
ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ କଳସଯାତ୍ରା
କାକଟପୁର ତା ୧୫/୧, ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜୀଉନ୍ତି ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଈଶ୍ୱରନାଥ ଶମ୍ଭୁପୀଠ ଠାରେ ଜାଗର ଯାତ୍ରା ଅବସରରେ ୩୨ ତମ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ l ଏଥିପାଇଁ ବୁଧବାରଦିନ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପ୍ରାତଃରୁ ଶତାଧିକ ମହିଳା ଶ୍ରଦ୍ଧାଳୁ ଏକ ବିରାଟ ଶୋଭାଯାତ୍ରାରେ ବାଜାବାଣ ରୋଶଣୀରେ ପ୍ରାଚୀନଦୀର ବିଶ୍ଵାମିତ୍ର ଘାଟ ନିକଟକୁ ଯାଇଥିଲେ l ସେଠାରେ ବୈଦିକ ବ୍ରାହ୍ମଣଙ୍କ ଦ୍ୱାରା ପ୍ରାଚୀ ନଦୀର ଜଳକୁ ପୂଜାର୍ଚ୍ଚନା କରାଯାଇ ମହିଳାମାନେ ଘଟକୁ କାଖରେ ଧରି ମନ୍ଦିର ନିକଟକୁ ଆଣିବାପରେ ଯଥାବିଧି କଳସ ସ୍ଥାପନା କରାଯାଇଥିଲା l ବୁଧବାର ଅଙ୍କୁରା ରୋପଣ ଗୁରୁବାର ସପ୍ତସତି ଚଣ୍ଡୀପାଠ, ଶୁକ୍ରବାର ଗୀତାଯଜ୍ଞ ଓ ମହାଶିବରାତ୍ରୀ ଶନିବାର ଦିନ ପୂର୍ଣ୍ଣାହୁତି କରାଯିବ ବୋଲି ମନ୍ଦିର ବଡ଼ପଣ୍ଡା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି l ଜାଗର ଯାତ୍ରା ପାଇଁ ମନ୍ଦିର ପରିସରକୁ ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ ପକ୍ଷରୁ ସଫେଇ କରାଯିବାସହିତ ରଙ୍ଗୀନ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି l କର୍ତ୍ତାଓ କର୍ତ୍ତୀ ଭାବେ ବିଜୟ କୁମାର ଦାଶ ଓ ବସନ୍ତ ମଞ୍ଜରୀ ଦାଶ ଦାୟିତ୍ୱ ତୁଲାଇଥିବାବେଳେ ଅଞ୍ଜନ କୁମାର ଦାଶ, କରୁଣାକର ମିଶ୍ର, ବ୍ରହ୍ମା ବେଦାନ୍ତ ତତ୍ତ୍ୱଦର୍ଶୀ ମିଶ୍ର,ଆଚାର୍ଯ୍ୟ ହରପ୍ରସାଦ ଦାଶ ପ୍ରମୁଖ ପଣ୍ଡିତ ମାନଙ୍କ ଦ୍ୱାରା ଯଜ୍ଞ କର୍ମ କରାଯାଉଛି l