସ୍ତୁତ କଲେ, ଯଦ୍ୱାରା ତମର ତନ, ମନ, ପ୍ରାଣ ସନ୍ତୁଷ୍ଟ ହେଲା । ଏଣୁ ଆଜିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ ଯେଉଁମାନେ ତୁମକୁ ଜଳ ଅର୍ଘଦାନ କରିବେ- ସେମାନେ ମୋତେ ତୃପ୍ତକରିବେ । ଏହା ହେଉଛି ଭୀଷ୍ମପଞ୍ଚକ- ପ୍ରତିବର୍ଷ ପାଳିତ ହେବ । ସାଧାରଣତଃ ସନ୍ତାନପ୍ରାପ୍ତି ଉଦ୍ଦେଶ୍ୟରେ ଅନେକ ଏହି ଭୀଷ୍ମପଞ୍ଚକ ବ୍ରତ ପାଳନ କରନ୍ତି I ଏହି ପଞ୍ଚକରେ ତେତିଶ କୋଟି ଦେବତା ମନୁଷ୍ୟମାନଙ୍କର ସନ୍ନିକଟ ହୋଇଯାନ୍ତି I ଏହି ସମୟରେ ଏକଲକ୍ଷ ତୁଳସୀପତ୍ର ଚଢାଇ ବିଷ୍ଣୁଙ୍କୁ ପୂଜାକଲେ, ସମସ୍ତ ଦେବତା ପ୍ରସନ୍ନ ହୋଇ ବର ପ୍ରଦାନକରନ୍ତି I “ ସର୍ବଦେବ ନମସ୍କାରଃ କେଶବଂ ପ୍ରତିଗଚ୍ଛତି I” ଭଗବାନ୍ ବିଷ୍ଣୁ ଇପ୍ସିତ ବର ପ୍ରଦାନ କରନ୍ତିପଞ୍ଚକର ଶେଷ ତିନିଦିନ ତ୍ରୟୋଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା- ଅତ୍ୟନ୍ତ ପୂଣ୍ୟମୟ ତିଥି ।ପ୍ରେତପୁରୁଷ ଓ ପିତୃପୁରୁଷଙ୍କୁ ପଥ ପ୍ରଦର୍ଶନ ତଥା ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମପଥକୁ ଉଜ୍ଜଳ କରିବା ସକାଶେ ପ୍ରତ୍ୟେକ ଗ୍ରାମରେ ଆକାଶଦୀପ ପ୍ରତିଷ୍ଠା କରାଯାଇଥାଏ I ଏହି ଧର୍ମମାସର ପ୍ରତ୍ୟେକ ଦିନ ପର୍ବର ଦିନ । ଦିନେ ଦଣ୍ଡକାରଣ୍ୟରେ ଋଷିମୁନିମାନେ ରାମରୂପ ଦର୍ଶନରେ ପ୍ରଲୁବ୍ଧ ହୋଇଥିଲେ I ଭଗବାନ ରାମ ବର ପ୍ରଦାନ କରିଥିଲେ- ଦ୍ୱାପର ଯୁଗରେ ତମେ ସବୁ ଗୋପୀ ହୋଇ ମୋତେ କୃଷ୍ଣ ରୂପରେ ପ୍ରାପ୍ତ ହେବ l କୃଷ୍ଣ ପ୍ରାପ୍ତି ଆଶାରେ ଏହି ଗୋପୀ ମାନେ କାର୍ତ୍ତିକ ମାସ ସାରା ପ୍ରତ୍ୟୁଷରୁ ସ୍ନାନ କରି ନଦୀ, ସମୁଦ୍ର, ପୁଷ୍କରଣୀ, ଝରଣା ତଟରେ ବାଲିରେ କୃଷ୍ଣମୂର୍ତ୍ତି ସ୍ଥାପନ କରି, ପୁଷ୍ପଚନ୍ଦନ ହୁଳହୁଳି ଦାନପୂର୍ବକ, କୃଷ୍ଣ ତୁଲ୍ୟ ପତି ପ୍ରାପ୍ତ୍ୟର୍ଥେ କାର୍ତ୍ତିକ ବ୍ରତ ପାଳନ କରୁଥିଲେ I ସେ ପରମ୍ପରା ଏବେ ମଧ୍ୟ ଅନୁସୃତ । ବିଧବା ମହିଳା ଓ ଧର୍ମ ପରାୟଣ ବ୍ୟକ୍ତି ମାନେ ମାସ ସାରା ରାଇ ଦାମୋଦର ପୂଜା ଚଉରା ମୂଳରେ କରିଥାଆନ୍ତି। ପଞ୍ଚୁକ ପାଞ୍ଚ ଦିନ ମଠ,ମନ୍ଦିର ମାନଙ୍କରେ ରାସ ଉତ୍ସବ ପାଳିତ ହୋଇଥାଏ। ସଂଧ୍ୟାରେ
ପୂଜା ପାଉଥିବା ରାଧା କୃଷ୍ଣ ଙ୍କୁ ମନ୍ଦିର ରୁ ଶୋଭାଯାତ୍ରା ରେ ଅଣାଯାଇ ପୂର୍ବରୁ ପ୍ରସ୍ତୁତ କୁଞ୍ଜ ରେ ଉପବେସନ
କରାଯାଏ। ତାଙ୍କ ସମ୍ମୁଖ ରେ ଶରଦ ରାସ ପୁସ୍ତକ ର ଗୋଟିଏ ଗୋଟିଏ ଅଧ୍ୟାୟ ସବୁଦିନ ପାଠ କରାଯାଇ ଥାଏ। ଶେଷରେ ବାଳ ଭୋଗ, ଆଳତୀ ଅନୁଷ୍ଠିତ ହୋଇ ଠାକୁର ମାନଙ୍କୁ କୁଞ୍ଜ ରୁ ସ୍ୱ ମନ୍ଦିର କୁ ନିଆଯାଇଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ
ରାସ ଉତ୍ସବ ସମାପନ ହୋଇଥାଏ।
ରାସ ଉତ୍ସବ ପାଇଁ ପ୍ରାଚୀ ଉପତ୍ୟକା ର ଅନ୍ତଃବେଦୀ ମଠ,ରାଧାକାନ୍ତ ମଠ,
ଅର୍କ ମଠ, ସିଦ୍ଧ ମଠ,ଅହ୍ମୁଣିଆଁ ମଠ,
ଗୋପାଳ ମଠ, ଗୁରୁଦେବ ମଠ, ରୋହିଣୀ କୁଣ୍ଡ ମଠ, ବିଶ୍ଵାମିତ୍ର ମଠ,
ଚକିଆ ମଠ, ଦେଉଳି ମଠ, ଅତିବଡ଼ି ମଠ, ପଞ୍ଚବଟୀ ମଠ, ବନ୍ତ ମଠ, ଅପସରା ମଠ, ନୂଆମଠ ଓ ରାଧାକାନ୍ତ ମନ୍ଦିର ରେ ସ୍ଵତନ୍ତ୍ର ପୂଜା ନୀତି ଅନୁଷ୍ଠିତ ହେଉଛି। ରାସ ଉତ୍ସବ ଦେଖିବାକୁ, ରାଧା କୃଷ୍ଣ ଙ୍କ ଆଶ୍ରିବାଦ
ପାଇବାକୁ ମଠ ମନ୍ଦିର ମାନଙ୍କରେ ଭକ୍ତ, ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗୁଛି। ପଞ୍ଚରାସ ପାଇଁ ଉତ୍ସବ ମୁଖର ହୋଇ ପଡ଼ିଛି ପ୍ରାଚୀ ଉପତ୍ୟକା ର ମଠ ଓ ମନ୍ଦିର।