
ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଶେଷନିଆଁ ଖଳାରେ ମାନସିକ ଧାରୀ ପାଟୁଆ
ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଶେଷ
ନିଆଁ ଖଳାରେ ମାନସିକ ଧାରୀ ପାଟୁଆ
ଘଣ୍ଟପାଟୁଆଙ୍କ ନୃତ୍ୟରେ ପ୍ରକମ୍ପିତ ହେଲା ପ୍ରାଚୀକ୍ଷେତ୍ର କାକଟପୁର ତା 11/04,ଆଜି ପବିତ୍ର ବୈଶାଖ ମାସ ପ୍ରଥମ ମଙ୍ଗଳବାର ରେ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ଶେଷ ପାଳି ଯାତ୍ରାରେ ମା”ଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ଅନୁଷ୍ଠିତ ହେବା ସହ ଗାଁ ଗଣ୍ଡାରେ ମହିଳା ମାନଙ୍କ ଦ୍ଵାରା ମା ମଙ୍ଗଳାଙ୍କ ଉଦେଶ୍ୟରେ ଚାଲିଥିବା ପନ୍ଥେଇ ଓଷା ଉଦଯାପନ ହୋଇଛି ।ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମା ମଙ୍ଗଳାଙ୍କ ନେତୋତ୍ସବ ଠାରୁ ଆରମ୍ଭ ହୋଇ ଥିବା ମା”ଙ୍କ ପାଳିଯାତ୍ରା ଆଜି ପଞ୍ଚମ ମଙ୍ଗଳବାରରେ ଝାମୁ ଯାତ୍ରା ପରେ ଏହି ପାଳିଯାତ୍ରା ଶେଷ ହୋଇଛି । ରାଜ୍ୟର ବିଭିନ୍ନ ଶକ୍ତିପୀଠ ମାନଙ୍କରେ ପଣା ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ମା ମଙ୍ଗଳାଙ୍କ ନିକଟରେ ବୈଶାଖ ମାସର ପ୍ରଥମ ମଙ୍ଗଳବାରରେ ମାଙ୍କ ପାଳି ଯାତ୍ରା ଶେଷ ହୋଇଥାଏ । ଆଜି ଭୋର ୩ ଟାରୁ ମାଙ୍କର ସ୍ନାନ ମାର୍ଜଣା,ସୂର୍ଯ୍ୟପୂଜା,ଦ୍ଵାରପାଳ ପୂଜା ଓ ମାଙ୍କ ରାଜା ରାଜେଶ୍ଵରୀ ବେଶ ପରେ ଭୋର 4ଟାରେ ପହଡ ଖୋଲିବା ପରେ ସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା । ଏଥି ସହ ଏହି ପଞ୍ଚମ ପାଳିରେ ମାନସିକ ରଖି ଗ୍ରାମାଞ୍ଚଳ ସଧବା ମହିଳା ମାନଙ୍କ ଦ୍ଵାରା ଚାଲିଥିବା ପନ୍ଥେଇ ଓଷା ଆଜି ଦ୍ଵିପ୍ରହରରେ ଶେଷ ହୋଇଥିଲା ।ଦ୍ଵୀପ୍ରହରରେ ଝଙ୍କଡ ଶାରଳାଙ୍କ ପୀଠରୁ ଆସିଥିବା ମାଳୀ ସମ୍ପ୍ରଦାୟର ପାଟୁକା ମାନେ ପାରମ୍ପାରିକ ଢୋଲ ମହୁରୀ ବାଦ୍ୟର ରୋଷଣୀରେ ମାଙ୍କ ଠାରୁ ଆଜ୍ଞାମାଳ ନେଇ ପ୍ରାଚୀ ନଦୀର ଘଣ୍ଟତୋଳା ଘାଟରୁ ପାଣି ତୋଳିବା ପରେ ମନ୍ଦିର ସମ୍ମୁଖରେ ନିର୍ମିତ 12ଫୁଟ ଲମ୍ବର ଏକ ନିଆଁ ଗର୍ତ୍ତରେ ଚାଲିଥିଲେ ।ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ଶରୀରକୁ କଷ୍ଟ ଦେଇ ମାଙ୍କର ଏହି ସେବକ ମାନଙ୍କ ସହ ଏହି ଅଞ୍ଚଳର ମାନସିକଧାରୀ ଭୋଇ ସମ୍ପ୍ରଦାୟର ପାଟୁକା ମାନେ ନିଆଁ ଗର୍ତ ଚାଲିବା ସହ ମାଙ୍କ ସମ୍ମୁଖରେ ଘଣ୍ଟ ପାଟୁକା ନୃତ୍ୟ କରି ଏହି ଯାତ୍ରାର ସମାପନ କରିଥିଲେ । ରାଜ୍ୟର ଅନ୍ୟ ଶକ୍ତି ପୀଠ ମାନଙ୍କରେ ପଣାସଙ୍କ୍ରାନ୍ତିରେ ଝାମୁ ଅନୁଷ୍ଠିତ ହେଉଥିବା ବେଳେ ମା ମଙ୍ଗଳାଙ୍କ ପୀଠରେ ପଞ୍ଚମ ପାଳିଯାତ୍ରାରେ ଝାମୁ ଅନୁଷ୍ଠିତ ହୋଇଥାଏ ।ବିଶ୍ୱାସ ରହିଛି ଏହି ପବିତ୍ର ଦିନରେ ମହିଳା ମାନେ ମାନସିକ ରଖି ମାଙ୍କ ଏହି ପାଞ୍ଚପାଳି ବ୍ରତ ନିଷ୍ଠାର ସହ ପାଳନ କରି ମାଙ୍କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।ଆଜିର ଏହି ଝାମୁଯାତ୍ରାରେ ମନ୍ଦିର ପରିସରରେ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ଼ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ୨ ପ୍ଲାଟୁନ ଫୋର୍ସ ଓ ଦଶ ଜଣ ଅଧିକାରୀଙ୍କ ନିୟୋଜନ ସତ୍ୱେ କାକଟପୁର -ନିମାପଡା ଓ କାକଟପୁର -କୋଣାର୍କ ରାସ୍ତାରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଅନୁଭୂତ ହୋଇଥିଲା l ଆଜି ଅସହ୍ୟ ଗରମ ସତ୍ୱେ ଝାମୁଯାତ୍ରାରେ ସାମିଲ ହେବାପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ରାଜ୍ୟ ବାହାରୁ ୨ ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ପ୍ରାଚୀକ୍ଷେତ୍ର କାକଟପୁରରେ ଭିଡ ଜମିଥିଲା l ଆଜିର ଏହି ଝାମୁଯାତ୍ରାକୁ ମା ମଙ୍ଗଳା ମନ୍ଦିର ପରିଚାଳନା କମିଟି ର ଟ୍ରଷ୍ଟି ତଥା ସ୍ଥାନୀୟ ତହସିଲଦାର ବିରଞ୍ଚି ନାରାୟଣ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ଓ ପାଳିଆ ସେବକ ନେତ୍ରାନନ୍ଦ ଦୀକ୍ଷିତ, ପୂଜାପଣ୍ଡା ସୁବାସ ଚନ୍ଦ୍ର ପାଢ଼ୀ ନୀତି ସମ୍ପାଦନ ଓ ପରିଚାଳନା କରିଥିଲେ l