
ସାହିତ୍ୟିକ ଡା ଲକ୍ଷ୍ମଣ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ପୁସ୍ତକ ଉନ୍ମୋଚନ ସଭାସାହିକ ଡା ଲକ୍ଷ୍ମଣ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ପୁସ୍ତକ ଉନ୍ମୋଚନ ସଭା
ତା ୧୩/୧୦ | କଟକ – ପ୍ରାଣୀଧନ ବିଭାଗ ପୂର୍ବତନ ନିର୍ଦ୍ଦେଶକ ତଥା ସୁସାହିତ୍ଯିକ ଡା ଲକ୍ଷ୍ମଣ ବେହେରାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ କଟକ ମହାନଦୀ ବିହାରସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁ ପତ୍ରିକା ‘ନାନାବାୟା’ର ପ୍ରକାଶିକା ହରିପ୍ରିୟା ବେହେରା ସଭା ମୁଖ୍ଯ ଭାବେ ଯୋଗ ଦେଇଥିଲେ। ମୁଖ୍ଯ ଅତିଥି ଭାବେ ଡା ପ୍ରଦୀପ କୁମାର ଦାଶ,ମୁଖ୍ଯ ବକ୍ତା ଭାବେ ଲକ୍ଷ୍ମୀ କାନ୍ତ ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଡା ବୀର କିଶୋର ପରିଡ଼ା,ନାନାବାୟା ର ସଂପାଦକ ସରୋଜ ବେହେରା ଉପସ୍ଥିତ ରହି ଡା ବେହେରାଙ୍କ ସ୍ମୃତିଚାରଣ କରିଥିଲେ। ବୌଦ୍ଧର ତହସିଲଦାର ତଥା ସୁପୁତ୍ର ଲଗ୍ନଜିତ୍ ବେହେରା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡା ବେହେରା ଏକାଧାରରେ ଜଣେ ଚିକିତ୍ସକ,ସୁବକ୍ତା,ସଂଗଠକ ଓ ସାହିତ୍ଯିକ ଥିଲେ। ତାଙ୍କ ଅବର୍ତ୍ତମାନରେ ଶିଶୁସାହିତ୍ୟର ଘୋର କ୍ଷତି ହୋଇଥିବା ଅତିଥିମାନେ ମତ ରଖିଥିଲେ ।
ଏହି ଅବସରରେ ଲଗ୍ନଜିତ୍ ବେହେରାଙ୍କ “ସତ୍ଯବାଦୀ ରାଜା ହରିଶ୍ଚନ୍ଦ୍ର ” ଓ ଆନନ୍ଦ କୁମାର ମେହେରଙ୍କ “ଅଙ୍ଗୁଳିମାଳ” ଶିଶୁ ଉପନ୍ୟାସ ଦୁଇଟି ଉନ୍ମୋଚିତ ହୋଇଥିଲା। ଏହାକୁ ଶିଶୁ ସାହିତ୍ଯିକ ପ୍ରଶାନ୍ତ କୁମାର ମଙ୍ଗରାଜ ଓ କୁଞ୍ଜ ବିହାରୀ ସାହୁ ସମୀକ୍ଷା କରିଥିଲେ। ଶିଶୁ ଉପନ୍ୟାସର ଉନ୍ମୋଚନ ଓ ବିକାଶ ଉପରେ ଆଲୋଚନା ହୋଇ ଥିଲା। ଶିଶୁ ଉପନ୍ୟାସ ପ୍ରକାଶନରେ ନାନାବାୟାର ଭୂମିକାକୁ ଆଲୋଚକମାନେ ଭୂୟସୀ ପ୍ରଶଂସା କରିଥିଲେ। ଏଥିରେ ଡ ଶରତ ଚନ୍ଦ୍ର ପରିଡା ମଞ୍ଚ ପରିଚାଳନା କରିଥିବା ବେଳେ ନିତ୍ଯ ପ୍ରିୟା ଶୁଭଲଗ୍ନ ଧନ୍ଯବାଦ ଅର୍ପଣ କରିଥିଲେ।