
ପୁଣି ଲୋକାରଣ୍ୟ ପାଲଟିବ ନ଼ୟାଗଡ ଜିଲ୍ଲା ଜାମୁକଣ ପାହାଡ ।
ନୟାଗଡ଼: ୩୦/୩/୨୦୨୫ (ଭାସ୍କର ଚନ୍ଦ୍ର ସ୍ୱାଇଁ) ଜିଲ୍ଲା ଜାମୁକଣସ୍ଥିତ ଦ୍ୱିତୀୟ ବୈଷ୍ଣୋଦେବୀଙ୍କ ପୀଠରେ ପ୍ରଥମ ଥର ପାଇଁ ହେବ ମା’ ଜଗତଜନନୀଙ୍କ ଶକ୍ତି ଏବଂ ଉପାସନାର ମହାପର୍ବ ନବରାତ୍ରୀ ମହୋତ୍ସବ l ଶ୍ରୀ ମା’ ବୈଷ୍ଣୋଦେବୀଙ୍କର ବାସନ୍ତୀୟ ଦୁର୍ଗାପୂଜା ମହୋତ୍ସବରେ ଭକ୍ତଙ୍କୁ ମିଳିବ ଜାମ୍ମୁକାଶ୍ମୀରର ମା’ ବୈଷ୍ଣୋଦେବୀଙ୍କ ନବରାତ୍ରର ଅନୁଭବ l ଜାମ୍ମୁକାଶ୍ମୀର କଟରାରେ ଥିବା ମା’ ବୈଷ୍ଣୋଦେବୀଙ୍କ ନିକଟରେ ଯେମିତି ମା’ଙ୍କ ନବରାତ୍ରୀ ଉତ୍ସବ ହୁଏ ଠିକ ସେହିପରି ଜାମୁକଣସ୍ଥିତ ଦ୍ୱିତୀୟ ବୈଷ୍ଣୋଦେବୀଙ୍କ ପୀଠରେ ମଧ୍ୟ ଅନୁଷ୍ଠିତ ହେବ l ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ଼ ଶୀର୍ଷରେ 180 ଫୁଟ ଗୁମ୍ଫା ମଧ୍ୟରେ ପୂଜା ପାଉଛନ୍ତି ମା’ ବୈଷ୍ଣୋଦେବୀ l ମନ୍ଦିର ପ୍ରତିଷ୍ଠା ସମାରୋହର ୨ ମାସ ପରେ ପୁଣି ଲୋକାରଣ୍ୟ ମା’ଙ୍କ ପୀଠ l
ମା’ଙ୍କ ଦର୍ଶନ ପାଇଁ ପ୍ରତ୍ୟହ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗୁଛି l ଜାମୁକଣ ପାହାଡ଼କୁ ସୁନ୍ଦର ଏବଂ ଆକର୍ଷଣୀୟ କରିବାକୁ ସମସ୍ତ ପ୍ରସ୍ତୁତି ଚାଲିଛି l ସୁନ୍ଦର ଆଲୋକମାଳାରେ ଝଲସିବ ମା’ଙ୍କ ଦରବାର l ଆଧ୍ୟାତ୍ମିକ ପରିବେଶରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ l ତେବେ ମାର୍ଚ୍ଚ ୨୯ ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଯଜ୍ଞ ମହୋତ୍ସବ ଚାଲିବ l ପ୍ରତ୍ୟେକ ଦିନର କାର୍ଯ୍ୟସୂଚୀ ସ୍ୱତନ୍ତ୍ର ଏବଂ ଏହି ଅନୁସାରେ ସମସ୍ତ ରୀତିନୀତି ସମ୍ପର୍ଣ୍ଣ କରାଯିବ l କନ୍ୟାପୂଜନ କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର ଭାବରେ କରାଯିବ l ବନାରସର ପଣ୍ଡିତ ଏବଂ ଅନ୍ୟ ପଣ୍ଡିତ ମାନେ ସମସ୍ତ ରୀତିନୀତି ଅନୁସାରେ କାର୍ଯ୍ୟ କରିବେ l
ଅନ୍ତିମ ଦିନରେ ନବଦିନାତ୍ମକ ଦେବୀ ଯଜ୍ଞ ସମାପନ ଏବଂ କନ୍ୟା ପୂଜନ, ପୂର୍ଣ୍ଣାହୂତି, ପ୍ରସାଦସେବନ କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟି l ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅସ୍ଥାୟୀ ଆଶ୍ରୟସ୍ଥଳୀ, ମେଡିକାଲ କ୍ୟାମ୍ପ ଆଦିର ବ୍ୟବସ୍ଥା କରାଯାଇଛି l
ମା’ଙ୍କ ନବରାତ୍ର ମହୋତ୍ସବରେ ବହୁମାତ୍ରାରେ ସାମିଲ ହୋଇ ଆଶୀର୍ବାଦ ପ୍ରାପ୍ତ ପାଇଁ ଟ୍ରଷ୍ଟ ଏବଂ ସ୍ଥାନୀୟ ଗ୍ରାମବାସୀ ବିନମ୍ର ଅନୁରୋଧ କରିଛନ୍ତି l