
ବାଣପୁରରେ ଦେବସ୍ନାନ ପୂର୍ଣ୍ଣିମା ପାଳନ ବିଭିନ୍ନ ମନ୍ଦିରରେ ହାତୀ ବେଶରେ ଶୋଭା ପାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି
ବାଣପୁର : ତା ୨୨.୬.୨୪ – ରଞ୍ଜନ ମହାପାତ୍ର – ଆଜି ଦେବସ୍ନାନ ପୁର୍ଣିମା ଅବସରରେ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ବାଣପୁରର ଆରାଧ୍ୟ ମହାପ୍ରଭୁ ଶ୍ରୀ ଶ୍ରୀ ରଙ୍କନାଥ ଦେବ, ଶ୍ରୀ ଶ୍ରୀ ଚରଣ ଚକାଦେବ, ପତିତପାବନ ଏବଂ ସାହସପୁରର ଜଗନ୍ନାଥ ମନ୍ଦିରରେ ରୀତି ନୀତି ଅନୁସାରେ ସ୍ନାନ ନୀତି ସମ୍ପର୍ଣ୍ଣ ହୋଇଅଛି l ଶ୍ରୀ ଶ୍ରୀ ରଙ୍କନାଥଙ୍କ ସ୍ନାନ ନୀତି ଆଡମ୍ବର ସହକାରେ ପାଳନ ହୋଇଅଛି l ସକାଳୁ ଧାଡି ପହଣ୍ଡିରେ ଶ୍ରୀ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ଅଣାଯିବାପରେ ଚଳନ୍ତି ବିଗ୍ରହ ମାନଙ୍କୁ ପହଣ୍ଡିରେ ସ୍ନାନବେଦୀକୁ ଅଣାଯାଇଥିଲା l

ପରେ ପରେ ଅବକାଶ ମଇଲମ ବାଳଭୋଗ ନିତିପରେ ଶ୍ରୀ କର୍ପୁର ଚନ୍ଦନ ଅଗୁର ମିଶ୍ରିତ ୧୦୮ ଗରା ସୁବାସିତ ଜଳରେ ଶ୍ରୀ ଜୀଉ ମାନଙ୍କୁ ସ୍ନାନ କରାଯାଇଥିଲା l ତାପରେ ମଧ୍ୟାନ ଧୂପ ବଢି ଶଙ୍ଖୁଡି ଭୋଗ ହୋଇଥିଲା l ସନ୍ଧ୍ୟାରେ ଠାକୁର ମାନେ ହାତୀ ବେଶରେ ଦର୍ଶନ ଦେଇଥିଲେ, ସ୍ନାନ ପୁର୍ଣିମା ଦେଖିବାକୁ ମନ୍ଦିର ମାନଙ୍କରେ ବାଣପୁର ଅଞ୍ଚଳର ଶତାଧିକ ଭକ୍ତଙ୍କ ଭିଡ ଜମିଥିଲା l ଏହାକୁ ମନ୍ଦିର ପରିଚାଳନା କମିଟି ଦ୍ୱାରା ଶୃଙ୍ଖଳିତ ଭାବରେ ପରିଚାଳିତ କରାଯାଇଥିଲା l
