
କାକଟପୁର ବିଜେଡିରେ ଅନ୍ତଃକନ୍ଦଳ – ସଙ୍ଗଠନ ସଜାଡ଼ିବା ଦାୟିତ୍ୱରେ ସୁବ୍ରତ
କାକଟପୁର ,୨୬।୬): ପୁରୀ ଜିଲ୍ଲାରେ ବିଜୁ ଜନତା ଦଳର ଗଡ଼ କୁହାଯାଉଥିବା କାକଟପୁର ନିର୍ବାଚନ ନିର୍ବାଚନମଣ୍ଡଳୀ ବିଜେଡିରେ ଅନ୍ତଃକନ୍ଦଳ ଯୋଗୁଁ ଗତ ପଂଚାୟତ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଅସ୍ତରଙ୍ଗ ଓ କାକଟପୁର ବ୍ଲକ ଦଳ ହାତରୁ ଖସିଯାଇଥିଲା। ଏଥି ସହିତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ୧୪ ପଂଚାୟତ ମଧ୍ୟରୁ ପାଞ୍ଚଟି ପଞ୍ଚାୟତରେ ବିଦ୍ରୋହୀ ବିଜେଡ଼ି ପ୍ରାର୍ଥୀ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସୌଭାଗ୍ୟବଶତଃ ଏହି ୫ ବିଦ୍ରୋହୀ ବିଜେଡ଼ି ସମିତି ସଭ୍ୟଙ୍କ ସମର୍ଥନରେ ଗୋପ ପଂଚାୟତ ସମିତି ଅଧ୍ୟକ୍ଷ ପଦ ବିଜେଡ଼ି ଦଖଲ କରିବାରେ ସମର୍ଥ ହୋଇଥିଲା। ସମ୍ପୃକ୍ତ ତିନିଗୋଟି ପଂଚାୟତ ସମିତି ସ୍ଥିତି ଅନୁଭବ କରି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପୁର୍ବରୁ ନିଜେ ରାଜ୍ୟ ବିଜେଡ଼ି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୋଣାର୍କରେ ଡେରା ପକାଇବାକୁ ପଡ଼ିଥିଲା। ଫଳରେ କୋଣାର୍କରେ ବିଜେଡ଼ି ବାଜିମାତ କରିଥିଲା। ତେବେ ଆଗାମୀ ବିଧାନ ସଭା ନିର୍ବାଚନ ପୁର୍ବରୁ ଦଳ ମଧ୍ୟରେ ଥିବା ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା କାକଟପୁର ନିର୍ବାଚନ ମଣ୍ଡଳୀ ନେତୃତ୍ୱ ତଥା ରାଜ୍ୟ ନେତୃତ୍ୱଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ନିକଟରେ ରାଜ୍ୟ ସାଂଗଠନିକ ସଂପାଦକ ଶ୍ରୀ ଦାସ ଓ ରାଜ୍ୟ ବିଜେଡ଼ି ଡିଜିଟାଲ ସେଲ୍ ମୁଖ୍ୟ ତଥା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦଳୀୟ ସହପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩ବ୍ଲକ ଓ ଗୋଟିଏ ଏନ୍.ଏ.ସି କର୍ମୀଙ୍କୁ ନେଇ ଏକ ବୈଠକରେ ଦଳର ସ୍ଥିତି ସମୀକ୍ଷା କରିଥିଲେ। ସମୀକ୍ଷା ବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଯେଭଳି ସବୁ ବର୍ଗର ଲୋକଙ୍କୁ ନେଇ ସାଂଗଠାନିକ କାର୍ଯ୍ୟକ୍ରମ ଜାରି ରହିଛି ସେହି ଢାଞ୍ଚାରେ କାକଟପୁର ନିର୍ବାଚନ ମଣ୍ଡଳୀରେ ସଙ୍ଗଠନକୁ ଆଗକୁ ବଢ଼ାଇବାକୁ ସାଂଗଠନିକ ସଂପାଦକ ଶ୍ରୀ ଦାସ ସମୀକ୍ଷା ବୈଠକରେ ଉପସ୍ଥିତ ଶ୍ରୀ ଛାଟୋଇଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେତେକ ଆଗଧାଡିର ଅସନ୍ତୁଷ୍ଟ କର୍ମୀଙ୍କୁ ସଙ୍ଗଠନରୁ ଉଦ୍ଦେଶ୍ୟମୂଳକ ଭାବେ ଦୂରେଇ ଦିଆଯାଉଥିବା ନେ଼ଇ ବୈଠକ ପରେ ଚର୍ଚ୍ଚା ହୋଇଥିଲା। ତେବେ କାକଟପୁର ବିଜେଡ଼ି ଦଳ ଭିତରେ ଥିବା ଗୋଷ୍ଠୀ କନ୍ଦଳକୁ ସମାଧାନ କରିବା ଓ ସଙ୍ଗଠନକୁ ମଜବୁତ୍ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଡିଜିଟାଲ ସେଲ୍ ମୁଖ୍ୟ ସୁବ୍ରତ ଛାଟୋଇଙ୍କୁ ଦଳ ନିର୍ଦ୍ଦେଶ ଦେବା ପରୀପ୍ରେକ୍ଷୀରେ ସେ ଅସ୍ତରଙ୍ଗ ବ୍ଲକରୁ ଦଳୀୟ ସ୍ଥିତି ସମୀକ୍ଷା ଆରମ୍ଭ କରିଛନ୍ତି। ଅସନ୍ତୁଷ୍ଟଙ୍କୁ ମନାଇବା ଓ ନିକଟରେ ଦଳ ଛାଡିଥିବା କର୍ମୀଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବା ପାଇଁ ଶ୍ରୀ ଛାଟୋଇ ଉଦ୍ୟମ ଜାରି ରଖିଛନ୍ତି। ନିର୍ବାଚନ ମଣ୍ଡଳୀରେ ଶ୍ରୀ ଛାଟୋଇଙ୍କ ନିର୍ମଳ ଭାବମୂର୍ତ୍ତି ପାଇଁ ଅସନ୍ତୁଷ୍ଟ ଦଳୀୟ କର୍ମୀମାନେ ତାଙ୍କୁ ସ୍ବାଗତ କରୁଥିବା ଦଳ ପାଇଁ ଶୁଭ ସଙ୍କେତ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି