
ଆଜିଠାରୁ ମା ମଙ୍ଗଳାଙ୍କ ପୀଠରେ ଶହସ୍ର କୁମ୍ଭାଭିଷେକ ପୂଜାନୀତି ଆରମ୍ଭ
କାକଟପୁର:୨୩/୦୯/୨୦୨୪
ରିପୋର୍ଟ୍:ତୁଷାର ଦୀକ୍ଷିତ
ଧରାଧାମକୁ ଅବତରଣ କରିଛି ପାର୍ବଣର ଋତୁ ,ପାର୍ବଣ ଋତୁରେ ବିଭିନ୍ନ ଶକ୍ତିପୀଠ ମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପୂଜା ।ସେହିପରି ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ପୀଠରେ ଆଜିଠାରୁ ଚାଲିଛି ଷୋଡଶ ଉପଚାର ପୂଜା। ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ମା ମଙ୍ଗଳାଙ୍କୁ ପୂଜା କରୁଛନ୍ତି ସେବାୟତ।ପାର୍ବଣରେ କାକଟପୁର ମା ମଙ୍ଗଳା’ଙ୍କର ସବୁ ନୀତି ଭିତରେ ନିଆରା ନୀତି । ଶହସ୍ର କୁମ୍ଭାଭିଶେକ ଦିନ ମା ମଙ୍ଗଳାଙ୍କୁ ୧୦୮ଗରା ସୁବାସିଶ ଜଳରେ ପୂଜାପଣ୍ଡା ସେବାୟତ ମାନେ ସ୍ନାନକରାଇ ମାଙ୍କର ସ୍ୱତନ୍ତ୍ର ମାର୍ଜନା କରାଇଥାନ୍ତି । ଏହାପରେ ମଙ୍ଗଳାଙ୍କ ପୀଠରେ ମୂଳାଷ୍ଠମୀ ଠାରୁ ମହାଷ୍ଠମୀ ପର୍ଯ୍ଯନ୍ତ ସ୍ୱତନ୍ତ୍ର ଶାରଦୀୟ ଷୋଳପୂଜା ଆରମ୍ଭ ହୋଇଥାଏ ।ମାଙ୍କର ଏହି ପୂଜା ମହାଷ୍ଠମୀ ପର୍ଯ୍ଯନ୍ତ ଷୋଳଦିନ ଧରି ଜାରି ରହିବ। ମା ମଙ୍ଗଳାଙ୍କୁ ଅନ୍ଯଦିନ ମାନଙ୍କରେ ପଞ୍ଚ ଉପଚାରରେ ପୂଜାର୍ଚନା କରାଯାଇଥାଏ ,କିନ୍ତୁ ଏହି ପାର୍ବଣ ସମୟରେ ମା ମଙ୍ଗଳାଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଇଥାଏ । ଏହି ପୂଜାରେ ସ୍ୱତନ୍ତ୍ର ଷୋଡଶ ଉପଚାର ପୂଜାପଣ୍ଡା ନିୟୋଜିତ ହୋଇଥାନ୍ତି । ଏହି ସମୟରେ ମାଙ୍କ ପୀଠରେ ଚଣ୍ଡୀପାଠ ,ସିଙ୍ଘପୂଜା ,ମନ୍ତ୍ରଜପ ,କଳସ ପୂଜା, ଦ୍ୱାରପାଳ ପୂଜା ଭଳି ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଥାଏ । ମା ମଙ୍ଗଳାଙ୍କ ଶାରଦୀୟ ପୂଜା ଆଶ୍ଵିନ ମାସରେ ଆରମ୍ଭ ହୋଇଥାଏ l ଏହି ସମୟରେ ବିଭିନ୍ନ ଅଞ୍ଚଳରେ ମହିଳା ମାନେ ଆଶ୍ଵିନର ମଙ୍ଗଳବାର କୁ ନିଶା ମଙ୍ଗଳବାର ଓଷା ଭାବରେ ପୂଜା କରିଥାନ୍ତି । ମା ମଙ୍ଗଳାଙ୍କ ଶାରଦୀୟ ପୂଜା ସମୟରେ ବିଭିନ୍ନ ଅଞ୍ଚଳରୁ ଅନେକ ଭକ୍ତ ବା ଶ୍ରଦ୍ଧାଳୁ ମାନେ ଏଠାକୁ ଆସିଥାନ୍ତି । ଏହି ସମୟରେ ମାଙ୍କୁ ଦର୍ଶନ କଲେ ସବୁ ମନସ୍କାମନ ପୂର୍ଣ୍ଣ ହୋଇଥାଏ ବୋଲି ଶ୍ରଦ୍ଧାଳୁ ମାନେ ବିଶ୍ୱାସ କରନ୍ତି । ପାର୍ବଣ ସମୟରେ ନବପତ୍ରିକା ଠାରୁ ଦିନର ସମସ୍ତ ନୀତି ସମାପନ ପରେ ରାତ୍ରରେ ମା ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ବନଦୂର୍ଗାଙ୍କୁ ମନ୍ଦରଗିରିରେ ବିଜେ ନୀତି ଆରମ୍ଭ କରାଯାଏ । ଏହିସମୟରେ ମାଙ୍କ ଚଳନ୍ତି ପ୍ରତିମା ଙ୍କୁ ଏକ ସୁସଜିତ ମଣି ବିମାନରେ ବସାଜାଇ ବିଭିନ୍ନ ପାରମ୍ପରିକ ଘଣ୍ଟଘଣ୍ଟା, ତୁରୀ ମହୁରୀ ବାଦ୍ୟଯନ୍ତ୍ର ବଜାଯାଇ ମନ୍ଦରଗିରି ଅଭିମୁଖେ ନିଆଯାଇଥାଏ । କୁହାଯାଏ ମନ୍ଦରଗିରି ଠାରେ ମା ମହିଷାସୁରକୁ ଠାବ କରିବା ପାଇଁ ଯାଇଥାନ୍ତି । ଏବଂ ସେଠାରେ ଏକ ଜଗତିପୂଜା ହୋଇଥାଏ। ଏହା ପରେ ବିଭିନ୍ନ ଭକ୍ତମାନେ ମାଙ୍କୁ ପଂକ୍ତିଭୋଗ ଲଗାଇଥାନ୍ତି ,ପରେ ମା ମନ୍ଦିରକୁ ଫେରିଆସିଥାନ୍ତି । ପାର୍ବଣର ଏହିପୂଜା ସମୟରେ ମନ୍ଦିରର ଗର୍ଭଗୃହକୁ କୌଣସି ଭକ୍ତମାନଙ୍କୁ ଛଡା ଯାଇନଥାଏ। ଭକ୍ତମାନେ ଏହି ସମୟରେ ସିଂହ ଦ୍ୱାର ନିକଟରୁ ମା ଙ୍କୁ ଦର୍ଶନ କରିଥାନ୍ତି l ପାର୍ବଣ ଆସିଲେ ସାରା କାକଟପୁର ଅଞ୍ଚଳ ଚଳଚଞ୍ଚଳ ହୋଇପଡେ l