
ଝୋଟି ପକାଇଲେ ୧୫୦ ଜଣ ମହିଳା ଶିଳ୍ପୀ
ଓଡ଼ିଶା ଲଲିତ କଳା ଏକାଡେମୀ ଦ୍ୱାରା ଐତିହ୍ୟ ଗ୍ରାମ ରଘୁରାଜପୁର, ପୁରୀ ଠାରେ
ପାରମ୍ପରିକ ଝୋଟି ଚିତା ପ୍ରତିଯୋଗିତା ଆୟୋଜିତ
ପୁରୀ, ୨୦/୧୨ – ଓଡ଼ିଶା ଲଲିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ରାଜ୍ୟରେ ଚିତ୍ରକଳାର ପ୍ରଚାର ଓ ପ୍ରସାର ନିମନ୍ତେ ମାର୍ଗଶୀର ମାସ ମାଣବସା ଗୁରୁବାର ଉପଲକ୍ଷେ ଏକାଡେମୀ ଦ୍ଵାରା ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ ଗ୍ରାମର ୧୫୦ ମହିଳା ଶିଳ୍ପୀଙ୍କୁ ନେଇ ଏକ ପାରମ୍ପରିକ ଝୋଟି ଚିତା ପ୍ରତିଯୋଗିତା ତା ୨୦.୧୨.୨୦୨୩ ରିଖ ବୁଧବାର ଦିନ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ଦିଲ୍ଲୀପ କୁମାର ରାଉତରାୟ ଯୋଗଦେଇ ମହିଳା ଶିଳ୍ପୀମାନଙ୍କର ଝୋଟି ଚିତାର ଭୂୟସୀ ପ୍ରଶଂସା କରିବା ସହିତ ଓଡ଼ିଶାର ପାରମ୍ପରିକ ଝୋଟିର ସ୍ଵତନ୍ତ୍ରତା, ଜନଜୀବନ ସହ ଓ ଆମ ପୂଜା ପର୍ବାଣ ସହ ଏହା କିପରି ଓତଃପ୍ରତଃ ଭାବେ ଜଡ଼ିତ ପ୍ରକାଶ କରିଥିଲେ । ଏକାଡେମୀର ସଭାପତି ଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ପ୍ରତିଯୋଗିତା ମହିଳାମାନଙ୍କର କାଳର ବିକାଶ ପାଇଁ ଉଦ୍ଦିଷ୍ଟ ବୋଲି କହିଥିଲେ । ଓଡ଼ିଶାର ପାରମ୍ପରିକ ଝୋଟି ଚିତାର ଉନ୍ନତି ଏବଂ ରଘୁରାଜପୁରର ସ୍ଵତନ୍ତ୍ରତା ଏ ଦିଗରେ ଅଧିକ ଆକର୍ଷଣୀୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ପ୍ରତିଯୋଗୀମାନେ ନିଜ ଦୁଆର ସାମନାରେ ମାର୍ଗଶୀର ମାସ ଗୁରୁବାର ମାଣବସା ଚିତାକୁ ଖୁବ ସୁନ୍ଦର ଭାବେ ଅଙ୍କନ କରିଥିଲେ । ରଘୁରାଜପୁର ଗାଁ ଦାଣ୍ଡ ଚିତାରେ ସଜେଇ ହୋଇ ସୌନ୍ଦର୍ଯ୍ୟରେ ଦ୍ଵିଗୁଣିତ ହୋଇଥିଲା । ଏହି ଅବସରରେ ଅତିଥିମାନେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ । ବିଚାରକ ମଣ୍ଡଳୀ ମାନଙ୍କ ଦ୍ଵାରା ୩ ଟି ଚିତାକୁ ସର୍ବଶ୍ରେଷ୍ଠ ମନୋନୀତ କରାଯାଇଥିଲା । ବିଚାରକ ଭାବେ ଶ୍ରୀମତୀ ରତ୍ନ ମଞ୍ଜୁଳା ଘଡେଇ ଓ ଶ୍ରୀମତୀ ଯୁବତୀ ପ୍ରତିଭା ଭୋଳ ଯୋଗଦେଇ ଚିତାଗୁଡିକର ମୂଲ୍ୟାଙ୍କନ କରିଥିଲେ । ଏକ ସ୍ୱତନ୍ତ୍ର ଉତ୍ସବରେ କୃତି ଶିଳ୍ପୀମାନଙ୍କୁ ପୁରସ୍କୃତ କରାଯିବ । ଉତ୍କଳୀୟ ପରମ୍ପରାର ଏହି ଝୋଟି ଚିତା ଆଗାମୀ ଯୁବ ମହିଳା ଶିଳ୍ପୀଙ୍କୁ ଉତ୍ସାହିତ କରିବ ବୋଲି ଏକାଡେମୀର ସଚିବ ଶ୍ରୀ ପଞ୍ଚାନନ ସାମଲ ପ୍ରକାଶ କରିଥିଲେ । ସକାଳ 11 ଟାରୁ ଚିତ୍ର ଅଙ୍କନ ଆରମ୍ଭ ହୋଇଥିଲା l ଯାହାକୁ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଓ ଶ୍ରୀ ସଂଯୋଜନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସଚିବ ପରିଚାଳନା କରିଥିଲେ । ଗ୍ରାମ ସଭାପତି ଅନନ୍ତ ସୁବୁଦ୍ଧି, ସମ୍ପାଦକ ଅଭିରାମ ଦାସ , ବିଶ୍ଵନାଥ ସୁବୁଦ୍ଧି ଆଦି ସହଯୋଗ କରିଥିଲେ l