
କାକଟପୁରରେ ବାତ୍ୟା ଦାନା ପ୍ରଭାବ ଶୂନ୍ୟ ଚାଷୀ ଆଶ୍ୱସ୍ତ
କାକଟପୁର ତା ୨୬ /୧0
ତୁଷାର ଦୀକ୍ଷିତ
ପୁରୀ ଜିଲ୍ଲା କାକଟପୁର ବ୍ଳକରେ ବାତ୍ୟା ଦାନାର ସାମାନ୍ୟତମ ପ୍ରଭାବ ପଡ଼ିନାହିଁ l ବାତ୍ୟା ଦାନା କେବଳ ଝିପି ଝିପି ବର୍ଷାରେ ଭିଜାଇଲା l ଗୁରୁବାର ରାତି ଓ ଶୁକ୍ରବାର ମଧ୍ୟାହ୍ନ ଏବଂ ସନ୍ଧ୍ୟାରେ କେବଳ ବର୍ଷା ହୋଇଛି l ବଡ଼ ବର୍ଷା ନହେବା ଯୋଗୁଁ କୌଣସି ସ୍ଥାନରେ ପାଣି ମଧ୍ୟ ଜମି ନାହିଁ l ଅତୀତରେ ଏକାଧିକ ବାତ୍ୟାର ସମ୍ମୁଖୀନ ହୋଇଥିବା କାକଟପୁର ବ୍ଳକ ବାସୀ ବାତ୍ୟା ଦାନାକୁ ନେଇ ଭୟଭୀତ ଥିଲେ l ଯଦିଓ ବାତ୍ୟା ଦାନାର ସିଧା ସଳଖ ପ୍ରଭାବ ପୁରୀ ଜିଲ୍ଲା ଉପରେ ପଡୁନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ତଥାପି ପବନ ବହିବା ସହ ଭାରୀ ବର୍ଷା ହେବ ବୋଲି ସତର୍କତା କରିଦିଆଯାଇଥିଲା l ଏପଟେ ବାତ୍ୟାର ମୁକାବିଲା ପାଇଁ କାକଟପୁର ବ୍ଳକ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୃତ ଥିଲା l କିନ୍ତୁ ନା ଜୋର ପବନ ବହିଲା , ନା ଗଛ ଭାଙ୍ଗିଲା l ବ୍ଳକ ପ୍ରଶାସନ ପକ୍ଷରୁ ବିଶେଷକରି ଖାଲୁଆ ଅଞ୍ଚଳ ଓ କଚ୍ଚା ଘରେ ବସବାସ କରୁଥିବା କିଛି ପରିବାରକୁ ସ୍ଥାୟୀ ଏବଂ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ଅଣାଯାଇଥିଲେ ମଧ୍ୟ ବଡ଼ ବର୍ଷା ଓ ଜୋର ପବନ ନହେବା କାରଣରୁ ସେମାନେ ବାତ୍ୟା ଆଶ୍ରୟସ୍ଥଳୀ ଛାଡି ଯେ ଯାହାର ଘରକୁ ପଳାଇଯାଇଥିଲେ l କିନ୍ତୁ ବାତ୍ୟା ଦାନା ଯୋଗୁଁ କାକଟପୁର ଅଞ୍ଚଳର ଚାଷୀ ବିଶେଷ କରି ଆଶ୍ୱସ୍ତି ପ୍ରକାଶ କରିଛନ୍ତି l ପାନ , ଧାନ ଓ ପରିବା ଚାଷୀଙ୍କ ପାଇଁ ବାତ୍ୟା ଦାନା ବରଦାନ ସାଜିଛି l ବର୍ଷା ଅଭାବରୁ ଧାନ ଜମି ଫାଟି ଆଁ କରିଥିଲା l ବାତ୍ୟା ଦାନାର ଝିପିଝପି ବର୍ଷା ଉଜୁଡା ଧାନ ଓ ପରିବା ଚାଷକୁ ପୁନଃ ଜୀବନ ଦେଲା ବୋଲି ଚାଷୀ ମହଲରେ ଆନନ୍ଦ ଖେଳିଯାଇଛି l ସେଇ ଭଳି କାକଟପୁର ବିଦ୍ୟୁତ ବିଭାଗ ସବଡ଼ିଭିଜନରେ ପବନ ନବହିଲେ ବିଦ୍ୟୁତ କାଟ ହୁଏ ନାହିଁ l କିନ୍ତୁ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ସମୟରେବି ବିଦ୍ୟୁତ କାଟ ହୋଇନାହିଁ l ଯାହାକୁ ନେଇ କାକଟପୁର ଅଞ୍ଚଳର ବିଦ୍ୟୁତ ଉପଭୋକ୍ତାମାନେ ସବଡ଼ିଭିଜନର ଏସଡିଓ ସ୍ମୃତି ରଞ୍ଜନ ବେହେରା ଓ ଯନ୍ତ୍ରୀ କାହ୍ନୁ ଚରଣ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି l ଜୋର ପବନ ବହିଥିଲେ ପାନ ବରଜ ଭାଙ୍ଗିବା ସହ ଥୋଡ଼ ବାହାରି ଥିବା ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥାନ୍ତା l ମାତ୍ର ବାତ୍ୟା ଦାନାରେ ସମଗ୍ର କାକଟପୁର ବ୍ଳକ ଅଞ୍ଚଳରେ କେଉଁଠି ସେମିତି କିଛି କ୍ଷେୟ କ୍ଷତି ନହୋଇଥିବା କାରଣରୁ ଚାଷୀଙ୍କ ସହ ସ୍ଥାନୀୟ ଜନସାଧାରଣ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି