
ଏଠି ରହିଛି ଓଡ଼ିଶାର ସର୍ବୋଚ୍ଚ ଶୈବ ପୀଠ ବାବା ଗୋକର୍ଣ୍ଣେଶ୍ଵର ଙ୍କ ମନ୍ଦିର
ଗଜପତି: ତା ୧୮.୬.୨୪ (ଶାଶ୍ଵତ ଟିଭି) – ସିଂହାରୀ ଆଲୋକ ଖୁଣ୍ଟିଆ – ଭାରତର ସପ୍ତପର୍ବତ ମଧ୍ୟରେ ଅନ୍ୟତମ ପବିତ୍ର ପର୍ବତ ହେଉଛି ମହେନ୍ଦ୍ରଗିରି। ଓଡ଼ିଶାର ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିଠାରେ ଅବସ୍ଥିତ ଓଡ଼ିଶାର ଏହି ସର୍ବୋଚ୍ଚ ପର୍ବତ ସମୁଦ୍ର ପତ୍ତନଠାରୁ ୪୯୯୭ଫୁଟ ଉର୍ଦ୍ଧରେ ଅବସ୍ଥିତ । ଭୌଗଳିକ ଦୃଷ୍ଟିକୋଣରୁ, ମହାନଦୀଠାରୁ ଗୋଦାବରୀ ମଧ୍ୟବର୍ତ୍ତୀ ପାର୍ବତୀୟ ଅଞ୍ଚଳ “ମହେନ୍ଦ୍ର ଅଞ୍ଚଳ” ଭାବରେ ଖ୍ୟାତ ।
ଏଠାରେ ତିନିଟି ପ୍ରାଚୀନ ଶୈବ ମନ୍ଦିର ଅବସ୍ଥିତ। କଳିଙ୍ଗନଗରରେ ଗଙ୍ଗମାନେ ରାଜତ୍ବ କରୁଥିବା ବେଳେ ଗୋକର୍ଣ୍ଣେଶ୍ଵର ବା କୁନ୍ତୀ ମନ୍ଦିର ଏବଂ ଯୁଧିଷ୍ଠିର ମନ୍ଦିର ନିର୍ମାଣ ହୋଇଥିଲା। ଅନ୍ୟତମ ଭୀମ ମନ୍ଦିରଟି ତତ୍ ପୂର୍ବରୁ ଚତୁର୍ଥ ଶତାବ୍ଦୀରେ ନିର୍ମିତ ହୋଇଥିବା କୁହାଯାଏ। କିନ୍ତୁ ପୁରାଣ ମତରେ ଏଠାକାର ଗୋକର୍ଣ୍ଣେଶ୍ଵର ମନ୍ଦିର ସହ ଅନ୍ୟ ଦୁଇଟି ମନ୍ଦିର ପ୍ରତିଷ୍ଠିତ ଥିଲା ଏବଂ ଗୋକର୍ଣ୍ଣେଶ୍ଵର ମନ୍ଦିର ଓଡ଼ିଶାର ସର୍ବୋଚ୍ଚ ମନ୍ଦିର ବୋଲି ସୂଚନା ରହିଛି। ପାଣ୍ଡବ ସେମାନଙ୍କ ବନବାସ ସମୟରେ ମହେନ୍ଦ୍ରଗିରିରେ କିଛି ବର୍ଷ ଅବସ୍ଥାନ କରିଥିବାରୁ ସେମାନଙ୍କ ସ୍ମୃତିରେ ସେହି ମନ୍ଦିର ଗୁଡିକର ନାମ ଭୀମ, ଯୁଧିଷ୍ଠିର ଓ କୁନ୍ତୀ ରଖାଯାଇଛି। ମହେନ୍ଦ୍ରଗିରି ଯିବାକୁ ହେଲେ ୮ରୁ ୧୦କିମି ରାସ୍ତା ପାଦରେ ଅତିକ୍ରମ କରିବାକୁ ପଡୁଥିଲା, କିନ୍ତୁ ୨୦୨୧ ମାର୍ଚ୍ଚଠାରୁ ଭାରତ ସରକାରଙ୍କ କାର୍ଯ୍ୟରତ ଥିବା ପକ୍କାରାସ୍ତା ସମ୍ପୁର୍ଣ୍ଣ ହେବା ପରେ ଲୋକର୍ପିତ କରି ଦିଆଗଲା। ବର୍ତ୍ତମାନ ଯୁଧିଷ୍ଠିରଙ୍କ ମନ୍ଦିର ପାଖକୁ ଯାନବାହନ ମାଧ୍ଯମରେ ଅତି ସହଜରେ ୧୫-୨୫ ମିନଟ ରେ ପହଞ୍ଚି ପାରୁଛନ୍ତି।
ଏକ ପୌରାଣିକ ଆଖ୍ୟାନ ଅନୁସାରେ ଅର୍ଜୁନ ପିତୃଶ୍ରାଦ୍ଧ ନିମନ୍ତେ ମହେନ୍ଦ୍ରଗିରିରେ ଗଣ୍ଡା ଶିକାର କରିବା ବେଳେ ଭୁଲବଶତଃ ଏକ ନୀଳଗାଈକୁ ଶରବିଦ୍ଧ କରିବାରୁ ତାହାର ମୃତ୍ୟୁ ହୋଇଥିଲା। ନୀଳଗାଈର ଗୋଟିଏ କର୍ଣ୍ଣ ଛିଡି ଯେଉଁ ସ୍ଥାନରେ ପଡିଥିଲା ସେଠାରେ ଗୋକର୍ଣ୍ଣେଶ୍ଵର ନାମିତ ଶିବଲିଙ୍ଗ ପ୍ରତିଷ୍ଠା ଲାଭ କଲେ। ବିଷ୍ଣୁ ପୁରାଣର ଏକ ଆଖ୍ୟାନ ଅନୁସାରେ ବିଷ୍ଣୁ ଗୟାସୁରକୁ ସଂହାର କରିବା ବେଳେ ସେ ଏକ ବର ମାଗିଥିଲା। ସେହି ବର ଅନୁସାରେ ଗୟାସୁରର ମୃତ୍ୟୁ ପରେ ତାର ମୃତ ଶରୀର ପୃଥିବୀ ବକ୍ଷରେ ଏଭଳି ପଡ଼ିରହିଲା ଯେ ତାର ମୁଣ୍ଡ ଆଧୁନିକ ବିହାରର ଗୟାରେ, ନାଭି ସ୍ଥଳ ଯାଜପୁରର ଗୟାରେ ଓ ପାଦ ମହେନ୍ଦ୍ରଗିରିକୁ ସ୍ପର୍ଶ କରିଥିଲା। ବିଷ୍ଣୁଙ୍କ ବର ଅନୁସାରେ ଉକ୍ତ ୩ ସ୍ଥାନରେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କଲେ ମହାପୁଣ୍ୟ ହେବା ସହ ପିତୃପୁରୁଷଙ୍କ ସନ୍ତୁଷ୍ଟି ବିଧାନ ହୋଇଥାଏ। ସେହି ଦିନ ଠାରୁ ମହେନ୍ଦ୍ରଗିରି ପାଦଗୟା ଭାବରେ ପ୍ରସିଦ୍ଧ ଲାଭ କରିଅଛି।

ପ୍ରତିବର୍ଷ ମହାଶିବରାତ୍ରିର ପୂର୍ବ ସନ୍ଧ୍ୟାରେ ମହେନ୍ଦ୍ରଗିରିରେ ଲକ୍ଷାଧିକ ଶ୍ରଦ୍ଧାଳୁ ସମବେତ ହୁଅନ୍ତି। ସେମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହିତ ଗୋକର୍ଣ୍ଣେଶ୍ଵରଙ୍କୁ ଦର୍ଶନ କରି ପରମ ତୃପ୍ତି ଲାଭ କରନ୍ତି। ଏହା ବ୍ୟତୀତ ମହେନ୍ଦ୍ରଗିରିର ପ୍ରାକୃତିକ ପରିବେଶ ଓ ସୁଶୀତଳ ସମୀରଣ ସେମାନଙ୍କୁ ମୁଗ୍ଧ କରିଥାଏ। ମହେନ୍ଦ୍ରଗିରିରୁ ପୂର୍ବ ସମୁଦ୍ର ଯେତିକି ମନୋରମ ଦେଖାଯାଏ ତତୋଧିକ ମନୋରମ ଦିଶେ ସୂର୍ଯ୍ୟ ଉଦୟର ଦୃଶ୍ୟ। ସମୁଦ୍ର ବଳୟରୁ ସୂର୍ଯ୍ୟଦେବ ଏକ ରକ୍ତିମ ଗୋଲକ ପରି ପୃଥିବୀ ଉପରକୁ ଲମ୍ପ ପ୍ରଦାନ କରୁଥିବା ଭଳି ଏକ ଐନ୍ଦ୍ରଜାଲିକ ଦୃଶ୍ୟ ଦର୍ଶକଙ୍କୁ ବିସ୍ମିତ କରେ।
ଜାତି,ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ମହେନ୍ଦ୍ରଗିରିରେ ଲୋକେ ସମବେତ ହୁଅନ୍ତି। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୧୯୯୦ ମସିହା ଠାରୁ ଶିବରାତ୍ରିକାଳୀନ ଯାତ୍ରା ସମାବେଶକୁ ସୁନିୟନ୍ତ୍ରିତ କରି ଆସୁଛନ୍ତି। ଇତିମଧ୍ୟରେ ପକ୍କ୍କା ରାସ୍ତା ମହେନ୍ଦ୍ର ଶିଖରକୁ ନିର୍ମିତ ହୋଇ ସାରିଛି। ଚଳିତ ବର୍ଷ ଶିବରାତ୍ରିରେ ଅତ୍ୟଧିକ ଜନସମାବେଶ ହେବାର ସମ୍ଭାବନା ରହିଛି। ଏଣୁ, ଗଜପତି ଜିଲ୍ଲା ପ୍ରଶାସନ ସେଥିପ୍ରତି ଯଥେଷ୍ଟ ସଚେତନ ହେବା ସହ ଆଇନଶୃଙ୍ଖଳା ସମେତ ପାନୀୟଜଳ ବ୍ୟବସ୍ଥା, ଆଲୋକୀକରଣ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ବ୍ୟାପକ ବ୍ୟବସ୍ଥା କରଯାଇଛି।