
ହଜିଗଲାଣି କେନ୍ଦରରାର ସ୍ୱର
କାକଟପୁର ତା ୨୫/୭,ଭଜୁକି ନା ରାମ ନାମରେ କୁମର .ବୋଲୁକି ନା ରାମ ନାମ, ଭଜି ନପାରିଲେ କୁଳ ଚନ୍ଦ୍ର ମାରେ ବାନ୍ଧି ନେବ କାଳଯମ । କେନ୍ଦରାର ସ୍ବର ସହିତ ଏହି ଗୀତ ଯେତେବେଳେ ଘର ଦୁଆର ମୁହଁରେ ବାଜି ଉଠେ,ଘରଣୀ ତଥା ମହିଳା ମାନଙ୍କ ଆଖିରୁ ଅଜାଣତରେ ବୋହି ଯାଉଥିଲା ଟୋପାଏ ଲୁହ । ପଣତକାନିରେ ଲୁହ ପୋଛୁପୋଛୁ ଭିକ୍ଷା ମୁଠିଏ ବଢାଇ ଦେଇଥାନ୍ତି ସେହି ଯୋଗୀଙ୍କୁ । ହେଲେ ସେହି ଯୋଗୀ କଣ୍ଠର ସ୍ବର ହେଉ କିମ୍ୱା କେନ୍ଦରାର ସ୍ଵନ ଆଜି କିନ୍ତୁ ଓଡ଼ିଶାର କଳା,ସଂସ୍କୃତିରୁ ହଜିଗଲାଣି । ଆଗକାଳରେ ଗାଁ ପରିବେଶରେ ଯୋଗୀଙ୍କ ମୁହଁରେ ଏହି ଗୀତ ଥିଲା ଖୁବ୍ ଆନନ୍ଦ ଦାୟକ । ଏହି ଯୋଗୀମାନେ ପ୍ରାୟତଃ ନାଥ ସଂପ୍ରଦାୟର ହୋଇଥିବା ବେଳେ କେଉଁ କାଳରୁ ବଂଶ ପରମ୍ପରା କ୍ରମେ ସେମାନେ ଏହି ବେଉଷା ଆପଣେଇ ଜୀବନ ଜୀବିକା ନିର୍ବାହ କରିଆଉଥିଲେ ହେଲେ ଆଜି ତାହା ଲୋପ ପାଇବାକୁ ବସିଲାଣି । ଗ୍ରାମୀଣ ଜୀବନରେ ଏହି କେନ୍ଦରା ସ୍ଵର ଏକ ନିଆରା ଭାବନା ସୃଷ୍ଟି କରି ବିଶେଷ ଭାବେ ମହିଳା ତଥା ବୟସ୍କାଙ୍କ ମଧ୍ୟରେ ଏକ ସ୍ବତନ୍ତ୍ରତା ସୃଷ୍ଟି କରି ପାରିଥିଲା । ଯାହାକି ଗୃହିଣୀଟି ଘରେ ଏକୁଟିଆ ଥିବା ବେଳେ ବି ଯୋଗୀଙ୍କ ସେହି ‘ଭଜୁକି ନା ରାମନାମ କବିତା ମନେ ମନେ ଆବୃତ୍ତି କରି ଭାବ ବିହ୍ବଳ ହୋଇ ପଡୁଥିଲେ । ହେଲେ ସାମ୍ପ୍ରତିକ ଆଧୁନିକତାର କରାଳ ଗ୍ରାସ ସେହି କଳା, ସଂସ୍କୃତିକୁ ଆଜି ଆମ ନିକଟରୁ ହଜେଇ ଦେଇ ସାରିଛି । ଲିଭି ଲିଭି ଯାଇଛି ଟୀକା ଗୋବିନ୍ଦ୍ର ଚନ୍ଦ୍ରର କରୁଣ କାହାଣୀ । ଏହି କଳା, ସଂସ୍କୃତି ଉପରେ ଲେଖିବା ବେଳକୁ ଏହା ସହିତ ସଂପୃକ୍ତି ରହିଥିବା ଲୋକକଥା କୁ ଲେଖିବାକୁ ବାଧ୍ୟ ହେଉଛୁ । ଯୋଗୀ ମାନଙ୍କ କହିବାନୁସାରେ କାହିଁ କେଉଁ କାଳରୁ ସେମାନେ ଶିବ
ବଂଶରେ ଜନ୍ମ ହୋଇଥିଲେ । ମହାଦେବଙ୍କ ନାମଧାରୀ ନାଉତଙ୍କ ଧରି, ବେକରେ ରୁଦ୍ରାକ୍ଷ ପକାଇ, ଗେରୁଆ ଯୋଗୀ ବସ୍ତ୍ର ପନ୍ଧି ସାରା ଜଗତରେ ଭଗବାନଙ୍କ ନାମ ନେଇ ବୁଲୁଥିଲେ । ଏହା ସହିତ ନିଜର ପେଟପାଟଣା ବି ଓତଃପ୍ରୋତ ଭାବେ ଜଡଡ଼ି ଥିଲା । ଆଗେ ରାଜାରାଜୁଡ଼ାଙ୍କ ପୃଷ୍ଠପୋଷକତା ପାଇଁ କଳାକାର ମାନେ ସେମାନଙ୍କ କୌଳିକ ବୃତ୍ତିକୁ ବଜାୟ ରଖୁଥିଲେ । କିଛି ଘର ଭିକ୍ଷା ମାଗି ନିଜର ଗୁଜୁରାଣ ମଂଟାଉଥିଲେ ।
ଯୋଗୀମାନେ ପ୍ରାୟତଃ ୧୭ ରୁ ୧୮ ବର୍ଷ ବୟସରୁ ନିଜର ବୃତ୍ତି ଆରମ୍ଭ କରୁଥିଲେ । ଏହି ସଂପ୍ରଦାୟର ପୂର୍ବ ପରୁଷଙ୍କ କହିବାନୁସାରେ ରାଜା ଜମିଦାର ମାନେ ପୂର୍ବେ ସେମାନଙ୍କୁ ଜମିବାଡ଼ି ପ୍ରଦାନ କରୁଥିଲେ । ହେଲେ ଚାଷ କାମରେ କୁଆଡ଼େ ସେମାନେ ଅକ୍ଷମ ହେବାରୁ କଳାର ପ୍ରଚାର ସହିତ ଭିକ୍ଷା ମାଗିବାକୁ ରାଜାଙ୍କ ଠାରୁ ଅନୁମତି ପାଇଥିଲେ । ସଂପ୍ରତି ଯୁଗର ପରିବର୍ତ୍ତନ ହୋଇଛି । ଭଜୁକିନା ରାମ ନାମ ସଙ୍ଗୀତ ହେଉ କି କେନ୍ଦରାର ସ୍ବର ଏବେକାର ଲୋକ ଆଉ କିନ୍ତୁ ଶୁଣିବାକୁ ଭଲ ପାଉନାହାନ୍ତି । ଯଦ୍ବାରା ସେହି ପୌରାଣିକ ଲୋକ ସଙ୍ଗୀତର ମାଧୁର୍ଯ୍ୟ ଧୀରେ ଧୀରେ ହ୍ରାସ ପାଇ ଲୋପ ହେବାକୁ ବସିଛି ।କେତେବେଳେ କେଉଁଠି କାଁ ଭାଁ ଦେଖିବାକୁ ମିଳୁଛି ଯୋଗୀଙ୍କୁ । ଫଳରେ ପ୍ରାଚୀନ ଲୋକକଳା ଏହି ‘କେନ୍ଦରା’ ସଂପ୍ରତି ଆମ ସଂସ୍କୃତି ଠାରୁ ବହୁ ଦୂରକୁ ଚାଲିଯାଇଛି । ଏହି ଲୋକକଳାର ସୁରକ୍ଷା ଦିଗରେ ସରକାର ତତ୍ପରତା ପ୍ରକାଶ କରିବା ବିଧେୟ.