
ବାତ୍ୟା ମୁକାବିଲା ପାଇଁ ବ୍ଳକ ପ୍ରଶାସନ ସଜାଗ ୯ ବାତ୍ୟା ଆଶ୍ରୟସ୍ଥଳୀ ଓ ୩୩ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୃତ
କାକଟପୁର:ତା ୨୪/୧୦ ( ତୁଷାର ଦୀକ୍ଷିତ )
ସମ୍ଭାବ୍ୟ ବାତ୍ୟା ଦାନାକୁ ସଫଳତାର ସହ ମୁକାବିଲା କରିବାକୁ କାକଟପୁର ବ୍ଳକ ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୃତ ରହିଛି l ଅସୁରକ୍ଷିତ ଅବସ୍ଥାରେ ଥିବା ଜନସାଧାରଣ ଏବଂ ଗୃହ ପାଳିତ ପଶୁଙ୍କୁ ସ୍ଥାୟୀ ଓ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଯିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି l ସୁହାଗପୁର , ହରିଦାସପୁର , ଛୋଟିପଡା , ଶୁକପୋଖରୀ , ରୁଙ୍କେଇ , ଆଢୁଆଳ , ସିଙ୍ଗାରପାଳ , ଧନିତ୍ରୀ ଆଦି ବାତ୍ୟା ଆଶ୍ରୟସ୍ଥଳୀ ସହ ତେନ୍ତୁଳିଆର ରେଡ଼କ୍ରସ ଗୃହ ସମେତ ୩୩ ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୃତ ରହିଛି l ଯଦି ବାତ୍ୟା ବିପନ୍ନଙ୍କ ସଂଖ୍ୟା ବଢ଼ିଯାଏ ତେବେ ଏଥିପାଇଁ ବ୍ଳକ ଅଞ୍ଚଳରେ ଥିବା ୧୪୮ ସ୍କୁଲ ଗୃହକୁ ମଧ୍ୟ ପ୍ରସ୍ତୃତ ରଖାଯାଇଛି l ଆଶ୍ରୟସ୍ଥଳୀ ଗୁଡିକରେ ଆଲୋକ , ପାନୀୟ ଜଳ , ଶୁଖିଲା ଖାଦ୍ୟ ସହ ଗୋଖାଦ୍ୟ ମହଜୁଦ ରଖାଯାଇଛି l ନିମାପଡା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଏସଡିଓ ପ୍ରଭାତ କୁମାର ବେହେରାଙ୍କ ତତ୍ୱାବଧାନ ରେ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ସହ ପାଣି ବଟଲ ଏବଂ ପାଣି ପାଉଜ ମଧ୍ୟ ଆଶ୍ରୟସ୍ଥଳୀ ଗୁଡିକରେ ମହଜୁଦ ରଖାଯାଇଛି l ନଦୀ , ସମୁଦ୍ର ଓ ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ୬ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ସମସ୍ତ ବ୍ଳକ କର୍ମଚାରୀ , ଶିକ୍ଷକମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ବେଳେ ବ୍ଳକରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିଛି l କାକଟପୁର ତହସିଲଦାର ଅଙ୍କିତା ଅନନ୍ଦିତା,ବ୍ଳକ ବିଡ଼ିଓ ବିଷ୍ଣୁ ଗୋବିନ୍ଦ , ଗ୍ରାମପଞ୍ଚାୟତ ଅଧିକାରୀ ସୁବ୍ରତ କୁମାର ପରିଡା , ବ୍ଳକ ଯୋଗାଣ ଅଧିକାରୀ ସୁଧାକର ମଲ୍ଲିକ , ବ୍ଳକ ବିଏଲଓ ତଥା ଶିକ୍ଷକ ତ୍ରିଲୋଚନ ବିଶ୍ୱାଳ ପ୍ରମୁଖ ପ୍ରତ୍ୟକ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ଘନ ଘନ ଗସ୍ତ କରି ସ୍ଥିତି ପରଖିବା ସହ ବାତ୍ୟା ସଂପର୍କରେ ଲୋକଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି l